Nation

ପ୍ରଶାନ୍ତ କିଶୋର ଗୁଜରାଟରେ କରିବେ କଂଗ୍ରେସର ନିର୍ବାଚନ ରଣନୀତି

Published

on

ଅହମଦାବାଦ: ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବାକୁଥିବା ଗୁଜରାଟ ବିଧାନସଭା ନିର୍ବାଚନ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବିଶେଷ କରି ଏହି ନିର୍ବାଚନ କଂଗ୍ରେସ ପାଇଁ ଅସ୍ତିତ୍ଵର ପ୍ରଶ୍ନ ହୋଇଛି। ନିକଟରେ ଅନୁଷ୍ଠିତ  ପାଞ୍ଚ ରାଜ୍ୟ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଦଳର ନେତୃତ୍ଵ ଉପରୁ ନେତା ଓ କର୍ମୀମାନଙ୍କର ଆସ୍ଥା ଉଠିବା ଆରମ୍ଭ  ହୋଇଗଲାଣି।

ଏଭଳି ପରିସ୍ଥିତିରେ ଗୁଜରାଟ ନିର୍ବାଚନରେ ବିଜେପିକୁ ହରାଇ ପାରିଲେ କଂଗ୍ରେସ ଦଳର ଓ ଗାନ୍ଧି ପରିବାରର ପତିଆରା ଫେରି ପାରିବ।

ଗୁଜରାଟର ୧୮୨ ଆସନ ବିଶିଷ୍ଠ ବିଧାନସଭାରେ ବର୍ତମାନ କଂଗ୍ରେସର । ଗତ ୨୦୧୭ ନିର୍ବାଚନରେ ବିଜେପିକୁ ୯୯ ଆସନ ମିଳିଥିବାବେଳେ କଂଗ୍ରେସକୁ ୭୭ ଆସନ ମିଳିଥିଲା। କଂଗ୍ରେସର ଏହି ଆସନ ସଂଖ୍ୟା ବିଗତ ୩୨ ବର୍ଷରେ ସର୍ବାଧିକ ଥିଲା। ଦଳକୁ ୧୯୮୫ ମସିହା ନିର୍ବାଚନରେ ୧୪୯ ଆସନ ମିଳିଥିଲା।

କଂଗ୍ରେସ ଗୁଜରାଟ ଉପରେ ଆଶା ରଖିବାର କାରଣ ହେଉଛି ରାଜ୍ୟରେ ବିଜେପିର ସରକାର ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ରହିଲାଣି। ଏଣୁ ନକରାତ୍ମକ ଭୋଟ ଅଧିକ ହେବା ସ୍ୱାଭାବିକ। ଅନ୍ୟ ପକ୍ଷରେ ଗତ ନିର୍ବାଚନର ଫଳାଫଳ ଉତ୍ସହଜନକ ଥିଲା। ଅବଶ୍ୟ ଇତି ମଧ୍ୟରେ ଦଳବଦଳ ଓ ଉପ ନିର୍ବାଚନ ଯୋଗୁଁ କଂଗ୍ରେସ ଦଳର ବିଧାୟକ ସଂଖ୍ୟା ୭୭ରୁ ୬୫କୁ ଖସି ଆସିଲାଣି।

ଗୁଜରାଟ ନିର୍ବାଚନ ଜିତିବା ପାଇଁ କଂଗ୍ରେସ ବିଚକ୍ଷଣ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନିୟୋଜିତ କରିବାର ସୂଚନା ମିଳିଛି। ପଶ୍ଚିମବଙ୍ଗ ନିର୍ବାଚନର ବିପୁଳ ସଫଳତା ପରେ ପ୍ରଶାନ୍ତ କିଶୋର ନିର୍ବାଚନ ରଣନୀତି ପେଶା ଏବଂ ଆଇପାକ ସଂସ୍ଥା ଛାଡିବେ ବୋଲି କହିଥିଲେ।  ବର୍ତମାନ ପ୍ରଶାନ୍ତ କିଶୋର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଆସନ୍ତା ମେ ୧ ତାରିଖରୁ ଏହି ପେଶାକୁ ପୁଣି ଫେରିବେ।

ପ୍ରଶାନ୍ତ କିଶୋର କିନ୍ତୁ ଇତି ମଧ୍ୟରେ ଗୁଜରାଟରେ କଂଗ୍ରେସ ପାଇଁ କାମ ଆରମ୍ଭ କରିଦେଲେଣି। ପ୍ରଭାବଶାଳୀ ଲେଉଭା ପଟ୍ଟିଦାର ନେତା ନରେଶ ପଟେଲଙ୍କୁ କଂଗ୍ରେସକୁ ଆଣିବାର ବନ୍ଦୋବସ୍ତ କଲେଣି। ପ୍ରଶାନ୍ତ ଚାହୁଁଛନ୍ତି କଂଗ୍ରେସ ନରେଶ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥିଭାବେ ଗୁଜରାଟରେ ଉପସ୍ଥାପନ କରୁ। ପଟେଲ ଶ୍ରୀ ଖୋଦଳଧାମ ଟ୍ରଷ୍ଟର ଅଧକ୍ଷ ଅଛନ୍ତି। ଏହି ଟ୍ରଷ୍ଟ ରାଜକୋଟ ନିକଟରେ ଥିବା ଲେଉଭା ପଟ୍ଟିଦାର ସାମ୍ରଦାୟର ଆରାଧ୍ୟ ଦେବତା ଭଗବାନ ଖୋଡିୟର ମନ୍ଦିରର ପରିଚାଳନା ଦାୟିତ୍ବରେ ରହିଛି। ଗୁଜରାଟର ସୌରାଷ୍ଟ୍ର ଅଂଚଳର ରାଜନୈତିକ ଦୃଷ୍ଟିକୋଣରୁ ପ୍ରଭାବଶାଳୀ ଏହି ପଟ୍ଟିଦାର ସମ୍ପ୍ରଦାୟର ଭୋଟ ନିର୍ବାଚନ ଜିଣିବାରେ କଂଗ୍ରେସ ପ୍ରତି ସହାୟକ ହେବବୋଲି ପ୍ରଶାନ୍ତ କିଶୋରଙ୍କ କହିବା କଥା।

Leave a Reply

Your email address will not be published. Required fields are marked *

Trending

Exit mobile version