ଭୁବନେଶ୍ୱର: ପରିବେଶ ସାଙ୍ଗକୁ ଦେଖିଥିବା ଓ ଭୋଗିଥିବା ଜୀବନ ଜଣେ ଲେଖକକୁ ସୃଷ୍ଟିଶୀଳ ହେବାକୁ ଆଗ୍ରହୀ କରାଏ ବୋଲି ବିଶିଷ୍ଟ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ପ୍ରକାଶ କରିଛନ୍ତି | ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତୀ ଇନ୍ଦ୍ରସିଂ “ମୋ ସୃଜନ: ମୋ ଜୀବନ” ଶୀର୍ଷକ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ସେ ତାଙ୍କ ସୃଜନ ପ୍ରେରଣା ଓ ପୃଷ୍ଠଭୂମି, ପ୍ରଥମ ପ୍ରକାଶିତ ଲେଖା ଓ ବହି, ନିଜର ପସନ୍ଦ, ଲେଖାଲେଖିର ବିଷୟବସ୍ତୁ, ସ୍ମରଣୀୟ ଘଟଣା, ପାଠକୀୟ ପ୍ରତିକ୍ରିୟା ସମେତ ସମକାଳୀନ ଓଡ଼ିଆ ଗଳ୍ପର ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ | ସେ ସୁବ୍ରତ ସେନାପତି, ପବିତ୍ର ମୋହନ କର ଓ ନନ୍ଦ କିଶୋର ବିଶ୍ୱାଳ ପ୍ରମୁଖଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ |
କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା କାର୍ଯ୍ୟାଳୟର ପ୍ରାକ୍ତନ ଅଧିକାରୀ ତଥା ପ୍ରାବନ୍ଧିକ ଡ଼. ମିହିର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଏ ମାସର କବି ‘ଭାବରେ ଯୋଗ ଦେଇ ତରୁଣ କବି ସଂଗ୍ରାମ ମହାରଣା ସ୍ୱରଚିତ କବିତା ପାଠ କରିଥିଲେ | ଟ୍ରଷ୍ଟର ସଭାପତି ସୂର୍ଯ୍ୟ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଲେଖକ ପ୍ରଦୀପ୍ତ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ |
ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା କବିତା ପାଠୋତ୍ସବରେ ସ୍ନେହ ଦାସ ଲେଙ୍କା ଓ ଜୟଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ପାଣିଗ୍ରାହୀ, ଉଷାରାଣୀ ଆଚାର୍ଯ୍ୟ, ପ୍ରହରାଜ ଜୟ ନାରାୟଣ ନନ୍ଦ, ଅନୁସୟା ବାରିକ, ଅଲେଖ ରାଉତ, ଦେବରାଜ ବିଶୋଇ, ଅଂକୁର ଦିଣ୍ଡା, ପ୍ରିୟରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ପବିତ୍ର ମୋହନ ବାରିକ, ମଦନ ବିଶ୍ୱାଳ, କୁମୁଦିନୀ ଜୀ, ଅଶୋକ ସିଂହ, ସବିତା ଶତପଥି, ମିନତି ମିଶ୍ର, ମନମୋହନ ମିଶ୍ର ବିରଞ୍ଚି ଶତପଥି, ପିତାମ୍ବର ଭୋଇ, ପ୍ରଣତି ପରିଡା, ଚନ୍ଦନ ସିଂହ, ଇତିଶ୍ରୀ ପତି, ଗୀତାଞ୍ଜଳି ଦଳାଇ, ଶୀତଳ ମିଶ୍ର, ସୁନନ୍ଦା ମିଶ୍ର ଓ ନିରୁପମା ରଥ ପ୍ରମୁଖ କବିତା ପାଠ କରିଥିଲେ l ଶେଷରେ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
ଆରମ୍ଭରେ ଅନୁଷ୍ଠାନର ସଦସ୍ୟା ମୋନିକା ମହାପାତ୍ରଙ୍କ ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା l