ଭୁବନେଶ୍ୱର ୫/୧ : ଦୀର୍ଘ ୧୮ ବର୍ଷ ପରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଏକ ନୀରବ ବିପ୍ଳବରେ ପରିଣତ ହୋଇଛି । ମା’ ମାଉସୀମାନଙ୍କ ଭିତରେ ନୂଆ ଜାଗରଣ ଆଣିଛି । ୭୦ ଲକ୍ଷ ମହିଳା ଓ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ବିରାଟ ପରିବାର ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ଯୋଗଦାନ ରଖିପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀଠାରେ ମିଶନଶକ୍ତି ପକ୍ଷରୁ ଆୟୋଜିତ ମହିଳା ମହା ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମା’ ମାନଙ୍କର ଉନ୍ନତି ବିନା କୌଣସି ଦେଶ ବା ସମାଜ ଆଗେଇ ପାରିବ ନାହିଁ । ଏହାକୁ ଲକ୍ଷ୍ୟ ରଖି ୨୦୦୧ରେ ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମା’ମାନଙ୍କର କଲ୍ୟାଣ ଉପରେ ମୁଁ ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଇଆସିଛି । ସେମାନଙ୍କ ପାଇଁ ମମତା କାର୍ଯ୍ୟକ୍ରମ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା, ମହିଳା ଏସ୍ଏଚ୍ଜିଙ୍କ ପାଇଁ ଏକ ପ୍ରତିଶତ ସୁଧରେ ଋଣ ପ୍ରଦାନ ଆଦି କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ମା’ମାନଙ୍କ ଡିଜିଟାଲ ଏମ୍ପାୱାରମେଣ୍ଟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ପ୍ରତି ପଞ୍ଚାୟତରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁ ମହିଳାଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସରକାର ଏହି କାର୍ଯ୍ୟକୁ ଆଗକୁ ନେଇଛନ୍ତି । ପଞ୍ଚାୟତ ଓ ପୌର ସଂସ୍ଥାରେ ଏମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସଂସଦ ଓ ବିଧାନସଭାରେ ମଧ୍ୟ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୋର ଏକ ପ୍ରସ୍ତାବକୁ ବିଧାନସଭା ଗ୍ରହଣ କରିଛି । ପ୍ରତ୍ୟେକ ମିଶନଶକ୍ତି ଗୋଷ୍ଠୀ ଓ ମହିଳା ସଫଳ ହୁଅନ୍ତୁ ଓ ସଶକ୍ତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ୱର ଆସିଲେ ନବୀନ ନିବାସ ଆସି ମୋତେ ଭେଟିଲେ ମୁଁ ଖୁସି ହେବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଏସ୍ଏଚଜିମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ନୂତନ ଭାବେ ଗଠନ କରାଯାଇଥିବା ସ୍ୱୟଂସହାୟକ ଗୋଷ୍ଠୀକୁ ନିଜସ୍ୱ ପାଣ୍ଠି ବୃଦ୍ଧି କରିବା ଓ ବ୍ୟାଙ୍କ ସୂତ୍ରରୁ ଅଧିକ ପରିମାଣରେ ଆର୍ଥିକ ସହାୟତା ପାଇବାକୁ ସକ୍ଷମ କରିବା ନିମନ୍ତେ ସମସ୍ତ ନୂତନ ସ୍ୱୟଂ ସହାୟକ ଗୋଷ୍ଠୀରୁ ସିଡ଼୍ ମନି ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଏପ୍ରିଲ ୨୦୧୭ ପରଠାରୁ ନୂତନ ଭାବେ ଗଠନ କରାଯାଇଥିବା ରାଜ୍ୟର ୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଉଛି । ପୁରୀ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାର୍ଯ୍ୟକ୍ରମରେ ୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି ଓ ସମଗ୍ର ରାଜ୍ୟରେ ୩ ଲକ୍ଷ ଗୋଷ୍ଠୀଙ୍କୁ ୪୨୫ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଛି । ସେହିଭଳି ଡିଜିଟାଲ ସଶକ୍ତିକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି । ପୁରୀ ଜିଲ୍ଲାରେ ୧୭ ହଜାର ୬୨୪ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ୫.୨୯ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ମାର୍ଟ ଫୋନ ପାଇଁ ୧୮୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ବ୍ଲକ୍ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ବ୍ଲକ୍ ମହାସଂଘ ଗୁଡ଼ିକୁ ୨୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲାରେ ୧୨ଟି ବ୍ଲକ୍ ସ୍ତରୀୟ ମହାସଂଘକୁ ୩ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ଋଣ ଦିଆଯିବ । ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ନିମନ୍ତେ ଯଥାକ୍ରମେ ୫୦୦ ଓ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନର ଉଦ୍ଘାଟନ କରିଥିଲେ । ମହିଳାମାନଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସଶକ୍ତିକରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୦୧ ମାର୍ଚ୍ଚ ୮ରେ ମିଶନ ଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏହି ମହିଳା ସମାବେଶରେ ମିଶନ ଶକ୍ତି କମିଶନ ସୁଜାତା କାର୍ତ୍ତିକେୟନ ସ୍ୱାଗତ ଭାଷଣ ଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମାବେଶରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ପୁରୀ ସାଂସଦ ପିନାକୀ ମିଶ୍ର, ସାଂସଦ କୁଳମଣୀ ସାମଲ, ବିଧାୟକ ସଞ୍ଜୟ ଦାସ ବର୍ମା, ସମୀର ରଞ୍ଜନ ଦାସ, ଉମାକାନ୍ତ ସାମନ୍ତରାୟ, ସୁରେନ୍ଦ୍ର ସେଠୀ ଓ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ ।