Nation

ଭୁବନେଶ୍ୱର ରେ ସିକ୍‌ସେମ୍‌ (SiCSem) ର୨୦୦୦ କୋଟି ନିବେଶରେ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ

Published

on

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

 

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡିଶାର ବିକାଶ ଯାତ୍ରା ଆହୁରି ମଜବୁତ୍ ହେଉଛି। ଏହି ମୁହୂର୍ତ୍ତ କେବଳ ଇଟା ଏବଂ ସିମେଣ୍ଟ ବିଷୟରେ ନୁହେଁ; ଏହା ଆକାଂକ୍ଷା, ସ୍ଥିରତା, ସହଯୋଗ, ଏବଂ ଆତ୍ମନିର୍ଭରଶୀଳତାର ଉଦାହରଣ । ଏଥିରେ ଯେଉଁ ସେମିକଣ୍ଡକ୍ଟର ନିର୍ମିତ ହେବ, ତାହା ମିଜାଇଲ, ଇଲେକ୍ଟ୍ରୋନିକ୍ ଗାଡି, ପ୍ରତିରକ୍ଷା ଇକ୍ୟୁପ୍‌ମେଣ୍ଟ, ରେଲୱେ ଓ ସୌରଶକ୍ତି ଭଳି ଆଧୁନିକ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆଜି ଭୁବନେଶ୍ୱର ଆଇ.ଆଇ.ଟି ରେ ମଧ୍ୟ SicSem କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଏକ Research and Innovation Centre ସ୍ଥାପନ କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ତାଙ୍କ MP LAD ଫଣ୍ଡରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇ.ଆଇ.ଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି। ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ବେଙ୍ଗାଲୁରୁ ପରେ, ଆଜି ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବରେ ଉଭା ହେଉଛି । ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଓଡିଶା ଏକ ନୂତନ କାହାଣୀ ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ମିଶନ୍‌ର ସଫଳତାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଦିଲ୍ଲୀରେ ମଧ୍ୟ ଦୁଇଟି କମ୍ପାନୀ ଓଡ଼ିଶାରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ MoU କରିଥିଲେ । ଆଗାମୀ ଦିନରେ ଏହି ଦୁଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ କୋଟି ଟଙ୍କା ନିବେଶ କରିବେ । ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଓଡିଶା ଏକ ହବ୍ ଭାବେ ପରିଗଣିତ ହେବ ।

କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହେଉଛି, ଓଡିଶା ପୂର୍ବୋଦୟର ଗେଟ-ୱେ ଭାବେ ବିକଶିତ ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଶିଳ୍ପ ଏବଂ ଶିକ୍ଷାକୁ ସମନ୍ୱୟ କରି ଆଜି ଆଇ.ଆଇ.ଟି ଭୁବନେଶ୍ୱରରେ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଥିଲେ। ଆଜି ଯୁବ ପିଢି ପାଇଁ ଏ କ୍ଷେତ୍ରରେ ନିଜର ଅଧିକ ଜ୍ଞାନ ଆହରଣ ଓ ଗବେଷଣ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ,  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଇ.ଆଇ.ଟି ଭୁବନେଶ୍ୱର ର ନିର୍ଦ୍ଦେଶକ  ଶ୍ରୀପଦ କର୍ମଲ୍‌କର୍, ଆର୍କେନ୍ କେମିକାଲ୍ ଇଣ୍ଡଷ୍ଟ୍ରୀଜ୍‌ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ରଞ୍ଜିତ ପେଣ୍ଡୁର୍ଥୀ, ସିକ୍‌ସେମ୍ ପ୍ରାଇଭେଟ୍ ଲିମିଟେଡ୍‌ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଗୁରୁ ଥାଲ୍ଲାପାନେନୀ, କ୍ଲାସ୍-ସିକ୍ ୱାଫର୍ ଫ୍ୟାବ୍ ଲିମିଟେଡର ଚିଫ୍ ଏକ୍‌ଜୁକ୍ୟୁଟିଭ୍ ଅଫିସର ମିସ୍ ଜେନିଫର୍ ୱାଲ୍‌ସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version