ସାହିତ୍ୟ

ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲିଖିତ ‘ଏ ମାଟି କଥା କହେ ଏବଂ ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ ପୁସ୍ତକର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Published

on

 

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ର ଲୋକାର୍ପଣ ଉତ୍ସବ ଆଜି ଶନିବାର ଏଠାରେ ହୋଇଯାଇଛି।

ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଭାରତୀୟ ରାଜନୀତିର ଏକ ବିଶିଷ୍ଟ ନାମ ତଥା ଓଡ଼ିଶାର ଗର୍ବ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ରଚିତ ଓଡ଼ିଆ ପୁସ୍ତକ ‘ଏ ମାଟି କଥା କହେ’ ଏବଂ ଇଂରାଜୀ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦ ଗ୍ରେଟ୍ କମାଣ୍ଡର’ର ଶୁଭ ଉନ୍ମୋଚନ ଅବସରରେ ଉପସ୍ଥିତ ହୋଇ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ।

ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ବକ୍ସି ଜଗବନ୍ଧୁ: ଦି ଗ୍ରେଟ୍ କମାଣ୍ଡର’ ଓଡ଼ିଶାର ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ ଓ ସଂଘର୍ଷର ଗାଥାକୁ ସାରା ଦେଶବାସୀଙ୍କ ନିକଟରେ ପହଞ୍ଚାଇବ ।

ଏହି ପୁସ୍ତକ ଇତିହାସର ଅନାଲୋଚିତ ପ୍ରସଙ୍ଗଗୁଡ଼ିକୁ ଲୋକଲୋଚନକୁ ଆଣି ନୂତନ ଗବେଷଣାର ଦ୍ୱାର ଖୋଲିବ । ଆମେ ସମସ୍ତେ ଜାଣିଛୁ ଯେ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ।

କିନ୍ତୁ, ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏହି ଖୋର୍ଦ୍ଧା ମାଟିରେ ଆରମ୍ଭ ହୋଇଥିଲା ସଶସ୍ତ୍ର ପାଇକ ବିଦ୍ରୋହ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ଯାହା ବୋଧହୁଏ ସାରା ଦେଶରେ ଏପରି ଏକ ସଶସ୍ତ୍ର ସଂଗ୍ରାମ ଏତେ ବ୍ୟାପକ ଭାବେ ପ୍ରଥମ ଥର ପାଇଁ ହୋଇଥିଲା। କିନ୍ତୁ, ଏହି ସଂଗ୍ରାମକୁ ଯେପରି ଭାବେ ମାନ୍ୟତା ମିଳିବା କଥା ଜାତୀୟ ସ୍ତରରେ ହେଉ କି ଓଡିଶାର ଇତିହାସରେ ହେଉ ତାହା ମିଳିପାରି ନାହିଁ। ତେଣୁ, ଶ୍ରୀଯୁକ୍ତ ହରିଚନ୍ଦନଙ୍କ ଦ୍ଵାରା ରଚିତ ଏହି ପୁସ୍ତକ ପାଇକ ବିଦ୍ରୋହ ବିଷୟରେ ଜାତୀୟ ସ୍ତରରେ ଅଧିକ ଆଲୋକପାତ କରିବା ସହ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦେବା ପ୍ରୟାସକୁ ଆହୁରି ମଜବୁତ କରିବ।

ବିଶ୍ୱଭୂଷଣ ବାବୁ ଅନେକ ସମୟରେ ବିଭିନ୍ନ ସଭାସମିତିରେ ତାଙ୍କ ବକ୍ତବ୍ୟରେ ବକ୍ସିଙ୍କ ବୀରତ୍ୱ ସମ୍ପର୍କରେ ଆଲୋକପାତ କରିଥାନ୍ତି । ମୁଁ ଅନେକ ସମୟରେ ସେହି ଭାଷଣ ଶୁଣିଛି । ମୁଁ ଦୃଢ଼ ନିଶ୍ଚିତ ଯେ, ବିଶ୍ୱଭୂଷଣ ବାବୁ ବକ୍ସିଙ୍କ ସାହସ, ବୀରତ୍ୱ, ତ୍ୟାଗ ଓ ସାଲିସ୍‌ବିହୀନ ଗୁଣ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ।

କାରଣ, ଏହି ସବୁ ଗୁଣଗୁଡ଼ିକ, ମୁଁ ବିଶ୍ୱଭୂଷଣ ବାବୁଙ୍କ ପାଖରେ ମଧ୍ୟ ଥିବାର ଅନୁଭବ କରିଛି । ଆଜି ଏହି ପୁସ୍ତକ ଦ୍ୱାରା, ମୁଁ ଆଶା କରୁଛି, ବକ୍ସିଙ୍କ ମହାନ୍‌ ଗୁଣଗୁଡ଼ିକ ଆମ ଯୁବବର୍ଗଙ୍କ ଭିତରେ ମଧ୍ୟ ସଞ୍ଚାରିତ ହେବ ।

ସେହିପରି ‘ଏ ମାଟି କଥା କହେ’ ପୁସ୍ତକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଗଣତନ୍ତ୍ର, ଗଣମାଧ୍ୟମ, ଓଡ଼ିଆ ଜାତିର ଅସ୍ମିତା, ବିଶ୍ୱ ଶାନ୍ତି ଓ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରା ଉପରେ ଆଧାରିତ ୩୦ଟି ଗଭୀର ଚିନ୍ତନାତ୍ମକ ବିଷୟ ସାମିଲ ହୋଇଛି, ଯାହା ସମସ୍ତ ବର୍ଗର ପାଠକଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ମୁଁ ଆଶା କରୁଛି ଏହି ପୁସ୍ତକର ଇଂରାଜୀ ଅନୁବାଦ ମଧ୍ୟ ଆଗାମୀ ଦିନରେ ଉପଲବ୍‌ଧ ହେବ । ତା’ହେଲେ ଏହି ସବୁ ବିଷୟରେ ସାରା ଦେଶର ପାଠକ ଜାଣିବାକୁ ପାଇବେ ।

ହରିଚନ୍ଦନଙ୍କର ଅନେକ ନାଟକ, ପ୍ରବନ୍ଧ ଓ ଗଳ୍ପ ସଂକଳନ ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଛି ।

ତାଙ୍କ ପ୍ରେରଣାଦାୟୀ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’, ପାଠକ ମହଲରେ ଅନେକ ପ୍ରଂଶସା ସାଉଁଟିଛି । ଏହି ଗ୍ରନ୍ଥଗୁଡ଼ିକର ଇଂରାଜୀ, ହିନ୍ଦୀ ଓ ତେଲୁଗୁ ଅନୁବାଦ ମାଧ୍ୟମରେ ସେ ସାରା ଦେଶରେ ଓଡ଼ିଆ ସାହିତ୍ୟ ଓ ଚିନ୍ତାଧାରାକୁ ପରିଚିତ କରାଇଛନ୍ତି   ।

ଏପରି ଜଣେ ଅନୁଭବୀ ମହାନ୍‌ ସାରସ୍ୱତ ସାଧକଙ୍କ ଲେଖନୀରୁ ଜନ୍ମ ନେଇଥିବା ଏହି ପୁସ୍ତକଗୁଡ଼ିକ ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଓ ସାଧାରଣ ପାଠକ — ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଫେସର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଝରୀ, ପୁସ୍ତକଦ୍ବୟର ରଚୟତା ବିଶ୍ୱଭୂଷଣ ହରିଚନ୍ଦନ,ସମ୍ବାଦ ଅଧକ୍ଷ ସୌମ୍ୟରଞ୍ଜନ ପଟନାୟକ ପ୍ରମୁଖ ମଞ୍ଚ ମଣ୍ଡନ କରିଥିଲେ । ପ୍ରଫେସର ଭଗବାନ ଜୟସିଂହ   ପୁସ୍ତକ ସମ୍ପର୍କିତ ସୂଚନା ଦେଇଥିଲେ।

 

Leave a Reply

Your email address will not be published. Required fields are marked *

Trending

Exit mobile version