ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ବିଶେଷକରି ରେପୋ ରେଟକୁ କ୍ରମାଗତ ଭାବେ ଅଷ୍ଟମଥର ପାଇଁ ୪ଶତାଂଶରେ ଅପରିର୍ତ୍ତିତ ରଖାଯାଇଛି। ସେହିଭଳି ରିଭର୍ସ ରେପୋ ରେଟ୍ ମଧ୍ୟ ୩. ୩୫ ଶତାଂଶରେ ଅପରିବର୍ତ୍ତିତ ରହିଛି।
ଛ’ଜଣିଆ ବିତ୍ତୟନୀତି(ମନିଟାରୀ ପଲିସି) କମିଟିର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ହାର ୯.୫ ଶତାଂଶ ରହିବା ଘେନି ଅନୁମାନ କରାଯାଉଛି।
ଦାସ କହିଛନ୍ତି ଯେ ଦେଶର ଅର୍ଥନୀତି ଉପରେ କରୋନା ମହାମାରୀର ଯେଉଁ ପ୍ରଭାବ ପଡିଛି ତାହାକୁ ଲାଘବ କରିବା ପାଇଁ ଯେତେ ଦିନ ଆବଶ୍ୟକ ପଡିବ ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ସାହାଯ୍ୟ ସହଯୋଗ ଯୋଗାଇବାକୁ ଏମ୍ପିସି ନିଷ୍ପତ୍ତି ନେଇଛି । ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚିବା ଯାଏ ଏହି ନୀତି ଅବ୍ୟାହତ ରହିବ । ତେବେ ମୁଦ୍ରାସ୍ପୀତି ଯେପରି ଏହି ସମୟରେ ନିୟନ୍ତ୍ରଣରୁ ବାହରକୁ ନ ଯାଏ, ତାହାକୁ ମଧ୍ୟ ନିଶ୍ଚିତ କରାଯିବ।
ମହାମାରୀ ଆରମ୍ଭ ହେବା ପରଠାରୁ ଦେଶର ଅର୍ଥନୀତିକୁ ନିୟନ୍ତ୍ରଣରେ ରଖିବା ଏବଂ ପରିସ୍ଥିତିର ମୁକାବିଲା କରିବାକୁ ରିଜର୍ଭ ବ୍ୟାଙ୍କ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଦାସ ଏହି ଅବସରରେ ସୂଚନା ଦେଇଥିଲେ।
ସେ କହିଥିଲେ ଯେ ରିଜର୍ଭବ୍ୟାଙ୍କ ୨୦୨୧-୨୨ଆର୍ଥିକ ବର୍ଷର ପ୍ରଥମ ଛ’ ମାସ ମଧ୍ୟରେ ଓପନ ମାର୍କେଟ ଅପରେସନ ମାଧ୍ୟମରେ ୨. ୩୭ଲକ୍ଷ କୋଟି ଟଙ୍କା ଦେଶର ଅର୍ଥ ବ୍ୟବସ୍ଥା ମଧ୍ୟରେ ପ୍ରବେଶ କରାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥ ବ୍ୟବସ୍ଥାରେ ମୋଟ ୩. ୧ ଲକ୍ଷ କୋଟି ଟଙ୍କା ପ୍ରବେଶ କରାଇଥିଲା। ଏହି ଅବସରରେ ଦାସ କ୍ଷୁଦ୍ର ବ୍ୟବସାୟ ଓ ଅସଂଗଠିତ କ୍ଷେତ୍ରକୁ ସାହାଯ୍ୟ କରିବାକୁ ଅତିରିକ୍ତ ସହାୟତା ପଦକ୍ଷେପମାନ ଘୋଷଣା କରିଛନ୍ତି।
ସେଗୁଡିକ ହେଲା
୧)ଇମିଡିଏଟ୍ ପେମେସର୍ଭିସ ଟ୍ରାଞ୍ଜାକସନ(ଆଇଏମ୍ପିଏସ୍) ଥରକେ କାରବାର ସୀମା ଦୁଇଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗ୍ରାହକଙ୍କ ସୁବିଧା ପାଇଁ ଏହା ହୋଇଛି। ଏହା ଫଳରେ ଘରୋଇ ୨୪ଘଣ୍ଟିଆ ପାଣ୍ଠି ତୁରନ୍ତ ପ୍ରେରଣ ଅଧିକ ସୁବିଧା ହେବ।
୨)କ୍ଷୁଦ୍ର ବିର୍ତ୍ତୀୟ ବ୍ୟାଙ୍କଗୁଡିକ ପାଇଁ ୧୦ହଜାର କୋଟି ଟଙ୍କାର ଅନ-ଟପ୍ ସ୍ପେଶାଲ ଲିକ୍ୟୁଡିଟି ଲଙ୍ଗଟର୍ମ ରେପୋ ଅପରେସନ୍ସ(ଏସ୍ଏଲ୍ଟିଆର୍ଓ) ସୁବିଧାକୁ ୨୦୨୧ ଡିସେମ୍ବର ୩୧ଯାଏ ବଢାଇ ଦିଆଯାଇଛି।
୩) ସର୍ବଭାରତୀୟ ସ୍ତରରେ ରିଟେଲ ଡିଜିଟାଲ ପେମେଣ୍ଟ ସଲ୍ୟୁସନ ଏବେ ଅଫଲାଇନରେ କରିହେବ । ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ କିମ୍ବା ସେବା ସୀମିତ ସେସବୁ ଇଲାକାରେ ଏହି ସୁବିଧା ମିଳିବ।
୪)ଆଇଏମ୍ପିଏସ୍ ଟ୍ରାଞ୍ଜାକସନ ସୀମାକୁ ଦୁଇଲକ୍ଷରୁ ପାଞ୍ଚଲକ୍ଷକୁ ବୃଦ୍ଧି କରାଯିବ।
୫) ସବୁ ପ୍ରଚଳିତ ଓ ନୂଆ ପେମେଣ୍ଟ ସିଷ୍ଟମର ଜିଓ ଟ୍ୟାଗିଙ୍ଗ୍କୁ ସମ୍ପ୍ରସାରିତ କରାଯାଇ ସେସବୁକୁ ପେମେଣ୍ଟ ଆକ୍ସେପ୍ଟାନ୍ସ ଭିତ୍ତିଭୂମି ସହ ଯୋଡାଯିବ।
୬) ରିଜର୍ଭ ବ୍ୟାଙ୍କର ରେଗୁଲେଟରୀ ସାଣ୍ଡବକ୍ସରେ ଥିବା ନୂଆ ଠକେଇ ଦୂରୀକରଣ (ଫଡ୍ ପ୍ରିଭେନସନ) କୋହର୍ଟ ଫିନ୍ଟେକ୍ ଇକୋସିଷ୍ଟମ୍ ଅଧିକ ଗତି ଓ ସୁବିଧା ଯୋଗାଇବ।
୭)ରାଜ୍ୟମାନଙ୍କ ପାଇଁ ଓଭରଡ୍ରାଫ୍ଟ ବ୍ୟବସ୍ଥାକୁ ଉଦାରବାଦୀ କରିବାକୁ ୱେଜ ଆଣ୍ଡ ମିନ୍ସ ସୀମା ବୃଦ୍ଧି ନିଷ୍ପତ୍ତି ୨୦୨୨ ମାର୍ଚ୍ଚ ୩୧ ଯାଏ ଅବ୍ୟାହତ ରହିବ।
୮) ଅଗ୍ରାଧିକାର କ୍ଷେତ୍ରକୁ ୨୦୨୨ ମାର୍ଚ୍ଚ ୩୧ଯାଏ ଋଣ ଯୋଗାର ଅବ୍ୟାହତ ରହିବ ଏବଂ ତଦନୁସାରେ ଏନ୍ବିଏଫସିଗୁଡିକୁ ଶ୍ରେଣୀବଦ୍ଧ ଋଣ ଯୋଗାଣ ସେ ଯାଏ ବନ୍ଦ ହେବ ନାହିଁ।
୯) ଏନବିଏଫସି ଗୁଡିକ ପାଇଁ ଇଣ୍ଟରନାଲ ଆମ୍ବୁସମ୍ୟାନ ଯୋଜନାରେ ଅଧିକରୁ ଅଧିକ ଗ୍ରାହକଙ୍କୁ ସମ୍ପୃକ୍ତ କରାଯିବ। ଏଥିପାଇଁ ଆବଶ୍ୟକ ଇଂଟରଫେସ ଯୋଗାଇ ଦେଇ ଆଭ୍ୟନ୍ତରୀଣ ଆପତ୍ତି ଅଭିଯୋଗର ସମାଧାନ ବ୍ୟବସ୍ଥାକୁ ସୁଦୃଢ କରାଯିବ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଜି ଘୋଷିତ ପଦକ୍ଷେପ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଓ ଅସଂଗଠିତ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ତଥା ଇଣ୍ଟରନେଟ୍ର ବିଶେଷ ସୁବିଧା ନ ଥିବା ଦୂରଦୂୂରାନ୍ତ କ୍ଷେତ୍ରରେ ଲୋକେ ବିଶେଷ ଉପକୃତ ହେବେ। ଇଣ୍ଟରନେଟ ନ ଥିବା ଅଞ୍ଚଳରେ ଲୋକେ ଡିଜିଟାଲ ପେମେଣ୍ଟର ସୁବିଧା ପାଇବେ।
ସେହିଭଳି ରାଜ୍ୟମାନଙ୍କରେ ଓଭରଡ୍ରାଫ୍ଟ ଆବଶ୍ୟକତା ପୂରଣ ପାଇଁ ୱେଜ ଆଣ୍ଡ ମିନ୍ସର ମଧ୍ୟବର୍ତ୍ତୀକାଳୀନ ଅଗ୍ରୀମ ଉଠାଣ ସମୟ ମିଆଦକୁ ୨୦୨୨ ମାର୍ଚ୍ଚ ୩୧ଯାଏ ବୃଦ୍ଧି କରାଯାଇଛି। ସେପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ ଏ ବାବଦ ପ୍ରତ୍ୟେକ ୫୧,୫୬୦ କୋଟି ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିପାରିବେ । ମହାମାରୀର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅଧିକ ଅର୍ଥ ଦରକାର କରୁଥିବାରୁ ଏହି ନିଷ୍ପତ୍ତି ଦ୍ୱାରା ସେମାନେ ଉପକୃତ ହେବେ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି।
ସେ କହିଛନ୍ତି ଯେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ଏବେ ହ୍ରାସ ପାଉଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପନିପରିବାରର ମୂଲ୍ୟ ବୃଦ୍ଧିକୁ ରୋକିବାକୁ ଉଦ୍ୟମ କରାଯାଇଛି।
ଚଳିତ ୨୦୨୧-୨୨ରେ ସିପିଆଇ ମୁଦ୍ରାସ୍ଫୀତି ୫.୩% ରହିବ ବୋଲି ଅନୁମାନ କରାଯାଉଛି। ଦ୍ୱିତୀୟ ତ୍ରୈମାସିକରେ ଏହା ୫.୧%, ତୃତୀୟ ତ୍ରୈମାସିକରେ ୪.୫%, ଚତୁର୍ଥ ତ୍ରୈମାସିକରେ ୫.୮% ଏବଂ ପ୍ରଥମ ତ୍ରୈମାସିକ (୨୦୨୨-୨୩)ରେ ୫.୨% ହିସାବ କରାଯାଉଛି।
ସେହିପରି ଆକଳନ ଅନୁସାରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୨୦୨୧-୨୨ରେ ୯.୫% ହାରରେ ବଢିବ। ଏହା ଦ୍ୱିତୀୟ ତ୍ରୈମାସିକରେ ୭.୯%, ତୃତୀୟ ତ୍ରୈମାସିକରେ ୬.୮%, ଚତୁର୍ଥ ତ୍ରୈମାସିକରେ ୬.୧% ଏବଂ ୨୦୨୨-୨୩ର ପ୍ରଥମ ତ୍ରୈମାସିକରେ -୧୭.୨% ହେବ ବୋଲି ଆଶା କରାଯାଉଛି।