ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଡିସେମ୍ବର ୨୧ ତାରିଖ ମଙ୍ଗଳବାର ଦିନ
ପ୍ରୟାଗରାଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତର ସ୍ୱାତନ୍ତ୍ର୍ୟ ହେଉଛି ୨ ଲକ୍ଷରୁ
ଅଧିକ ମହିଳା ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତୃଣମୂଳ ସ୍ତରରୁ
ମହିଳାମାନଙ୍କୁ ସଶକ୍ତ କରିବା ନିମିତ୍ତ ପ୍ରଧାନମନ୍ତ୍ରୀଙ୍କର ରହିଥିବା ଲକ୍ଷ୍ୟକୁ ପୂରଣ
କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅବସରରେ ସ୍ୱୟଂ ସହାୟକ
ଗୋଷ୍ଠୀଗୁଡ଼ିକର ୧୬ ଲକ୍ଷ ମହିଳାଙ୍କର କଲ୍ୟାଣ ପାଇଁ ୧ ହଜାର କୋଟି ଟଙ୍କା
ପ୍ରଦାନ କରାଯିବ । ବ୍ୟବସାୟିକ ପ୍ରତିନିଧି- ‘ସଖୀ’ମାନଙ୍କୁ ପ୍ରଥମ ମାସର ବୃତ୍ତି
ପ୍ରଦାନ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ
୧ ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏହି ଅବସରରେ
ପ୍ରଧାନମନ୍ତ୍ରୀ ୨ଶହରୁ ଅଧିକ ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ରସମୂହର ଶିଳାନ୍ୟାସ
କରିବେ ।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଅପରାହ୍ଣ ପ୍ରାୟ ଗୋଟାଏରେ ଆରମ୍ଭ ହେବ ।
ପ୍ରଧାନମନ୍ତ୍ରୀଙ୍କ ମହିଳାମାନଙ୍କୁ ସଶକ୍ତ କରିବା ସ୍ୱପ୍ନ ପୂରଣ ଦିଗରେ ସେମାନଙ୍କୁ
ଆବଶ୍ୟକୀୟ କୌଶଳ ଶିକ୍ଷା ଦେବା, ପ୍ରୋତ୍ସାହନ ଯୋଗାଇବା ଏବଂ ଭିତ୍ତିଭୂମି
ଯୋଗାଇବା ଆଦି କରାଯିବ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ
ଗ୍ରାମୀଣ ଜୀବିକା ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀର ୧୬ ଲକ୍ଷ ମହିଳା
ସଦସ୍ୟଙ୍କ ବ୍ୟାଙ୍କ୍ ଖାତାକୁ ଏହି ଅର୍ଥ ସିଧାସଳଖ ଯିବ । ପ୍ରାୟ ୮୦ ହଜାର ସ୍ୱୟଂ
ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପାଣ୍ଠି ବାବଦରେ ଲକ୍ଷେ ୧୦ ହଜାର ଟଙ୍କା ଏବଂ
୬୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚଳନ୍ତି ପୁଞ୍ଜି ବାବବରେ ୧୫ ହଜାର ଟଙ୍କା
ଲେଖାଏଁ ଦିଆଯିବ ।
ଏଥିସହିତ ପ୍ରତି ବ୍ୟବସାୟିକ ପ୍ରତିନିଧି ‘ସଖୀ’ଙ୍କୁ ପ୍ରଥମ ମାସର ବୃତ୍ତି ୪ ହଜାର
ଟଙ୍କା ଲେଖାଏଁ ୨୦ ହଜାର ‘ସଖୀ’ଙ୍କ ବ୍ୟାଙ୍କ ଖାତାକୁ ଯିବ । ସମାଜର ତୃଣମୂଳ
ସ୍ତରରେ ଆର୍ଥିକ ସେବା ଯୋଗାଇବା ନିମିତ୍ତ ଏହି ‘ସଖୀ’ମାନଙ୍କୁ ୬ ମାସ ପାଇଁ
୪ ହଜାର ଟଙ୍କା ଲେଖାଏଁ ମାସିକ ବୃତ୍ତି ଦେବା ପରେ ସେମାନେ ଯୋଗାଉଥିବା
ବିଭିନ୍ନ ଆର୍ଥିକ ସେବା ବାବଦରେ ପ୍ରୋତ୍ସାହନ ଅର୍ଥ ପାଇବେ ।
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨୦ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ । କନ୍ୟା ଶିଶୁମାନଙ୍କ ପାଇଁ ଜନ୍ମ ସମୟରେ ୨ ହଜାର ଟଙ୍କା, ୧ବର୍ଷ ପୂର୍ଣ୍ଣ ହେବା ସହ ସବୁ ଟିକା ନେବା ସରିବା ପରେ ୧ ହଜାର ଟଙ୍କା, ପ୍ରଥମ ଶ୍ରେଣୀରେ ନାମ ଲେଖା ସମୟରେ ୨ ହଜାର ଟଙ୍କା, ଷଷ୍ଠ ଶ୍ରେଣୀରେ ନାମଲେଖା ସମୟରେ ୨ ହଜାର ଟଙ୍କା, ନବମ ଶ୍ରେଣୀ ନାମଲେଖା ସମୟରେ ୩ ହଜାର ଟଙ୍କା, ଦ୍ୱାଦଶ ପରେ ଡିଗ୍ରୀ କିମ୍ବା ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ସମୟରେ ୫ ହଜାର ଟଙ୍କା, ଏହିପରି ଜୀବନର ବିଭିନ୍ନ ଅବସ୍ଥାରେ ପ୍ରତି କନ୍ୟାଙ୍କୁ ୧୫ ହଜାର ଟଙ୍କା ଦିଆଯିବ । ରାଜ୍ୟର ୬ ଶହ ବ୍ଲକରେ ଚାଲିଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ୨୦୨ଟି ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ର ନିର୍ମାଣ ନିମିତ୍ତ ଶିଳାନ୍ୟାସ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବାକୁ ଥିବା ପ୍ରତି କେନ୍ଦ୍ର ନିର୍ମାଣ ବାବଦରେ ୧ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।