Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ବରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ ।

ବିକାଶ ଓ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ବୀକୃତି ମିଳିଛି ବୋଲି ସେମାନେ କହିଥିଲେ ।

ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି – ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ (Drink From Tap), ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ ।

ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ଶ୍ରୀ ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Continue Reading
Click to comment

Leave a Reply

Your email address will not be published.

ରାଜ୍ୟ

ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

Published

on

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ସରକାରୀ ଛୁଟି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଉକ୍ତ ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।

ତଦନୁଯାୟୀ ଅକ୍ଟୋବର ୨୫ ମଂଗଳ ବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ଅନୁଷ୍ଠାନ ବନ୍ଦ ରହିବ।

Continue Reading

ରାଜ୍ୟ

ଶ୍ରୀମନ୍ଦିର, ଶ୍ରୀ ଲିଙ୍ଗରାଜ ମନ୍ଦିର,  ମା ସମଲେଇ ମନ୍ଦିର ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ବନ୍ଦନାରେ କଣ୍ଟିଲୋ ନୀଳମାଧବ 

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ।

ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ। ମହାନଦୀ କୂଳରେ ନୀଳମାଧଵ ପୀଠର ଶୋଭା ଅତ୍ୟନ୍ତ ମନୋରମ। ସରକାର 5T କାର୍ଯ୍ୟକ୍ରମ ରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକ ଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ , ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି।

ଏହା ସହିତ ଏଠାକୁ ଆସୁଥିବା ଭକ୍ତ ମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ର ବିକାଶ କରାଯିବ।

ଏଥି ନିମନ୍ତେ ଖୁଵ ଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଜଣା ଯାଇଛି।

ଏଥି ପାଇଁ ପୂର୍ତ୍ତ ବିଭାଗ କୁ ଦାଇତ୍ୱ ଦିଆଯାଇଛି.ଏହି କାର୍ଯ୍ୟକ୍ରମ ର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।

ଏହି ପରଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି ଯାଦବ , ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Continue Reading

ରାଜ୍ୟ

କଳାହାଣ୍ଡିର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ

Published

on

 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାଣେକେଶ୍ବରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି । କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା – ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି । କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜ କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି । ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ସବୁବେଳେ ତାଙ୍କର ଲକ୍ଷ୍ୟ ହୋଇ ରହିଛି । କଳାହାଣ୍ଡିକୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସିଛନ୍ତି ଏବଂ ଚଳିତ ବର୍ଷ ଦୁଇ ଦୁଇ ଥର କଳାହାଣ୍ଡି ଯାଇ ବିକାଶ ଓ କଲ୍ୟାଣ କାମ ଆରମ୍ଭ କରିଛନ୍ତି । ବିକାଶ ପ୍ରତି କଳାହାଣ୍ଡିବାସୀଙ୍କର ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସାଥିରେ ଧରି ବିକାଶ ଧାରା ଆଗକୁ ବଢିବ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସ୍ବାସ୍ଥୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ବରଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଲାଞ୍ଜିଗଡ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions