ଭୁବନେଶ୍ୱର: କବିତାରେ ସମକାଳର ସ୍ୱର ଓ ମଣିଷର ଜୀବନଧାରାର ଚିତ୍ର ପ୍ରତିଫଳିତ ହେବା ଆବଶ୍ୟକ ବୋଲିପ୍ର ସିଦ୍ଧ କବି ଡ଼. ପ୍ରତିଭା ଶତପଥୀ ମତ ବ୍ୟକ୍ତ କରିଛନ୍ତି |
ଆଜି ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା କକ୍ଷରେ କବି ସଂଗ୍ରାମ ଜେନାଙ୍କ କବିତା ପୁସ୍ତକ “ପଥାନ୍ତର” ର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସେ ଏହା କହିଛନ୍ତି |
ବିଶିଷ୍ଟ ଆଲୋଚକ ପ୍ରଫେସର ଯତୀନ୍ଦ୍ର ନାୟକ କହିଲେ ଯେ, ସାଙ୍ଗୀତିକତା ଓ ସରଳତା କବିତାକୁ ଆୟୁଷ୍ମାନ କରାଏ |
ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଲେ ଯେ ସଂଗ୍ରାମଙ୍କ କବିତାରେ ବୁଦ୍ଧ ଓ ଗାନ୍ଧୀଙ୍କ ଜୀବନାଦର୍ଶ ମଧ୍ୟ ରୂପାୟିତ ହୋଇଛି |
ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପିକା ଡ଼. ସଂଘମିତ୍ରା ଭଞ୍ଜ ପୁସ୍ତକର ଏକ ଭାବଗର୍ଭକ ସମୀକ୍ଷା ଉପସ୍ଥାପନ କରିଥିବା ବେଳେ କବି ଶ୍ରୀ ଜେନା ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ |
ସସ୍ମିତା ପଟ୍ଟନାୟକ କବିଙ୍କ ଲେଖା ପାଠ କରିଥିଲେ |
“ନିଶାନ୍ତ” ଓ “ମାର୍ଗ ଏସିଆ ” ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ଡ଼.ପ୍ରତିଭା ଶତପଥୀଙ୍କୁ ପଦ୍ମ ସମ୍ମାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା |
କାର୍ଯ୍ୟକ୍ରମରେ କବି ଫନି ମହାନ୍ତି, ପୌରୋଷ ର ସମ୍ପାଦକ ଅସିତ ମହାନ୍ତି, ସୁଲେଖକ ଜ୍ୟୋତି ନନ୍ଦ, ଅରବିନ୍ଦ ବେହେରା, କବି ରବି ସ୍ୱାଇଁ, ଜର୍ମାନ ଗବେଷିକା ଉଟି ଈସିଞ୍ଜର, କପିଳାସ ଭୂୟାଁ, ବଙ୍ଗାଳି ନନ୍ଦଙ୍କ ସମେତ ବହୁ କବି, ଲେଖକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l