Entertainment

ପାଞ୍ଚ ବିଶିଷ୍ଟ ପ୍ରତିଭାଙ୍କୁ ଅରୁନ୍ଧତୀ ସମ୍ମାନ

Published

on

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଦ୍ଵାଦଶ ଅରୁନ୍ଧତୀ ଉତ୍ସବରେ ବିଭିନ୍ନ କଳା କ୍ଷେତ୍ରର ୫ ବିଶିଷ୍ଟ କୃତବିଦ୍ୟ କଳାକାରଙ୍କୁ ଅରୁନ୍ଧତୀ ସମ୍ମାନ ରେ ସମ୍ମାନିତ କରାଯାଇଛି। ଅରୁନ୍ଧତୀ ସମ୍ମାନ-୨୦୨୪ରେ ଭୂଷିତ କଳାକାମାନେ ହେଲେ ; ବିଶିଷ୍ଟ ମଞ୍ଚ ତଥା ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଖ୍ୟାତନାମା ଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ବୀଣାପାଣି ରଥ, ବିଶିଷ୍ଟ ଶାସ୍ତ୍ରୀୟ ମର୍ଦ୍ଦଳବାଦକ ସଚ୍ଚିଦାନନ୍ଦ ଦାସ, ସ୍ଵନାମଧନ୍ୟ କଳାକାର ତଥା ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକର ନିର୍ଦ୍ଦେଶକ ଓ ଅଭିନେତା ସୀମାଞ୍ଚଳ ପାତ୍ର, ଓଡ଼ିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଂଗୀତ ଶିକ୍ଷାପାଇଁ ବଲାଙ୍ଗୀରସ୍ଥିତ ସଙ୍ଗୀତ ମହାବିଦ୍ୟାଳୟ ସ୍ଵର ଝଙ୍କାର । ଏଥିସହିତ, କଣ୍ଠଶିଳ୍ପୀ, ମଞ୍ଚ କଳାକାର ତଥା ଟିଭି କାର୍ଯ୍ୟକ୍ରମ ଉପସ୍ଥାପିକା ଲୋପିତା ବେହେରାଙ୍କୁ ଅରୁନ୍ଧତୀ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି।

ଶନିବାର ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରସ୍ଥିତ ଉତ୍କଳ ରଙ୍ଗମଞ୍ଚଠାରେ ଅରୁନ୍ଧତୀ ସଂଗଠନ ଆନୁକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅରୁନ୍ଧତୀ ମହୋତ୍ସବରେ ବିଶିଷ୍ଟ ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜ୍ୟ ଭିନ୍ନକ୍ଷମ କମିଶନର ବ୍ରତତୀ ହରିଚନ୍ଦନ ଓ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଭବାନୀ ଶଙ୍କର ଚୟନୀ ଉତ୍ସବକୁ ଉଦଘାଠନ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସୁବୋଧ କୁମାର ଆଚାର୍ଯ୍ୟ ଯୋଗଦେଇ ଆମ କଳା,ସଙ୍ଗୀତ ଓ ନୃତ୍ୟର ସୁମହାନ ଐତିହ୍ୟ, ପରଂପରା ଓ ଉତ୍କଳୀୟ ତଥା ଭାରତୀୟ ସଂସ୍କୃତିର ଶ୍ରେଷ୍ଠତ୍ବ ଓ ଉତ୍କର୍ଷତା ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ସଂଗଠନର ସଭାପତି ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସଂପାଦକ ଦେବାନନ୍ଦ ସାମଲ ବିଗତ ୧୨ବର୍ଷଧରି କଳା ସଂସ୍କୃତିର ବିକାଶ ଓ ବିଶେଷଭାବେ ଶାସ୍ତ୍ରୀୟ ସଙ୍ଗୀତର ପ୍ରସାର ପ୍ରଚାର ଦିଗରେ ଅରୁନ୍ଧତୀ ପକ୍ଷରୁ ଗ୍ରହଣକରାଯାଇଥିବା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ ।

ଭରପୁର ପ୍ରେକ୍ଷାଳୟରେ ଏହି ଶାସ୍ତ୍ରୀୟ ସଂଗୀତ, ନୃତ୍ୟର ଚମତ୍କାର ପ୍ରଦର୍ଶନକୁ ଶତାଧିକ ଦର୍ଶକ ଓ ଅତିଥି ଉପଭୋଗ କରିଥିଲେ। ଆମର ବୈଭବମୟ ସଂସ୍କୃତିକୁ ସଂଗୀତ, ନୃତ୍ୟ ଓ ବାଦ୍ୟ ମାଧ୍ୟମରେ ମଞ୍ଚରେ ଉପସ୍ଥାପନ କରିଥିଲେ ବହୁ ବିଶିଷ୍ଟ କଳାକାର। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତବଲା ବାଦିକା ରିମ୍ପା ଶିବାଙ୍କ ତବଲା ଉପରେ ଯାଦୁକାରୀ ଆଙ୍ଗୁଳି ଚାଳନା ଉପସ୍ଥିତ ଦର୍ଶକଙ୍କୁ ତଲ୍ଲୀନ କରିଦେଇଥିଲା। ଖ୍ୟାତନାମା ନୃତ୍ୟଗୁରୁ ବିଜୟ ସାହୁ ଓ ତାଙ୍କ ଦଳ ଦ୍ଵାରା ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଉତ୍ସବ ଶେଷଯାଏ ବାନ୍ଧି ରଖିଥିଲା।
ଅରୁନ୍ଧତୀ ସଂଗଠନର ମୁଖ୍ୟ କଳା ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ନାୟକଙ୍କ ନେତୃତ୍ଵରେ ଆୟୋଜିତ ଏହି ସମାରୋହରେ ଅଧ୍ୟାପିକା ଡ଼ ସାଇରଶ୍ମି ଜେନା , ବିଶ୍ବଜିତ ଭୋଇ, ଶତୃଘ୍ନ ସାମଲ ପ୍ରମୁଖ ମଞ୍ଚ ପରିଚାଳନା କରିଥିବାବେଳେ ପରିଚାଳନା ସମିତିର ସଭ୍ୟ ବାବୁଲି ସୁନ୍ଦରାୟ, ହେମନ୍ତ ଦାସ, ଡ.ତପନ ବେଉରା ଉତ୍ସବର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଯୁଗ୍ମସଂପାଦକ ବିପିନ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଉମାକାନ୍ତ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଆମ କଳା ଓ ସଂସ୍କୃତିର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାରରେ ବିଗତ ବର୍ଷଗୁଡିକରେ ଗୁରୁ ଦାୟିତ୍ଵ ତୁଲାଇ ଆସିଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ବି ତାର ଦାୟିତ୍ଵ ତୁଲାଇବ ବୋଲି ଅତିଥି ଓ ଦର୍ଶକମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version