ଭୁବନେଶ୍ୱର : ସୋମବାର ସକାଳ ଭୋରବେଳା ପୁରୀ ବେଳାଭୂମି ଉତ୍ତାଳ ହେଉଥିଲା ସ୍ୱାଗତ କରିବାକୁ ଜଣେ ଅତି ବିଶିଷ୍ଠ ଅତିଥିଙ୍କୁ
ସମସ୍ତ ଥାଟବାଟ ଛାଡି, ସୁରକ୍ଷା ବ୍ୟବସ୍ଥାକୁ ପଛରେ ପକାଇ ବେଳାଭୂମି କୋଳକୁ ଆସିଥିଲେ ସୋମବାରର ସେ ବିଶିଷ୍ଟ ଅତିଥି
ଆକାଶ ରଙ୍ଗର ଢିଲା ପଂଜାବୀ ସଲ୍ୱାର ଆଉ ପାଦରେ ଧଳା ରଙ୍ଗର ସ୍ପୋର୍ଟ ଜୋତା.
ବେଳାଭୂମିର ନୈସର୍ଗିକ ଶୋଭା କରିଥିଲା ତାଙ୍କୁ ବିମୋହିତ. ସମୁଦ୍ରର ଜୁଆର କରିଥିଲା ଭାବୁକ.
ଆଜିର ସେ ବିଶିଷ୍ଟ ଅତିଥି ଆଉ କେହି ନଥିଲେ. ଥିଲେ ଆମ ଦେଶର ରାଷ୍ଟ୍ରପତି ମହାମାନ୍ୟ ଦ୍ରୌପଦୀ ମୁର୍ମୁ.
ମୁର୍ମୁ ପ୍ରକୃତିର ଶୋଭା ଦେଖି ବିମୋହିତ ହୋଇଛନ୍ତି ଆଉ ତାଙ୍କ ଏକ୍ସ ଖାତାରେ ଲେଖିଛନ୍ତି :
ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି ।
ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି
ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ।
ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ।