Connect with us

ଭୁବନେଶ୍ୱର:  ସିଆଇଆଇ – ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକ ୨୦୨୬ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଶିଳ୍ପ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ଏକ ନୂଆ ରୋଡ୍‌ମ୍ୟାପ୍‌ ଉପସ୍ଥାପନ କରିଛନ୍ତି।

ଓଡ଼ିଶା ସହିତ ସମଗ୍ର ପୂର୍ବ ଭାରତର ରାଜ୍ୟ ଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏକ ଯୁଗାନ୍ତକାରୀ ନୂଆ ପ୍ଲାଟଫର୍ମ ‘Go East’ (ଗୋ ଇଷ୍ଟ) ଘୋଷଣା କରିଛନ୍ତି।

ଏହି ସମ୍ମିଳନୀରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ‘Go East’ର ଅର୍ଥ ହେଉଛି ‘Government of Odisha- Eastern Investment Accelerator and Special Task Force’।

ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପ ଗୋଷ୍ଠୀଗୁଡ଼ିକ ତାଙ୍କ ନିଜ ରାଜ୍ୟରେ ତାଙ୍କର ଇଣ୍ଡଷ୍ଟ୍ରିଆଲ୍ ବେସ୍ ଓ ମାର୍କେଟ୍‌କୁ ସୁରକ୍ଷିତ ରଖି ଓଡ଼ିଶାରେ ନିବେଶ କରିବାକୁ ବ୍ୟାପକ ସୁଯୋଗ ପାଇବେ। ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଏକ ବ୍ୟାପକ ସ୍ତରରେ ପହଞ୍ଚିଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶା ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ଏହି ସ୍ୱତନ୍ତ୍ର ‘Go East’ ନୀତି ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ (Special Task Force) ଗଠନ କରାଯିବ, ଯାହା ସମସ୍ତ ନିବେଶ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ’ (IPICOL) ମଧ୍ୟରେ ଏକ ସମର୍ପିତ ‘Go East Cell’ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିକୁ ରିଏଲ୍ ଟାଇମ୍‌ (ତତ୍କାଳ) ମନିଟରିଂ ଓ ଟ୍ରାକିଂ କରିବା ପାଇଁ ଏକ ସ୍ୱତନ୍ତ୍ର ‘Go Swift’ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପଦକ୍ଷେପ ଫଳରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ପୁଞ୍ଜି ନିବେଶ ହେବା ସହ ସେଠାରେ ଅନେକ ନୂଆ ଇଣ୍ଡଷ୍ଟ୍ରିଆଲ୍ ଗ୍ରୋଥ ସେଣ୍ଟର (ଶିଳ୍ପ ବିକାଶ କେନ୍ଦ୍ର) ଗଢ଼ି ଉଠିବ, ଯାହା ସ୍ଥାନୀୟ ଅଞ୍ଚଳର ରୂପରେଖ ବଦଳାଇବ।

ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ନୀତି ରିଜୋଲ୍ୟୁସନ୍-୨୦୨୨ (IPR-2022) ରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ (Amendment) କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହି ସଂଶୋଧନ ଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ୧୫ ଟି ପ୍ରମୁଖ ଜିଲ୍ଲାରେ ଅଣ-ଖଣିଜ ଦ୍ରବ୍ୟ ଭିତ୍ତିକ ଶିଳ୍ପ (Non-mineral based industries) ପ୍ରତିଷ୍ଠା ପାଇଁ ଏକ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହି ଜିଲ୍ଲାଗୁଡ଼ିକୁ ‘Thrust Sector’ ବା ଅଗ୍ରାଧିକାର ଶ୍ରେଣୀରେ ସାମିଲ କରାଯିବ, ଯାହା ଦ୍ୱାରା ରାଜ୍ୟରେ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ଭବ ହୋଇପାରିବ।

ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ ବାବଦରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ‘Deregulation 1.0’ ଏବଂ ‘2.0’ ମାଧ୍ୟମରେ ବଡ଼ ଧରଣର ସୁଧାର ଅଣାଯାଇଛି। ଏହାଦ୍ୱାରା ପୂର୍ବରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଗୁଥିବା ୪୦୦ ଦିନର ସମୟ ଏବେ କମି ୧୬୦ ଦିନରୁ କମ୍ ହୋଇଯାଇଛି ଏବଂ ଆଗକୁ ଏହାକୁ ୧୦୦ ଦିନରୁ କମ୍ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜୁନ୍ ୨୦୨୪ ଠାରୁ ଓଡ଼ିଶା ସରକାର ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୬ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ।

ଏଥିମଧ୍ୟରୁ ୩.୧୧ ଲକ୍ଷ କୋଟିରୁ ଅଧିକ ନିବେଶ ସହିତ ୧୨ଟି ପ୍ରୋଜେକ୍ଟର ଗ୍ରାଉଣ୍ଡିଂ ସରି ପ୍ରକଳ୍ପଗୁଡ଼ିକ ଉଦ୍‌ଘାଟନ ପର୍ଯ୍ୟାୟରେ ପହଞ୍ଚିଛି, ଯାହା ପ୍ରମାଣିତ କରୁଛି ଯେ ଓଡ଼ିଶା କେବଳ ନିବେଶ ଆକର୍ଷିତ କରୁନାହିଁ ବରଂ ସଫଳତାର ସହ ଏହାର ରୂପାୟନ ମଧ୍ୟ କରୁଛି।

ଓଡ଼ିଶାର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜ ଅଭିଭାଷଣରେ ନୂତନ ‘Go East’ ଯୋଜନା ସୀମାବର୍ତ୍ତୀ ଓ ପଛୁଆ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା  ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ନିବେଶର ସଫଳ ଚିତ୍ର ସିଆଇଆଇ ସଦସ୍ୟମାନଙ୍କ ସାମ୍ନାରେ ରଖିଥିଲେ। ସେ ଦର୍ଶାଇଥିଲେ ଓଡ଼ିଶା କିପରି ବିଗତ ଦିନମାନଙ୍କରେ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମକୁ ସୁଦୃଢ଼ କରି ନିବେଶ ପ୍ରକଳ୍ପଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ଦେଶରେ ରେକର୍ଡ ସୃଷ୍ଟି କରିଛି। ଆମର ଶିଳ୍ପ ଭିତ୍ତିଭୂମି, ଉନ୍ନତ ବିମାନ ତଥା ବନ୍ଦର ସଂଯୋଗୀକରଣ ଯୋଗୁଁ ଓଡ଼ିଶା ଏବେ କେବଳ ପୂର୍ବ ଭାରତ ନୁହେଁ, ବରଂ ସମଗ୍ର ଦେଶ ପାଇଁ ମାନୁଫାକ୍ଚରିଂର ପ୍ରମୁଖ ଗେଟ୍‌ୱେ ସାଜିଛି ବୋଲି ସେ ନିଜ ପ୍ରେଜେଣ୍ଟେସନରେ ସ୍ପଷ୍ଟ କରିଥିଲେ।

 

 

ସମ୍ମିଳନୀ ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପ ଗୋଷ୍ଠୀକୁ ଓଡ଼ିଶାର ପ୍ରଗତିରେ ସହଭାଗୀ ହେବାକୁ ଆହ୍ୱାନ ଦେଇ ‘ବିକଶିତ ଭାରତ ୨୦୪୭’ ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।

 

 

ଏହି ସମ୍ମିଳନୀରେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମତ ପ୍ରଧାନ, ଇପିକଲ (IPICOL) ର ପରିଚାଳନା ନିର୍ଦ୍ଦେଶିକା  ଆବୋଲି ସୁନୀଲ ନରଭାଣେ, ସିଆଇଆଇ ପୂର୍ବ ଆଞ୍ଚଳିକ ଉପାଧ୍ୟକ୍ଷ ରୁଦ୍ର ଚାଟାର୍ଜୀ, ଓଡ଼ିଶା କାଉନସିଲ୍ ଅଧ୍ୟକ୍ଷ ଅନିଲ କୁମାର ସିଂହଙ୍କ ସମେତ ବହୁ ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ସ୍କୁଲ ବହି ତ୍ରୁଟି ପାଇଁ ବଡ ବଡିଆଙ୍କ ଗଡ଼ିଲା ମୁଣ୍ଡ

Published

on

ଭୁବନେଶ୍ୱର : ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ନିଷ୍ପତି ଅନୁଯାୟୀ

ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର (Teachers Training & SCERT) ତତ୍କାଳୀନ ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ, ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି।

ଏହା ସହିତ

୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ।

ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ୧୪ ଟି ସୁପାରିଶ କାର୍ଯ୍ୟକାରୀ କରାଯିବ।

ଏଗୁଡ଼ିକ ହେଉଛି

SCERT ପକ୍ଷରୁ ମାଷ୍ଟର ତ୍ରୁଟି (Errata) ରେଜିଷ୍ଟର ପ୍ରସ୍ତୁତ କରାଯିବ, ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଧାନ କରାଯିବ, SCERT ରେ Quality Assurance Cell ଖୋଲାଯିବ ଇତ୍ୟାଦି। ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସ କୁ ଯିବ ନାହିଁ।

Continue Reading

Nation

ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁର ହାଇକମିଶନର, ସହଭାଗିତା ହେବ ଅଧିକ ସୁଦୃଢ଼

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ ( Simon Wong) ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ବୈଠକ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ଓ ବୈଷୟିକ ସମ୍ଭାବନାକୁ ବାସ୍ତବ ରୂପ ଦେବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଙ୍ଗାପୁରର ସହରୀ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଦକ୍ଷତା ଓଡ଼ିଶାର ବିକାଶମୂଳକ ଲକ୍ଷ୍ୟ ହାସଲ ଦିଗରେ ଖୁବ୍ ସହାୟକ ହେବ। ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ସିଙ୍ଗାପୁର ଏକ ସ୍ୱାଭାବିକ ପାର୍ଟନର୍ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।

ଓଡ଼ିଶାର ସମୃଦ୍ଧ ପୁଞ୍ଜିନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଏବଂ ନିବେଶ ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ।

ଜାନୁଆରୀ ୨୦୨୫ରେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ଥରମାନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିଥିଲା । ଏହି ସମୟରେ ରାଜ୍ୟର ୫ଟି ପ୍ରମୁଖ ବିଭାଗ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା । ଏହି ୮ଟି MoUର ଅଗ୍ରଗତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ସିଙ୍ଗାପୁର’ର ନିବେଶ ତଥା ବିଭିନ୍ନ ପାର୍ଟନର୍‌ସିପ୍’ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ସୁ-ବ୍ୟବସ୍ଥିତ ମେକାନିଜିମ୍ ବା Structured Engagement Mechanism ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ସେ ଗ୍ରୀନ୍ ଏନର୍ଜି, ସହରୀ ବିକାଶ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ।

ଓଡ଼ିଶାରେ ହୋଇଥିବା ‘ବ୍ଲାକ୍ ସ୍ୱାନ୍ ସମିତ୍’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଓଡ଼ିଶାର ଯୁବବର୍ଗଙ୍କୁ ଫିନ୍‌ଟେକ୍ ଓ ଇନ୍‌ସିଓରଟେକ୍ କ୍ଷେତ୍ରରେ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସିଙ୍ଗାପୁର’ର ସହଯୋଗରେ ଓଡ଼ିଶାରେ ଫିନ୍‌ଟେକ୍ ଓ ଇନ୍‌ସିଓର୍‌ଟେକ୍ କ୍ଷେତ୍ରରେ ଉଦ୍ୟମକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ ।

ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ ୱଙ୍ଗ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସିଙ୍ଗାପୁର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ରାଜ୍ୟର ପ୍ରଗତି ଏବଂ ଅଭିବୃଦ୍ଧି ଯାତ୍ରାରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ୱଙ୍ଗ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ସିଙ୍ଗାପୁର ପକ୍ଷରୁ ହାଇକମିଶନରଙ୍କ ସହ ମୁମ୍ବାଇର କନସୁଲ୍-ଜେନେରାଲ୍ ଶ୍ରୀ ଚଙ୍ଗ୍ ମିଙ୍ଗ୍ ଫୁଙ୍ଗ୍ (Mr Cheong Ming Foong) ଏବଂ ହାଇକମିଶନର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Continue Reading

Nation

ପ୍ରାକ୍-ରେରା ପ୍ରକଳ୍ପ ଗୁଡ଼ିକ ପାଇଁ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ 

Published

on

ଭୁବନେଶ୍ୱର : ଓଡ଼ିଶାର ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାଦ୍ୱାରା ୫ ଅକ୍ଟୋବର, ୨୦୧୬ ରେ ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ ବା ‘ରେରା’ (RERA) ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ ।

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପୁରୁଣା ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକରେ କ୍ରେତା ଏବଂ ଅଂଶୀଦାରମାନେ ସାମ୍ନା କରୁଥିବା ଦୀର୍ଘଦିନର ପଞ୍ଜୀକରଣ ସମସ୍ୟାର ସମାଧାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ଗେଜେଟ୍‌ର ଅସାଧାରଣ ସଂଖ୍ୟାରେ ପ୍ରକାଶିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ପୂର୍ବରୁ ଥିବା ଦସ୍ତାବିଜ୍ ଏବଂ ନିୟମାନୁପାଳନ ଜନିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଏକ ସ୍ପଷ୍ଟ ଆଇନଗତ ଆଧାର ପ୍ରଦାନ କରୁଛି, ଯାହା ଅନେକ ଆପାର୍ଟମେଣ୍ଟ ୟୁନିଟ୍‌ର ପଞ୍ଜୀକରଣରେ ବାଧା ସୃଷ୍ଟି କରୁଥିଲା ।

ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ (OAOM Act) ପ୍ରଣୟନ କରାଯାଇଥିଲା। ତଥାପି, ପ୍ରାକ୍-ରେରା ପ୍ରକଳ୍ପଗୁଡ଼ିକରେ ବହୁ ସଂଖ୍ୟକ ଆପାର୍ଟମେଣ୍ଟ କ୍ରେତା ହସ୍ତାନ୍ତର ଦଲିଲ (Deed of Transfer) ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଦିଓ ୩ ଡିସେମ୍ବର, ୨୦୨୫ ରେ ଜାରି ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବ୍ୟକ୍ତିଗତ ଆଲଟି (Allottees) ମାନଙ୍କୁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ପ୍ରମୋଟର ଏବଂ ଜମି ମାଲିକଙ୍କ ପାଖରେ ରହିଯାଇଥିବା ଆପାର୍ଟମେଣ୍ଟଗୁଡ଼ିକ ଏହାର ପରିସରଭୁକ୍ତ ହୋଇନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ର ଧାରା ୩୫ ଅନ୍ତର୍ଗତ ତାଙ୍କ କ୍ଷମତାର ପ୍ରୟୋଗ କରିଛନ୍ତି ଏବଂ ଯୋଗ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଛାଡ଼ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହାଫଳରେ ଏଭଳି ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ସମ୍ଭବ ହେବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ପୁରୁଣା ମାମଲାଗୁଡ଼ିକର ସମାଧାନ ହୋଇପାରିବ ।

ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ, ଏହି କୋହଳ ବ୍ୟବସ୍ଥା କେବଳ ୫ ଅକ୍ଟୋବର, ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ । ଏହି ସୁବିଧା କେବଳ ସେହି କ୍ଷେତ୍ରରେ ଉପଲବ୍ଧ ହେବ ଯେଉଁଠାରେ ପ୍ରକଳ୍ପର ଅତିକମରେ ୫୦ ପ୍ରତିଶତ ଆପାର୍ଟମେଣ୍ଟ ୟୁନିଟ୍ ରେରା କଟ୍-ଅଫ୍ ତାରିଖ (RERA cut-off date) କିମ୍ବା ତା’ ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ (Registered Sale Deeds) ମାଧ୍ୟମରେ ହସ୍ତାନ୍ତର କରାଯାଇ ସାରିଥିବ । ଏହା ବ୍ୟତୀତ, ପଞ୍ଜୀକରଣ ପାଇଁ ପ୍ରସ୍ତାବିତ ଆପାର୍ଟମେଣ୍ଟଟି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ (Odisha Development Authorities Act, 1982) କିମ୍ବା ଓଡ଼ିଶା ସହର ଯୋଜନା ଏବଂ ଉନ୍ନୟନ ଟ୍ରଷ୍ଟ ଅଧିନିୟମ, ୧୯୬ (Odisha Town Planning and Improvement Trust Act, 1956) ଅଧୀନରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଅନୁମୋଦିତ ବିଲ୍ଡିଂ ପ୍ଲାନର ଅଂଶ ବିଶେଷ ହୋଇଥିବା ଆବଶ୍ୟକ ।

ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ କ୍ରେତାମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ, ପ୍ରମୋଟର କିମ୍ବା ଜମି ମାଲିକମାନଙ୍କୁ ପ୍ରକଳ୍ପ ପରିସର ମଧ୍ୟରେ ଅନୁମୋଦିତ ବିଲ୍ଡିଂ ପ୍ଲାନକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ହେବ । ଅବଶିଷ୍ଟ ବିକ୍ରି ହୋଇନଥିବା ଆପାର୍ଟମେଣ୍ଟର ପ୍ରଥମ ବିକ୍ରୟ ଦଲିଲ ପଞ୍ଜୀକରଣ ପୂର୍ବରୁ, ଆଲଟି ଆସୋସିଏସନ ଠାରୁ ଏକ ଅନାପତ୍ତି ପ୍ରମାଣପତ୍ର

ହାସଲ କରିବାକୁ ହେବ, ଯାହା ପ୍ରମାଣିତ କରିବ ଯେ ଅନୁମୋଦିତ ପ୍ଲାନରେ ଥିବା ଆପାର୍ଟମେଣ୍ଟ ନମ୍ବର ସଠିକ୍ ଅଛି। ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସମସ୍ତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିବାକୁ ହେବ ।

ଏହି ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଲାଗୁ ହେବା ପୂର୍ବରୁ ପୂର୍ବ ଆଇନ ଅନୁଯାୟୀ ଗଠିତ କୌଣସି ଆପାର୍ଟମେଣ୍ଟ ଆସୋସିଏସନ କିମ୍ବା ସୋସାଇଟିକୁ କେବଳ ଏହି ଅଧିନିୟମର ଧାରା ୧୫ ଅନୁଯାୟୀ ବାଏ-ଲ’ (Bye-laws) ଗ୍ରହଣ କରିବା ପରେ ହିଁ ସ୍ୱୀକୃତି ଦିଆଯିବ ।

ମନ୍ତ୍ରୀ ଡକ୍ଟର ମହାପାତ୍ର ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ଏହି ଛାଡ଼ କେବଳ ପ୍ରକୃତ (Genuine) ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ବେଆଇନ ନିର୍ମାଣର ନିୟମିତକରଣ ବୋଲି ଧରାଯିବ ନାହିଁ । ବିଲ୍ଡିଂ ନିୟମାବଳୀର ଯେକୌଣସି ଉଲ୍ଲଂଘନ ପାଇଁ ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାରି ରହିବ ।

ଆପାର୍ଟମେଣ୍ଟ ମାଲିକମାନଙ୍କ ଅଧିକାରର ସୁରକ୍ଷା ଏବଂ ସାଧାରଣ ସମ୍ପତ୍ତି ଉପରେ ସାମୁହିକ ମାଲିକାନା ବଜାୟ ରଖିବା ପାଇଁ, ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଧୀନରେ ନିଷ୍ପାଦିତ ପ୍ରତ୍ୟେକ ବିକ୍ରୟ ଦଲିଲରେ ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକରେ ଆଲଟିଙ୍କ ଆନୁପାତିକ ଅବିଭକ୍ତ ସ୍ୱାର୍ଥ/ଅଂଶର ହସ୍ତାନ୍ତର ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବା ଆବଶ୍ୟକ । ଏଭଳି ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକର ମାଲିକାନା ଅଧିକାର ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩ ର ପ୍ରାବଧାନ ଅନୁଯାୟୀ ଆଲଟି ଆସୋସିଏସନ ପାଖରେ ନ୍ୟସ୍ତ ରହିବ ।

ରାଜ୍ୟପାଳଙ୍କ ଆଦେଶକ୍ରମେ ଜାରି ଏବଂ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା ବିଜ୍ଞପ୍ତିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ଦୀର୍ଘ ଦିନରୁ ପଡ଼ିରହିଥିବା ସମ୍ପତ୍ତି ପଞ୍ଜୀକରଣ ସମସ୍ୟାର ସମାଧାନ ଏବଂ ଓଡ଼ିଶାରେ ସହରୀ ଗୃହ ନିର୍ମାଣ ଶାସନ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions