Connect with us

ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ଇନ୍‌ଫୋ ଭ୍ୟାଲି ଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D Glass Solution ର ଅତ୍ୟାଧୁନିକ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି ଯେ ଓଡ଼ିଶା ପାଇଁ ଏକ ନୂତନ ବିକାଶର ଯୁଗର ଆରମ୍ଭ ହୋଇଛି।

ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭବିଷ୍ୟତରେ ଏହାକୁ ଆଇଟି ହବ ଭାବେ ବିକଶିତ କରିବା ପାଇଁ ଆମ ପ୍ରୟାସ ଜାରି ରହିବ। ଆଜିର ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। 3D Glass Solutionର ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ୟୁନିଟ୍ ର ପ୍ରଡକ୍ଟ ହେଉଛି ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଦିନ କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରଶିପ୍ ଯାତ୍ରା ପାଇଁ ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ। ସେ କହିଥିଲେ ଯେ, ଏହି ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଏକ ଆଡଭାନ୍ସଡ୍ 3D ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ସୁବିଧା ସୃଷ୍ଟି କରିବ। ଏହି ୟୁନିଟ୍‌ରେ ଉତ୍ପାଦିତ କମ୍ପୋନେଣ୍ଟଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ଭଳି ବିକାଶଶୀଳ କ୍ଷେତ୍ରରେ ଗୁରୁତ୍ୱ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ, Intel, Lockheed Martin ଓ Applied Materials ପରି ବିଶ୍ୱସ୍ତରୀୟ ସଂସ୍ଥାମାନେ 3D Glass Solution ସହ ଯୋଡିହେବା ଓଡ଼ିଶା ପ୍ରତି ବିଶ୍ୱର ବୃଦ୍ଧି ପାଉଥିବା ଭରସାର ପ୍ରମାଣ। ଓଡ଼ିଶା ଆଜି ନିବେଶକମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ।

ସୂଚନା ଯୋଗ୍ୟ ଯେ ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ହେଉଥିବା ଏହି ପ୍ରକଳ୍ପ ବର୍ଷକୁ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ 3DHI ମଡ୍ୟୁଲ୍ ଉତ୍ପାଦନ କରିବ। ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ।

ସେ କହିଥିଲେ ଯେ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆସିସାରିଛି। RIR Power Electronics ଓ SiCSEM ପରି ସଂସ୍ଥାମାନେ ପୂର୍ବରୁ ରାଜ୍ୟରେ ୟୁନିଟ୍ ସ୍ଥାପନ କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଲଞ୍ଚପ୍ୟାଡ୍ ହେବ ବୋଲି ସେ କହିଥିଲେ।

 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଅମିତେଶ ସିନ୍ହା, 3D Glass Solutionର ପ୍ରେସିଡେଣ୍ଟ ଓ ସିଇଓ ଶ୍ରୀ ବାବୁ ମନ୍ଦାବାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ତାଳଚେର ସାର କାରଖାନା ଆସନ୍ତା ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ : ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

Published

on

ଭୁବନେଶ୍ୱର : ତାଳଚେର ସାର କାରଖାନାକୁ ଆସନ୍ତା ଡ଼ିସେମ୍ବର 2027 ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିର୍ଦେଶ ଦେଇଛନ୍ତି ।

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ( ଟିଏଫଏଲ ) କାର୍ଯ୍ୟକାରୀ ଅଗ୍ରଗତି ସଂପର୍କରେ ଗତକାଲି ସଂଧ୍ୟାରେ ଶ୍ରୀମତୀ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ , ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଓପିଟିସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଶର୍ମା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଟିପିସିଓଡିଏଲ, ଅତିରିକ୍ତ ରେଲଓ୍ୱେ ମଣ୍ଡଳ ପ୍ରବନ୍ଧକ (ଏଡିଆରଏମ୍), ଖୋର୍ଦ୍ଧା, ପୂର୍ବତଟ ରେଳପଥ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ବୈଠକରେ ଟିଏଫଏଲ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟା ଓ ସେସବୁର ତ୍ୱରିତ ସମାଧାନ ନେଇ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପ ଡିସେମ୍ବର ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କରାଯାଉଥିବା “ପ୍ରଗତି” ପ୍ଲାଟଫର୍ମରେ ସ୍ଥାନ ପାଇ ଅଛି ।

ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପ କାର୍ଯ୍ୟକାରିତାରେ ଆବଶ୍ୟକ ହେଉଥିବା ୨୨୦ କେଭି ଲାଇନ୍ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ଆଗାମୀ ୨୦୨୬ ଡିସେମ୍ବର ସୁଦ୍ଧା ଯୋଗାଇଦେବା ପାଇଁ ଓପିଟିସିଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ସେହିଭଳି ୩୩ କେଭି ଲାଇନ୍ ଯିବା ପାଇଁ ରେଲଓ୍ୱେ ସାଇଡିଂ କାର୍ଯ୍ୟ କରାଯିବା ନେଇ ପଦକ୍ଷେପ ନିଆଯାଇଛି । ରହୁଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ, ଧାର୍ଯ୍ୟ ଅନୁସାରେ ବିସ୍ଥାପନ କ୍ଷତିପୂରଣ ଆଦି ସଂପର୍କରେ ବୈଠକରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିଲା ।

ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ହେଉଛି ଏକ ସଂଯୁକ୍ତ ଉଦ୍ୟମ କମ୍ପାନୀ, ଯାହା ପ୍ରମୁଖ ସରକାରୀ ଉଦ୍ୟୋଗ ସମୂହ, କୋଲ୍ ଇଣ୍ଡିଆ ଲିମିଟେଡ୍ , ଗେଲ୍ (ଇଣ୍ଡିଆ) ଲିମିଟେଡ୍, ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଏବଂ ଫର୍ଟିଲାଇଜର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଗଠିତ ହୋଇଛି । ଓଡ଼ିଶାର ତାଳଚେରରେ ଅବସ୍ଥିତ ଏହି ଟିଏଫଏଲ ର ମୂଳ ଧାରଣା ହେଉଛି ଦେଶୀୟ କୋଇଲା ସମ୍ପଦକୁ ବ୍ୟବହାର କରି କୋଲ୍ ଗ୍ୟାସିଫିକେସନ୍ ପ୍ରକ୍ରିୟା ମାଧ୍ୟମରେ ୟୁରିଆ ଉତ୍ପାଦନ କରିବା ।

ଏହି ପ୍ଲାଣ୍ଟର ବିଶେଷତା ହେଉଛି, ଏହା ଆମଦାନୀକୃତ ଗ୍ୟାସ ଉପରେ ନିର୍ଭର ନକରି ସ୍ଥାନୀୟ କୋଇଲାକୁ ବ୍ୟବହାର କରିବାକୁ ଲକ୍ଷ୍ୟ କରିଛି । ଏହା ଭାରତର ସ୍ୱୟଂନିର୍ଭରତା ନୀତି ସହ ସମନ୍ୱୟ ରଖି, ଫର୍ଟିଲାଇଜର୍ ଆମଦାନି ଉପରେ ନିର୍ଭରତା କମେଇବା ସହିତ ଦେଶୀୟ କୋଇଲା ସମ୍ପଦର ସଦ୍ ବ୍ୟବହାରକୁ ଉତ୍ସାହିତ କରେ ।

 

Continue Reading

Nation

ରାଜ୍ୟ ଯୋଜନା ବୋର୍ଡ ସ୍ଥାନରେ ନୀତି ଆୟୋଗ ଢାଞ୍ଚାରେ ହେବ ସିଟି ଓଡିଶା

Published

on

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ସ୍ଥାନରେ ସରକାର ଖୁବ ଶୀଘ୍ର କେନ୍ଦ୍ରର ନୀତି ଆୟୋଗ ଢାଞ୍ଚାରେ ସିଟି ଓଡିଶା (State Institute for Transformative Initiatives) ପ୍ରତିଷ୍ଠା କରିବେ। ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି।

 

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ପୂର୍ବରୁ ୧୮ ଜୁଲାଇ ୨୦୨୪ ରେ ‘ରାଜ୍ୟ ଯୋଜନା ବୋର୍ଡ’ (State Planning Board)କୁ ଭାଙ୍ଗି ଦେଇଛନ୍ତି। ଯେହେତୁ ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ହୋଇପଡ଼ିଛି, SITI Odisha ବର୍ତ୍ତମାନ ସମୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିବ।

ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ଆଧୁନିକ ଚିନ୍ତାଧାରା ସହିତ ଇନୋଭେସନ, କୋ-ଅପରେଟିଭ୍ ଫେଡେରାଲିଜିମ୍ ଏବଂ ମାପଯୋଗ୍ୟ ଫଳାଫଳ ସମ୍ପର୍କରେ ପରାମର୍ଶ ଯୋଗାଇଦେବ । ଏହା ସର୍ବୋଚ୍ଚ ସ୍ତରରେ ସରକାରଙ୍କୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରିବ।

SITI-Odisha ମୁଖ୍ୟତଃ ଛଅଟି ବିଷୟ ଉପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ:

୧. ଅର୍ଥନୀତି ଓ ଅର୍ଥ

୨. ଗ୍ରାମୀଣ ଅର୍ଥନୀତି ଓ ଜୀବିକା

୩. ନିଯୁକ୍ତି ଓ ସହରୀ ବିକାଶ

୪. ଚିନ୍ତାଧାରା ଓ ଇନୋଭେସନ

୫. ଶକ୍ତି ପରିବର୍ତ୍ତନ (Energy Transition)

୬. ପରିବେଶ ଓ ଜଙ୍ଗଲ ଏବଂ ଖଣି ଓ ପ୍ରାକୃତିକ ସମ୍ପଦ

SITI-Odisha ର ଏକ ଗଭର୍ଣ୍ଣିଙ୍ଗ କାଉନସିଲ୍ ରହିବ। ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣ କାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ପେଶାଲ ଇନ୍‌ଭାଇଟି ରହିବେ। ଏହି ପରିଷଦ ବର୍ଷକୁ ଅତିକମରେ ଥରେ ବୈଠକ କରିବେ। ସିଟି ଓଡିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ।

ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ।

ମୁଖ୍ୟମନ୍ତ୍ରୀ ଜଣେ ଚିଫ ଏକ୍‌ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ। ସିଇଓ IAS କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା କମିଶନର-ତଥା-ସଚିବ ପାହ୍ୟାର ହୋଇଥିବେ।

ଏଥିସହିତ, ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ଏକ ବହୁମୁଖୀ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ ୟୁନିଟ୍ (PIU) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ।

SITI Odisha ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ ଅଫିସ ମଧ୍ୟ ରହିବ। ଏହା evidence-driven governance ପାଇଁ ଏକ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରିବ।

SITI-Odisha ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।

Continue Reading

Nation

ନରୱେ ସହାୟତାରେ ଓଡିଶାରେ ସାମୁଦ୍ରିକ ଅର୍ଥନୀତିର ଉନ୍ନତି ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

Published

on

ଭୁବନେଶ୍ୱର : ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷାକରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ (Ministry of Earth Science) ମଧ୍ୟରେ ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଏକ MoU ସ୍ବାକ୍ଷରିତ ହୋଇଛି

 

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପୂଜା ମିଶ୍ର ଓ National Centre for Coastal Researchର ନିର୍ଦ୍ଦେଶକ ଡକ୍ଟର ଆର୍‌.ଏସ୍. କନ୍‌କରା ଏହି MoUରେ ସ୍ବାକ୍ଷର କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP କାର୍ଯ୍ୟକାରୀ ହେବାଦ୍ବାରା ରାଜ୍ୟର ନୀଳ ଅର୍ଥନୀତି (Blue-Economy) ର ଉନ୍ନତି ହେବା ସହିତ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ମଧ୍ୟ ହୋଇପାରିବ। ସ୍ଥାନୀୟ ଉପକୂଳ ଅର୍ଥନୀତିର ଉନ୍ନତି ସହିତ ସାମୁଦ୍ରିକ ଜୀବଜଗତ ସୁରକ୍ଷିତ ରହିବେ। ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ ଏହି MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ୨୦୧୯ ମସିହା ଠାରୁ ଦେଶରେ Sustainable Ocean Planning ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହା କାର୍ଯ୍ୟକାରୀ କରୁଛି। ଓଡିଶାର ଉପକୂଳ ଅର୍ଥନୀତି ଏବଂ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP ଏକ ସମୟ ଉପଯୋଗୀ ପଦକ୍ଷେପ। ଏହା ଆମର ମତ୍ସ୍ୟଚାଷ, ପର୍ଯ୍ୟଟନ, ବନ୍ଦର, ସାମୁଦ୍ରିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ମେରାଇନ୍ ଇକୋସିଷ୍ଟମର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ଅଗଷ୍ଟ ମାସରେ ସାମୁଦ୍ରିକ ପର୍ଯ୍ୟାବରଣର ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ପାଇଁ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ କରିବାକୁ OMBRIC (Odisha Marine Biotechnology Research and Innovation Corridor) ଆରମ୍ଭ କରାଯାଇଥିଲା। ଏହା ଆମର ବର୍ତ୍ତମାନର MSP କାର୍ଯ୍ୟକ୍ରମକୁ ସୁଦୃଢ କରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ଦୃଢ ସମର୍ଥନ ଦେଇଆସିଛନ୍ତି। ଓଡିଶାର ବିକାଶ ପ୍ରତି ତାଙ୍କର ଫୋକସ ଯୋଗୁ Sustainable Ocean Planning ର ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିବାର ସୁଯୋଗ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ନିଜର ମତାମତ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ନେସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ବା NCCR ହେଉଛି ସାମୁଦ୍ରିକ ଗବେଷଣାରେ ଏକ ଅଗ୍ରଣୀ ଅନୁଷ୍ଠାନ। ସାମୁଦ୍ରିକ ଜୀବଜଗତର ସୁରକ୍ଷା, ପରିବେଶ ପରିବର୍ତ୍ତନର ପ୍ରଭାବ ଏବଂ ସାମୁଦ୍ରିକ ସମ୍ବଳର ଉନ୍ନତ ବ୍ୟବହାର ଦିଗରେ ଏହି ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ମଡେଲ୍ ପ୍ରସ୍ତୁତକରିଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ MSPର ସଫଳତା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ୨୦୩୬ ଓ ୨୦୪୭ର ପରିକଳ୍ପନାକୁ ସଫଳ କରିବା ପାଇଁ ଏହି MSP ଏକ ମହତ୍ବପୂର୍ଣ୍ଣ ଅଭିଯାନ। ମତ୍ସ୍ୟ, ପର୍ଯ୍ୟଟନ ଏବଂ ସାମୁଦ୍ରିକ ଉତ୍ସ ଗୁଡିକର ସର୍ବାଧିକ ବିନିଯୋଗ ସହିତ ପର୍ଯ୍ୟାବରଣର ସୁରକ୍ଷା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।

କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଭିଜନ ୨୦୪୭ ପାଇଁ ଦେଶକୁ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ। ତା ସହିତ ପରିବେଶ ପରିବର୍ତ୍ତନର ଆହ୍ବାନକୁ ମଧ୍ୟ ମୁକାବିଲା କରିବାକୁ ହେବ। ଆମର ବ୍ଲୁ-ଇକୋନୋମି ଯେପରି ସଷ୍ଟେନେବଲ୍ (ଦୀର୍ଘସ୍ଥାୟୀ) ହେବ, ସେଥିପାଇଁ ଏହି MSP ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ରୟାଲ ନରୱେଜିଆନ୍ ଏମ୍ବାସୀର ଡେପୁଟି ଆମ୍ବାସାଡର ମିଷ୍ଟର ଅର୍‌ଭିନ୍ ଗାଡ୍‌ଗିଲ କହିଲେ ଯେ, ସାମୁଦ୍ରିକ ଅର୍ଥନୀତି ତଥା ପର୍ଯ୍ୟାବରଣର ସୁରକ୍ଷା ପାଇଁ ଓଡିଶାର ଏହି ଉଦ୍ୟମରେ ନରୱେ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଟେକ୍ନୋଲୋଜି ଭିତ୍ତିକ ସମ୍ବଳ ପରିଚାଳନା ଜରିଆରେ ଓଡିଶାର ଲୋକଙ୍କ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions