Connect with us

ଭୁବନେଶ୍ୱର ୧୯/୫ : ବାତ୍ୟା ପୂର୍ବର ପ୍ରସ୍ତୁତିମୂଳକ ପଦକ୍ଷେପ ଯୋଗୁଁ ଜୀବନହାନୀ ରୋକା ଯାଇପାରିଛି । ବାତ୍ୟା ପୂର୍ବରୁ ପ୍ରାକ୍-ପ୍ରସ୍ତୁତି ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ଆବଶ୍ୟକତାକୁ ଯୁଦ୍ଧକାଳନୀ ଭିତ୍ତିରେ ପୂରଣ କରାଯାଇପାରିଛି । ବାତ୍ୟା ପୂର୍ବରୁ ପାନୀୟଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ପୌରାଞ୍ଚଳର ଜଳଭଣ୍ଡାର ଗୁଡ଼ିକୁ ପୂର୍ଣ୍ଣ କରି ରଖାଯାଇଥିଲା । ବାତ୍ୟା ପରେ ପରେ ସହରାଞ୍ଚଳ ଚଳଯୋଗାଣକୁ ବ୍ୟବସ୍ଥିତ କରିବା ପାଇଁ ବିଶେଷଜ୍ଞମାନଙ୍କୁ କୋଲକାତାରୁ ବାୟୁସେନା ହେଲିକପ୍ଟର ଓ ଗୁଜୁରାଟରୁ ବିମାନରେ ଯନ୍ତ୍ରାଂଶ ମୁଣ୍ଡଳି ଠାରେ ପହଞ୍ଚାଇ ଜେନସେଟ୍ ଉପଯୋଗ କ୍ରମେ ଭୁବନେଶ୍ୱରକୁ ଜଳଯୋଗାଣ ସମ୍ଭବ ହୋଇପାରିଥିଲା ବୋଲି ରାଜ୍ୟ ସରକାର କହିଛନ୍ତି ।
ସେହିଭଳି ଗ୍ରାମାଞ୍ଚଳ ପାଇପ୍ ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱଳ୍ପ ସମୟ ମଧ୍ୟରେ କାର‌୍ୟ୍ୟକ୍ଷମ କରିବା ସହ ଟ୍ୟାଙ୍କର, ପିଭିସି ଟ୍ୟାଙ୍କ ଇତ୍ୟାଦି ମାଧ୍ୟମରେ ଜଳଯୋଗାଣ କରାଗଲା । ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜଳଯୋଗାଣ ସ୍ଥିତି କମ ସମୟ ମଧ୍ୟରେ ଶତପ୍ରତିଶତ ସ୍ୱାଭାବିକ ହୋଇପାରିବା ପୂର୍ବପ୍ରସ୍ତୁତି ଯୋଗୁଁ ହୋଇପାରିଲା । ବାତ୍ୟାରେ ମୃତାହତଙ୍କ ସଂଖ୍ୟା କମିବାର ପ୍ରଧାନ କାରଣ ହେଉଛି ପ୍ରାକ୍-ପ୍ରସ୍ତୁତି । ଆଗତୁରା ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ ଯୋଗୁଁ ମୃତ୍ୟୁସଂଖ୍ୟା ୬୪ରେ ସୀମିତ ରହିଲା
ଅନ୍ୟପକ୍ଷରେ ମୋଜାମ୍ବିକରେ ଅଳ୍ପ କିଛିଦିନ ତଳେ ଏହି ଧରଣର ବାତ୍ୟାରେ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପୂର୍ବପ୍ରସ୍ତୁତି ଓ ତତ୍ପରତା ସହ ରିଲିଫ୍ ବିତରଣ, ପୁନଃନିର୍ମାଣ ଓ ପୁନରୁଦ୍ଧାର କାର‌୍ୟ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି । କେନ୍ଦ୍ରୀୟ ପ୍ରତିନିଧି ଦଳ ବାତ୍ୟା ପରିଚାଳନା ଗତ ପ୍ରସ୍ତୁତି ଉଦ୍ଧାର ଏବଂ ପୁନଃନିର୍ମାଣ କାର‌୍ୟ୍ୟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ମୋଟାମୋଟି ଭାବରେ ‘ଫନୀ’ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମ, ବିପର‌୍ୟ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନ, ବିଭିନ୍ନ ବିଭାଗ ତଥା ସ୍ୱେଚ୍ଛାସେବୀମାନଙ୍କ ଅହର୍ନିଶ କାର‌୍ୟ୍ୟ ଅବ୍ୟାହତ ରହିଛି ।
ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ଆଉ ଅଧିକ ୧୪,୦୩୭ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦେବା ଫଳରେ ଏହି ସଂଖ୍ୟା ୧ ଲକ୍ଷ ୩୫ ହଜାର ୪୦ରେ ପହଞ୍ଚିଛି । ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ଆଉ ଅଧିକ ୮,୨୫୯ ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଦେବା ଫଳରେ ଏହି ସଂଖ୍ୟା ୧ ଲକ୍ଷ ୮ ହଜାର ୫୦ରେ ପହଞ୍ଚିଛି ।
ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସହାୟତା ବିତରଣରେ ଯୁଦ୍ଧକାଳୀନ ତତ୍ପରତା ପ୍ରକାଶ ପାଇଛି । ଏହି ସହାୟତା ପୁରୀ ଜିଲ୍ଲାରେ ୯୪.୧, ଖୋର୍ଦ୍ଧା ଜିଲ୍ଲାରେ ୯୮.୩, ଜଗତସିଂହପୁର ଜିଲ୍ଲାରେ ୯୫, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୯.୩, କଟକ ଜିଲ୍ଲାରେ ୯୭.୭, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୭.୨ ପ୍ରତିଶତ ହୋଇଥିବାବେଳେ ହାରାହାରି ୯୫ ପ୍ରତିଶତରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ନଗଦ ଅର୍ଥ ଦିଆଯାଇଛି । ପୁରୀ ଜିଲ୍ଲାରେ ୯୬.୬, ଜଗତସିଂହପୁରରେ ୯୯, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୭.୩୪, କଟକ ଜିଲ୍ଲାରେ ୯୮.୫, ବିଏମ୍ସି ଅଞ୍ଚଳରେ ୭୭.୩, ଖୋର୍ଦ୍ଧା ଜିଲ୍ଲାରେ ୯୪.୬ ପ୍ରତିଶତ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଇଥିବାବେଳେ ସମୁଦାୟ ହାରାହାରି ୯୪ ପ୍ରତିଶତରୁ ଊଦ୍ଧ୍ୱର୍ ହିତାଧିକାରୀ ଏହି ସୁବିଧା ପାଇଛନ୍ତି ।
ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ନିରନ୍ତର ଉଦ୍ୟମ କ୍ରମେ ଟେଲିଯୋଗାଯୋଗ ଓ ମୋବାଇଲ୍ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି । ଖୋର୍ଦ୍ଧା ଜିଲ୍ଲାରେ ୮୩ ପ୍ରତିଶତରୁ ବୃଦ୍ଧିପାଇ ୮୫ ପ୍ରତିଶତ ମୋବାଇଲ୍ ଟାୱାର କାର‌୍ୟ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାର ୫୯ ପ୍ରତିଶତ ଓ କଟକ ଜିଲ୍ଲାର ୯୩ ପ୍ରତିଶତ ମୋବାଇଲ୍ ଟାୱାର କାର‌୍ୟ୍ୟକ୍ଷମ ହୋଇଛି । ସେହିପରି ଭୁବନେଶ୍ୱର ସହରରେ ୮୬%, ପୁରୀ ସହରରେ ୬୦% ଓ କଟକ ସହରରେ ୯୩% ମୋବାଇଲ ଟାୱାର କାର‌୍ୟ୍ୟକ୍ଷମ ହୋଇଛି । ପୁରୀ ସହରରେ ବର୍ତ୍ତମାନ ସୁଦ୍ଧା ମୋଟ ୨୩ଟି କାଓ କାର‌୍ୟ୍ୟ କରୁଛି । ଆଜିଠାରୁ ବ୍ରହ୍ମଗିରିଠାରେ ବିଏସଏନଏଲ୍ କାଓ କାର‌୍ୟ୍ୟ କରୁଛି । । ଏୟାରଟେଲର ୧୦ଟି, ଜିଓର ୬ଟି ଏବଂ ଭୋଡ଼ାଫୋନ ଆଇଡିଆର ୬ଟି କାଓ କାର‌୍ୟ୍ୟ । କରୁଛି । ପୁରୀରେ ୨୩ଟି ବେସ୍ ଟ୍ରାନ୍ସରିସିଭର ଷ୍ଟେସନ୍ କାର‌୍ୟ୍ୟ କରୁଛି । ଖୋର୍ଦ୍ଧା ଏବଂ କଟକରେ ବିଏସ୍ଏନ୍ଏଲ୍ ଫିକ୍ସଡ୍ ଲ୍ୟାଣ୍ଡଲାଇନ୍ ଶତପ୍ରତିଶତ କାର‌୍ୟ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୪୧ରୁ ୩୪ଟି କାର‌୍ୟ୍ୟ କରୁଛି । ପୁରୀ ଜିଲ୍ଲା ପାଇଁ ଇଣ୍ଟ୍ରାସର୍କଲ ରୋମିଂ ସେବା ଚାଲୁ ରହିଛି । ପୁରୀର ସମସ୍ତ ବ୍ଲକ୍ ସଦର ମହକୁମାରେ ବିଏସ୍ଏନ୍ଏଲ୍ ଏବଂ ଜିଓ ମୋବାଇଲ୍ ସେବା ଶତପ୍ରତିଶତ କାର‌୍ୟ୍ୟ କରୁଛି । ଆଜି ସୁଦ୍ଧା ପୁରୀରେ ୯୩.୬୯, ଖୋର୍ଦ୍ଧାରେ ୯୮.୬୩, କଟକରେ ୯୯.୪୯, ଜଗତସିଂହପୁରରେ ୯୭.୫୬, ଗଞ୍ଜାମରେ ୯୯.୭୭ ପ୍ରତିଶତ ଏବଂ କେନ୍ଦ୍ରାପଡ଼ାରେ ଶତପ୍ରତିଶତ ବ୍ୟାଙ୍କ ଶାଖା କାର‌୍ୟ୍ୟକ୍ଷମ ହୋଇଛି । ସେହିପରି ପୁରୀରେ ୩୪.୯୧%, ଖୋର୍ଦ୍ଧା ୭୪.୨୪%, କଟକରେ ୭୮.୯୨%, ଜଗତସିଂହପୁରରେ ୭୮.୮୪%, ଗଞ୍ଜାମରେ ୯୯.୬୨% ଏବଂ କେନ୍ଦ୍ରାପଡ଼ାରେ ୮୩.୬୩% ଏଟିଏମ୍ କାର‌୍ୟ୍ୟକ୍ଷମ ହୋଇଛି ।

ରାଜ୍ୟ

ଗଙ୍ଗାଧର ବିଷୋୟୀ ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି

Published

on

ବୁଗୁଡ଼ା :  ଓଡ୍ର ଖଣ୍ଡାୟତ କାଳଁଞୀ ସମାଜର କେନ୍ଦ୍ରୀୟ ପରିଷଦ ପକ୍ଷରୁ ଆଜି ବେତାରସିଙ୍ଗି ଅଂଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବୁଗୁଡ଼ା-ଭଞ୍ଜନଗର ଅଂଚଳର ଜଣାଶୁଣା ଲୋକପ୍ରିୟ ଜନନେତା ଗଙ୍ଗାଧର ବିଷୋୟୀଙ୍କୁ ବେତାରସିଙ୍ଗି ଅଞ୍ଚଳ ପରିଷଦର ନୂତନ ସଭାପତି ଭାବେ ମନୋନୀତ କରାଯଇଛି l

ଅଞ୍ଚଳ ପରିଷଦର ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ,ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ, ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ନିର୍ବାଚିତ ହୋଇଛନ୍ତି l

ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ, ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମମଣ୍ଡଳ,ଅଞ୍ଚଳ ଓ 19 ଖଣ୍ଡ ଗ୍ରାମର ସମାଜ ଭାଇମାନେ ଉପସ୍ଥିତ ଥିଲେ l

ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ କୂଳ ଦେବତାଙ୍କ ନିକଟରେ ଶପଥ ପାଠ କରାଯାଇଥିଲା l

ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ ବୃଦ୍ଧା ଙ୍କ କଲ୍ୟାଣ ସୁରକ୍ଷା ,ନାରୀ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ l ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରାଯାଇଛି l ଶେଷରେ ନବ ନିର୍ବାଚିତ ସଭାପତି ଗଙ୍ଗାଧର ବିଶୋଇ ଧନ୍ୟବାଦ ପ୍ରଦାନ କରିଥିଲେ l

Continue Reading

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions