Connect with us

ଭୁବନେଶ୍ୱର :ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ଉଦ୍‌ଘାଟନ କରିଛନ୍ତି ।

 

ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର  ମଧ୍ୟ ସ୍ଥାପନ କରାଯାଇଥିଲା।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷର ହୋଇଥିଲା ।

ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ NIWS ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି କରିବା ପାଇଁ ଏହି ଏମ୍ଓୟୁ (MoU) ସ୍ୱାକ୍ଷରିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଓ ଜୀବନ ରକ୍ଷା କୌଶଳ, ଏବଂ ଉପକୂଳବର୍ତ୍ତୀ ଜରୁରୀକାଳୀନ ପ୍ରସ୍ତୁତି ଉପରେ ଆଧାରିତ ଏକ ଚମତ୍କାର ୱାଟରମ୍ୟାନସିପ୍ ସୋ ପ୍ରଦର୍ଶନ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଏମ୍ଓୟୁ (MoU) ସ୍ୱାକ୍ଷର ଅବସରରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ସୁରକ୍ଷା, ଲାଇଫ ଗାର୍ଡ ତାଲିମ ଏବଂ ଉପକୂଳବର୍ତ୍ତୀ ସହନଶୀଳତା ପାଇଁ OSWALI ପ୍ରତିଷ୍ଠାନ ଏକ ଉତ୍ସର୍ଗୀକୃତ ଜାତୀୟ ତଥା ଅନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଓଡ଼ିଶାର କ୍ଷମତାକୁ ବୃଦ୍ଧି କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ଅଗ୍ନିଶମ ବିଭାଗ ନେତୃତ୍ଵାଧୀନ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛି। ଗତ ଦେଢ ବର୍ଷ ମଧ୍ୟରେ ଆମ ସରକାର ଅମଳରେ ଦୁଇଟି ବୃହତ୍ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ, ଆମେ ତାହାର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛୁ।

ଆଜି ଏଠାରେ ଯେଉଁ ପ୍ରଶିକ୍ଷଣ କେନ୍ଦ୍ରଟି ଆରମ୍ଭ ହୋଇଛି ତାହା ଦେଶର ଅଗ୍ନିଶମ ବାହିନୀ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ଏନ.ଡି.ଆର.ଏଫ୍ ଓ ବିଭିନ୍ନ ରାଜ୍ୟରେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାମରେ ନିଯୁକ୍ତ ପୋଲିସ, ଗୃହରକ୍ଷୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେବ ।

 

 

ନୌସେନା ବାହାରେ, ଏ କ୍ଷେତ୍ରରେ ଏହା ଦେଶର ପ୍ରଥମ ପ୍ରତିଷ୍ଠାନ । ତେଣୁ ଏହାକୁ ଆମେ ଏକ ଜାତୀୟ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର ଭାବେ କହିଲେ ଅତ୍ଯୁକ୍ତି ହେବ ନାହିଁ। ବୋଲି ସେ କହିଥିଲେ।

 

ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଯେଉଁ ଉତ୍କର୍ଷ ହାସଲ କରିଛି ତାହାକୁ ବ୍ୟବହାର କରି ଆମେ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଙ୍କୁ ଏହି ପ୍ରତିଷ୍ଠାନ ମାଧ୍ୟମରେ ପ୍ରଶିକ୍ଷଣ ଦେବୁ। ଏହି ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ହେଲା, ବିଭିନ୍ନ ବିପର୍ଯ୍ୟୟରେ ଧନ ଜୀବନ ବଞ୍ଚାଇବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

ସେ କହିଥିଲେ ଯେ ୧୨ କୋଟି ଟଙ୍କା ଖର୍ଚ୍ଚରେ ଏହି ‘ସନ୍ତରଣ ଶିକ୍ଷା ଓ ଲାଇଫ୍ ଗାର୍ଡ’ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଚଳିତ ବଜେଟରେ ବୁଡାଳୀ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଆଉ ଅଧିକ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମାଧ୍ୟମରେ ଆଜି ଏହି ବୁଡାଳୀ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ଦିଆଗଲା। ଏହି ନୂଆ ପ୍ରକଳ୍ପର କାମ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ କୁ ନିର୍ଦ୍ଦେଶ ଦେଇଥିଲେ ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ପୁରା ଦେଶପାଇଁ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରୁଛୁ । ତେଣୁ, ଏହାକୁ ପୂର୍ଣ୍ଣାଙ୍ଗ କରିବା ଓ ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପ୍ରତି ଆପଣମାନେ ଯତ୍ନବାନ ହେବେ। ଏହି ପ୍ରଶିକ୍ଷଣ କେନ୍ଦ୍ର ଆମ ରାଜ୍ୟର ସମ୍ମାନ ବୃଦ୍ଧି କରିବ। ଆମ ରାଜ୍ୟକୁ ଦେଶରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କ୍ଷେତ୍ରରେ ଏକ ଉଦାହରଣ ଭାବେ ନୂଆ ପରିଚୟ ଦେବ। ଅନ୍ୟ ରାଜ୍ୟର କର୍ମଚାରୀମାନେ ଏଠାକୁ ଆସିବେ ଓ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‍ରୁ ଶିଖିବେ ।

 

ଏଇ ଆହୁରି କହିଥିଲେ ଯେ ବର୍ତ୍ତମାନ ମଧ୍ୟ ଆମ ଗହଣରେ ନାଗାଲାଣ୍ଡ, ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଥିବା ପ୍ରଶିକ୍ଷାର୍ଥୀ ଅଛନ୍ତି ।

 

ନିକଟରେ ଆମ ପ୍ରତିଷ୍ଠାନ NDRFର କର୍ମଚାରୀଙ୍କୁ ବୁଡାଳୀ ପ୍ରଶିକ୍ଷଣ ଓ NAVYର କର୍ମଚାରୀଙ୍କୁ ନିଆଁ ଲିଭାଇବା ପ୍ରଶିକ୍ଷଣ ଦେଇଛନ୍ତି । ଆପଣମାନେ ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଓଡ଼ିଶାରେ ଅନ୍ୟ ରାଜ୍ୟର ଓ ରାଷ୍ଟ୍ରୀୟ ସଂସ୍ଥା ମାନଙ୍କର କର୍ମଚାରୀ ପ୍ରଶିକ୍ଷଣ ନେବା ନିଶ୍ଚିତ ରୂପେ ଏକ ଗର୍ବର କଥା। ଯେହେତୁ ଏହି ପ୍ରତିଷ୍ଠାନ ଗୁଡିକ ଜାତୀୟ ମାନ୍ୟତା ପାଇଛନ୍ତି, ସେଗୁଡିକୁ ଯତ୍ନର ସହ ଆଗକୁ ବଢେଇବା ଆମ ସମସ୍ତଙ୍କର ଦାୟିତ୍ୱ। ଆଜିର ଦିନଟି ଆଉ ଗୋଟିଏ ଦିଗରୁ ମଧ୍ୟ ଐତିହାସିକ । ସମଗ୍ର ଦେଶରେ ପ୍ରଥମଥର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଅଗ୍ନିଶମ ବିଭାଗ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି ।

 

 

ପର୍ଯ୍ୟଟନ ବିଭାଗ ଏହି କେନ୍ଦ୍ରଟିକୁ ଦୁଇଟି ଉପାୟରେ ବ୍ୟବହାର କରିବ । ପ୍ରଥମ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ହୋଟେଲ ଇତ୍ୟାଦିରେ ନିଯୁକ୍ତ ଲାଇଫ ଗାର୍ଡ ମାନଙ୍କର ପ୍ରଶିକ୍ଷଣ କରାଇବେ । ଦ୍ଵିତୀୟରେ ଏଠାରେ ଦୁଃସାହସିକ ଜଳକ୍ରୀଡାର ସୁବିଧା ଯୋଗାଇବା । ନିକଟରେ ଆମ ସରକାର ଆଡ଼ଭେନ୍‍ଚର୍‌ ସ୍ପୋର୍ଟ୍‍ସ ନୀତି ଗ୍ରହଣ କରିଛନ୍ତି । ଏଠି ଥିବା ସ୍କୁବା ପ୍ରଶିକ୍ଷଣ ବ୍ୟବସ୍ଥାଟିକୁ ବ୍ୟବହାର କରି ପର୍ଯ୍ୟଟକଙ୍କୁ ସ୍କୁବା ଅନୁଭୂତି ମିଳିବ ।

 

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ଡ. ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି, କାକଟପୁର ବିଧାୟକ ଶ୍ରୀ ତୁଷାର କାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ଡଃ ବଲବନ୍ତ ସିଂହ, ପୋଲିସ ଡିଆଇଜି ଡ. ଉମା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

 

କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୋଲିସ୍ ହାଉସିଙ୍ଗ୍ କରପୋରେସନ୍‍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଧନ୍ୟବାଦ ଦେଇଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ତିନି ଜିଲ୍ଲାରେ ବନ୍ୟା ରିଲିଫ କାର୍ଯ୍ୟ ତଦାରଖ ପାଇଁ ତିନି ଆଇଏଏସ ଅଫିସର ଗଲେ

Published

on

ଭୁବନେଶ୍ୱର : ଓଡିଶା ସରକାର ଆଜି ତିନିଜଣ ଆଇ ଏ ଏସ ଅଫିସରଙ୍କୁ ବନ୍ୟା ରିଲିଫ ଓ ଥଇଥାନ କାର୍ଯ୍ୟ ତଦାରଖ ପାଇଁ ତିନି ବନ୍ୟା ପ୍ଲାବିତ ଜିଲ୍ଳାକୁ ପଠାଇଛନ୍ତି l ଓଏମସିର ଏମଡ଼ି ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, ଓଡିଶା ରାଜ୍ୟ ସିଭିଲ ସପଲାୟୀ ନିଗମ ଏମଡି  କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ରାଜ୍ୟ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାକୁ ପଠା ଯାଇଛି l

Continue Reading

Nation

ଅନ୍ତର୍ଜାତୀୟ ଜଳସୀମାରେ ଏବେ ଟୁନା ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ: ମିଳିଲା ଅନୁମୋଦନ ପତ୍ରର

Published

on

ଭୁବନେଶ୍ୱର :  ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ୍ ଆଜି ଏଠାରେ ମୁକ୍ତ ସମୁଦ୍ରରେ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ର (LoA)’ର ଜାତୀୟ ଶୁଭାରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୭୩, ୮୯୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରି ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିପାରିଛି। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମାଛଧରା କାର୍ଯ୍ୟ ଉପକୂଳର ୪୦-୫୦ ନଟିକାଲ ମାଇଲ ମଧ୍ୟରେ ସୀମିତ ଥିବାବେଳେ ଗଭୀର ସମୁଦ୍ରର ଅନ୍ତର୍ଜାତୀୟ ଜଳସୀମାରେ ଟୁନା ଭଳି ଉଚ୍ଚ-ମୂଲ୍ୟର ମାଛ ଧରିବା ପାଇଁ ଏହି ନୂତନ ନୀତି ବିରାଟ ସୁଯୋଗ ଆଣିଦେବ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣ କ୍ଷେତ୍ରକୁ ସୁଦୃଢ଼ କରିବ।

ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଫଳତା ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଡକୁମେଣ୍ଟ (୨୦୨୬-୨୦୩୬)’କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ (NCEL) ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।

 

ଶ୍ରୀ ରାଧାକୃଷ୍ଣନ୍ ଏହି ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରାଧିକରଣ ପତ୍ର (LoA) ପ୍ରଦାନ କରିଥିଲେ। ଏହି ଅନୁମୋଦନ ପତ୍ର ପାଇଥିବା ସଂସ୍ଥା ଓ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ପାରାଦୀପ ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ଉପକୂଳ ଅଞ୍ଚଳରୁ ଆସିଥିବା ସାମୁଦ୍ରିକ ସମବାୟ ସମିତିର ପ୍ରତିନିଧିମାନେ ସାମିଲ ଥିଲେ।

ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ, ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି LoA କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଥିଲେ, ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ବର୍ଷ ଡିସେମ୍ବର ୨୦୨୫ରେ ଗୁଜରାଟର ଭେରାଭଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (EEZ) ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ୮୬୬ ଜଣ ଅଛନ୍ତି।

ସେ କହିଥିଲେ ଯେ, ବର୍ତ୍ତମାନ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବା ପାଇଁ ପ୍ରାଧିକରଣ ପତ୍ର (LoA) ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରାରମ୍ଭିକ ଭାବେ ଓଡିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଏହି LoA ପ୍ରଦାନ କରାଯିବା ସହ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ EEZ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜ (DSFV) କୁ ମଧ୍ୟ ‘ଗୋ-ଆହେଡ୍‌’ ଅନୁମତି ଜାରି କରାଯାଇଛି। ଦେଶର ସମଗ୍ର ଉପକୂଳର ୨୪ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ରରେ (EEZ) ଆମ ମତ୍ସ୍ୟଜୀବୀଙ୍କ ପାଇଁ ଏହା ବିପୁଳ ସୁଯୋଗ ଆଣିଦେବ।

 ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ ୫୦୦ଟି ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ସେ କହିଛନ୍ତି ।

 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,  ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ  କହିଥିଲେ ଯେ ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ଆମେ ବ୍ୟାପକ ସହାୟକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ କରିଛୁ।

ଏହି ଜାତୀୟସ୍ତରର ସମାରୋହରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ଥିଲେ।

Continue Reading

Nation

ବ୍ରହ୍ମପୁର-ଉଧ୍‌ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏବେ ଦୈନିକ

Published

on

ଭୁବନେଶ୍ୱର: ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ରେଶମ ସହର ବ୍ରହ୍ମପୁରରୁ ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜୁରାଟର ଉଧ୍‌ନା (ସୁରଟ) ପର୍ଯ୍ୟନ୍ତ ଚାଲୁଥିବା ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଆଜିଠାରୁ ଦୈନିକ ଟ୍ରେନ ରୂପେ ନିଜର ଯାତ୍ରା ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀ, ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହାକୁ ଓଡ଼ିଶାର ବିକାଶ ଲାଗି ଏକ ଐତିହାସିକ ଦିନ ବୋଲି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁରଟ ସହ ଓଡ଼ିଶାର ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଅତି ନିବିଡ଼। ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ଓ ବ୍ୟବସାୟୀ ଭାଇମାନେ ସୁରଟରେ ରହି ସେଠାକାର ଟେକ୍ସଟାଇଲ ଓ ଡାଇମଣ୍ଡ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ପୂର୍ବରୁ ସାପ୍ତାହିକ ଟ୍ରେନ ଯୋଗୁ ଯାତାୟତରେ ଅନେକ ଅସୁବିଧା ହେଉଥିଲା। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଏହି ସେବାକୁ ଦୈନିକ କରିଥିବାରୁ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଟ୍ରେନ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଭାଇଭଉଣୀଙ୍କ ପାଇଁ ନିରାପଦ, ଶସ୍ତା ଓ ଦ୍ରୁତ ଯାତ୍ରାର ସୁବିଧା ପ୍ରଦାନ କରିବ। ଏହାଦ୍ୱାରା ଗୁଜୁରାଟ ସହ ଓଡିଶାର ସମ୍ପର୍କ ଆହୁରି ନିବିଡ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ଆଗାମୀ ଦିନରେ ବାହୁଦା ଠାରେ ଏକ ବୃହତ୍ ବନ୍ଦର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବ୍ରହ୍ମପୁର ସହରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା ସହ ବ୍ରହ୍ମପୁର-ଜୟପୁରକୁ ସଂଯୋଗ କରୁଥିବା ଏକ ୬-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍‌ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଅତୀତରେ ସୁରଟ ଠାରେ ଗୋଟିଏ ସଭାରେ ଯୋଗଦେଇଥିବା ଅବସରରେ ସୁରଟରୁ ବ୍ରହ୍ମପୁର ଯାଏ ନିୟମିତ ରେଳ ଚଳାଚଳ ପାଇ ଯେଉଁ ଅନୁରୋଧ କରାଯାଇଥିଲା, ଆଜି ତାହା ପୂରଣ କରାଯାଇଛି । ବର୍ତ୍ତମାନ ସମୟର Latest Technology ର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସ ବର୍ତ୍ତମାନ ଠାରୁ ପ୍ରତିଦିନ ବ୍ରହ୍ମପୁରରୁ ସୁରଟ ଅଭିମୁଖେ ଚଳାଚଳ କରିବ । ସେ ଆହୁରି ଘୋଷଣା କରିଥିଲେ ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ କରିବା ପାଇ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହି ଶୁଭାରମ୍ଭ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁରର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ୍ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକଗଣ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୂର୍ବ ତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions