Connect with us

ଜ୍ୟୋତି ନନ୍ଦ:

ପ୍ରଥମରୁ ଏଇ କଥାକୁ ସ୍ପଷ୍ଟ କରିଦେବାକୁ ହେବ ଯେ ଉପସ୍ଥିତ ଲେଖକ ଉଚ୍ଚାରଣ ବିଦ୍ୟାରେ ଦକ୍ଷ ନୁହଁ। ଯେଉଁ ମହାନୁଭବ ଚିନ୍ତକ ମାନେ ବିଶ୍ୱ ପର୍ଯ୍ୟଟକ ସେମାନେ ଏହାର ସଠିକ ଉଚ୍ଚାରଣ କରିପାରିବା ନିଶ୍ଚୟ ସମ୍ଭବପର ହେବ। ଯେତେବେଳ ଯାଏଁ ସେହି ମହାନୁଭବଙ୍କର ସଂଶୋଧନ ମୂଳକ ପ୍ରସ୍ତାବନା ଆମ ଭଳି ଅଜ୍ଞ ମାନଙ୍କ ନିକଟକୁ ଆସିନାହିଁ ,ସେ ପର୍ଯ୍ୟନ୍ତ ଆମକୁ ଏଇ ଭଳି ଏକ ଉଚ୍ଚାରଣ ( ଭ୍ରାମକ ହୋଇପାରେ !) ସହିତ ବସବାସ କରିବାକୁ ହେବ।

ସେ ଯାହାହେଉ ,କେହି କେହି ତାଙ୍କର ନାଆଁକୁ ଉଚ୍ଚାରଣ କରୁଛନ୍ତି,ଇୟୋନ ଫସସେ ତ କେହି କେହି କହୁଛନ୍ତି ଜୋନ ଫସସେ।

ଇୟୋନ ଫସସେ ହେଉଛନ୍ତି ଚଳିତ ବର୍ଷ ଅର୍ଥାତ୍୨୦୨୩ ର ସାହିତ୍ୟରେ ନୋବେଲ ପୁରସ୍କାର ର ପ୍ରାପକ ।

ସାହିତ୍ୟରେ ଯେଉଁମାନେ ନୋବେଲ ପୁରସ୍କାର ପାଇଥାନ୍ତି ବିଶେଷ ଭାବରେ ସେମାନଙ୍କୁ ନେଇ ସବୁବେଳେ ଆମର କୌତୁହଳ ଅଧିକ। ଆମ ଭଳି ଯେଉଁ ସ୍ୱଳ୍ପପାଠୀ କୂପମଣ୍ଡୁକ ମାନେ ରହିଛନ୍ତି ସେମାନଙ୍କ ପାଇଁ ପ୍ରତି ବର୍ଷ ଜଣକ ପରେ ଜଣେ ସାହିତ୍ୟରେ ଯେଉଁ ନୋବେଲ ପୁରସ୍କାର ର ପ୍ରାପକ ମାନେ ଆସିଥାନ୍ତି ତାଙ୍କର ଲେଖାର ପ୍ରଚାର ଏବଂ ଉପଲବ୍ଧତା ମାଧ୍ୟମରେ ବିଶ୍ୱସାହିତ୍ୟର ସମକାଳକୁ ଜାଣିବା ପାଇଁ ସହଜ ଝରକା ଟିଏ ଖୋଲିଯାଏ । ଆମେ ପ୍ରତିବର୍ଷ ସେହି ଭଳି ଚର୍ଚ୍ଚିତ ଲେଖକ ମାନଙ୍କ ମାର୍ଫତରେ ଜାଣିପାରୁ ଯେ ଅସଲରେ ଆମର ଚାରିପାଖେ କେଉଁ ଭଳି ସୃଜନ ପରିପୁଷ୍ଟ ହେଉଅଛି ।

ଅବଶ୍ୟ ସମସ୍ତଙ୍କ ପାଖରେ ଅର୍ଥାତ୍ ସମସ୍ତ ପାଠକଙ୍କ ପାଖରେ ସାହିତ୍ୟର ଶ୍ରେଷ୍ଠତାକୁ ଆକଳନ କରିବା ପାଇଁ ଏକ ପ୍ରକାର ବ୍ୟକ୍ତି ପରକ ମାପକାଠି ରହିଥାଏ । ପାଠକ ପାଖରେ ଥିବା ସେହି ଶ୍ରେଷ୍ଠତ୍ୱର ମାପକାଠି ର ସ୍ୱରୂପ ସଂପର୍କରେ ଆମେ ଅନେକ ସମୟ ଅସ୍ପଷ୍ଠ। ମୋତେ ଅମୁକ ଲେଖାଟି ଭଲ ଲାଗିଲା ବାସ୍।ତାହାପରେ ଆଉ କ’ଣ ? ତେଣୁ ଆମର ସାହିତ୍ୟରେ ଶ୍ରେଷ୍ଠତ୍ୱ ବିଚାର ର ମାପକାଠିଟି ଜାଦୁଦଣ୍ଡର “ଆବ୍ରାକାଡାବ୍ରା” ଭଳି ଉଚ୍ଚାରଣ ରେ ସଂଗୋପିତ ହୋଇ ରହିଯାଏ।

ସାହିତ୍ୟରେ ଶ୍ରେଷ୍ଠତ୍ୱ ବିଚାରକୁ ନେଇ ପରେ କେବେ ।

ସାହିତ୍ୟରେ ୨୦୨୩ ର ନୋବେଲ ପୁରସ୍କାର ଘୋଷଣା ହେବା ପରେ “ଦି ଗାର୍ଡିଆନ୍”ସଂବାଦପତ୍ରରେ ଏଲା କ୍ରେମର୍ ଙ୍କ ଇୟୋନ ଫସସେ ଙ୍କୁ ନେଇ ଯେଉଁ ସଂକ୍ଷିପ୍ତ ପ୍ରତିବେଦନଟି ପ୍ରକାଶିତ ହୋଇଛି ସେଥିରୁ ଆମେ ଏହି ସମ୍ମାନୀତ ଲେଖକଙ୍କ ସଂପର୍କରେ ସମ୍ୟକ ଧାରଣା ହାସଲ କରିପାରିବା।

ସୌଭାଗ୍ୟକୁ ଉପସ୍ଥିତ ଲେଖକର ନିକଟକୁ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଅନୁଜ ରମାକାନ୍ତ ସାମନ୍ତରାୟ ଇୟୋନ୍ ଫସସେ ଙ୍କ ଦୁଇଟି ବହିର “ମଧୁର-ପ୍ରତିଲିପି” ପ୍ରେରଣ କରିଛନ୍ତି। ତାଙ୍କୁ ଅନେକ ଅନେକ ଧନ୍ୟବାଦ।

“ଦି ଗାର୍ଡିଆନ୍” ରେ ଏଲା କ୍ରେମର ଙ୍କ ଆଲେଖଟି ଏହିପରି :

ସାହିତ୍ୟରେ ନୋବେଲ ପୁରସ୍କାର ୬୪ ବର୍ଷୀୟ ନରୱେଜିଆନ ଲେଖକ ଇୟୋନ ଫସସେ ଙ୍କୁ ପ୍ରଦାନ କରାଯାଇଛି ତାଙ୍କର ” ଅଭିନବ ନାଟକ ଏବଂ ଗଦ୍ୟ ରଚନାର ନିମନ୍ତେ ଯାହା ବସ୍ତୁତଃ ଭାଷାହୀନ ମାନଙ୍କୁ ଭାଷା ଦେଇଥାଏ।” ତାଙ୍କର ରଚନାର ମଧ୍ୟରେ ରହିଛି ଉପନ୍ୟାସ ଶୃଙ୍ଖଳା Septology,Aliss at the Fire,Melancholy,ଏବଂ A Shining ।

“ବିଭିନ୍ନ ଧରଣର ଶୈଳୀ କୁ ଧାରଣକରି ତାଙ୍କର ବିଶାଳ ସାହିତ୍ୟ ସମ୍ଭାର ରହିଛି,ପ୍ରାୟ ୪୦ ଖଣ୍ଡ ନାଟକ ଏବଂ ଅନେକ ଉପନ୍ୟାସ ,କବିତା ସଂକଳନ,ପ୍ରବନ୍ଧ,ଶିଶୁ ସାହିତ୍ୟ ଓ ଅନୁବାଦ ରହିଅଛି ” ଏ କଥା କହିଛନ୍ତି ନୋବେଲ କମିଟୀ ର ସାହିତ୍ୟ ବିଭାଗର ଚେୟାରମ୍ୟାନ ଆଣ୍ଡାର୍ସ ଅଲସନ୍। “ଫସସେ ତାଙ୍କର ନରଓୟେଜୀୟ ପୃଷ୍ଠଭୂମୀ ଓ ଭାଷାର ଉତ୍ପତ୍ତିସ୍ଥଳରେ ଉଦ୍ଭାସିତ ହୋଇ ବି ଆଧୁନିକତାବାଦର ଶିଳ୍ପ ଏବଂ ପଦ୍ଧତିଗୁଡିକୁ ବ୍ୟବହାର କରିଛନ୍ତି।”

“ମୁଁ ଭାବ ବିହ୍ୱଳ ଏବଂ ଅନେକ ପରିମାଣରେ ଆତଙ୍କିତ । ମୁଁ ଏହାକୁ ଦେଖୁଛି, ସାହିତ୍ୟ ପାଇଁ ଏପରି ଏକ ପୁରସ୍କାର ଯାହା ,ପ୍ରଥମରେ ଏବଂ ମୁଖ୍ୟତଃ, ସାହିତ୍ୟ ଲକ୍ଷ୍ୟରେ ହିଁ ଏକ ପୁରସ୍କାର,ଯାହାର ଅନ୍ୟ କୌଣସି ଭିନ୍ନ ବିଚାରଶୀଳ ଅର୍ଥ ରହିନାହିଁ।” ଫସସେ ଗୋଟିଏ ବକ୍ତବ୍ୟ ରେ ଏହିପରି କହିଛନ୍ତି।

ଏହା ସହିତ ସେ ନରଓୟେଜୀୟ ଗଣସଂଯୋଗକାରୀ ଏନଆରକେ କୁ କହିଛନ୍ତି ଯେ ସେ ପୁରସ୍କାର ପାଇବା ଘଟଣାରେରେ ଉଭୟ “ଆଶ୍ଚର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ନୁହଁନ୍ତି।” “ମୁଁ ଏଇଭଳି ଗୋଟିଏ ବିଚାରର ପରିସରରେ ବିଗତ ଦଶବର୍ଷ ହେଲା ରହି ଆସିଛି ଏବଂ ଏଇ ଭଳି କିଛି କେବେ ଘଟିଯିବ ବୋଲି ମୁଁ ଊଣାଅଧିକେ ନିଜକୁ ଅନେକ ଦିନ ହେଲା ପ୍ରସ୍ତୁତ କରିଆସୁଥିଲି “,ସେ କହିଛନ୍ତି।

ଫସସେ ଙ୍କ କଥାସାହିତ୍ୟର ପ୍ରକାଶକ ଜ୍ୟାକ୍ ଟେଷ୍ଟାର୍ଡ ଏଇ ଖବର ଶୁଣିବା ପରେ ନିଜର ଅଭିମତରେ କହିଛନ୍ତି,” ସେ ହେଉଛନ୍ତି ଜଣେ ଅସାଧାରଣ ଲେଖକ ଯିଏ ଉପନ୍ୟାସ ଲେଖାରେ ଗୋଟିଏ ସଂପୂର୍ଣ୍ଣ ଅନନ୍ୟ ପଦ୍ଧତିକୁ ଖୋଜି ପାଇଛନ୍ତି। ତାଙ୍କର ନରଓୟେଜୀୟ ସଂପାଦକ ସେସିଲି ସାଇନେସ୍ ସଂପ୍ରତି ଗୋଟିଏ ସାକ୍ଷାତକାରରେ କହିଛନ୍ତି ,ଯଦି ଇୟୋନ ର କୌଣସି ବହିକୁ ଖୋଲି ଜଣେ କେତୋଟି ଧାଡି ପଢିବସେ,ତାହାହେଲେ ସେ ଠିକ୍ ବୁଝିପାରିବ ଯେ ଏଇଟି ତାଙ୍କ ଛଡା ଆଉ କାହାର ଲେଖା ନୁହଁ ।

“ତାଙ୍କର ଉପନ୍ୟାସଗୁଡିକ ମନ୍ତ୍ରମୁଗ୍ଧକାରୀ,
ରହସ୍ୟମୟ ଏବଂ ସେ ଯେଉଁ ପଶ୍ଚିମୀ ଫିଅର୍ଡ ଭୂଖଣ୍ଡରେ ( ଫିଅର୍ଡ ହେଉଛି ନରଓୟେ ରେ ସମୁଦ୍ର ଆଡକୁ ଯାଉଥିବା ସଂକୀର୍ଣ୍ଣ ପଥ ଯାହାର ଦୁଇପଟେ ପର୍ବତମାନ ଓହଳି ରହିଥାନ୍ତି )ବସବାସ କରୁଛନ୍ତି ତାହାର ସବିଶେଷ ଚିତ୍ର ଦେଖିବାକୁ ମିଳେ।” ଟେଷ୍ଟାର୍ଡ କହନ୍ତି।” ଏହା ସହିତ ଏଇ କଥା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ସେ “ନିଉ ନରଓୟେଜିଆନ” ବା “ନିଉନରସ୍କ” ଭାଷାରେ ଲେଖିଥାନ୍ତି ଯାହା ନରଓୟେ ର ଗୋଟିଏ ସଂଖ୍ୟାଲଘୁ ଭାଷା,ଏପରି କାମ ଆପଣାଆପେ ଏକ ରାଜନୈତିକ କାର୍ଯ୍ୟ। ସେ ଜଣେ ଅସାଧାରଣ ନାଟ୍ୟକାର ଏବଂ କବି ବି। ଏହା ସହିତ ସେ ଅସାଧାରଣ ମନଃଶକ୍ତି ର ଅଧିକାରୀ ,ତାଙ୍କଠାରୁ ଉପଯୁକ୍ତ ଭଦ୍ରବ୍ୟକ୍ତିତ୍ୱ ଆଉ କେହି ହୁଏତ ହୋଇପାରିବେ ନାହିଁ।”

୧୯୫୯ ସାଲ ରେ ନରଓୟେର ପଶ୍ଚିମ ଉପକୂଳରେ ହାଉଗେସୁଣ୍ଡ ରେ ଜନ୍ମଗ୍ରହଣ କରିଥିବା ଫସସେ ଷ୍ଟ୍ରାଣ୍ଡେବାର୍ମରେ ବଡ ହୋଇଛନ୍ତି। ମାତ୍ର ସାତ ବର୍ଷ ବୟସରେ ଗୋଟିଏ ଦୁର୍ଘଟଣାରେ ତାଙ୍କର ପ୍ରାୟ ମୃତପ୍ରାୟ ଅବସ୍ଥା ,ଯାହାକୁ ସେ ନିଜର ଶିଶୁପ୍ରାପ୍ତିର
” ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା” ହିସାବରେ ଉଲ୍ଲେଖ କରିଛନ୍ତି ଏବଂ ଏହା ହିଁ ତାଙ୍କୁ ଭବିଷ୍ୟତରେ ଜଣେ ଶିଳ୍ପୀ ହିସାବରେ “ଗଢି ତୋଳିଛି।” ତାଙ୍କର କିଶୋର ବୟସରେ ସେ ଜଣେ ଗୀଟାରବାଦକ ହେବାର ସ୍ୱପ୍ନ ଦେଖିଛନ୍ତି ,ତାହାପରେ ତାଙ୍କର ଆଗ୍ରହ ଲେଖାଲେଖି ଆଡକୁ ଢଳିଥାଏ ।

ତାଙ୍କର ପ୍ରଥମ ଉପନ୍ୟାସ “Raudt,svet”
(ଲାଲ୍,କଳା ) ୧୯୮୩ ରେ ପ୍ରକାଶିତ ହୁଏ । ତାଙ୍କର ପ୍ରଥମ ଅଭିନୀତ ନାଟକ Og aldri skal vi skiljast (” ଆଉ ଆମେମାନେ କେବେ ଅଲଗା ହେବାନି”) ୧୯୯୪ ମସିହାରେ ବାର୍ଗେନ ର ଜାତୀୟ ନାଟ୍ୟଶାଳାରେ ମଞ୍ଚସ୍ଥ କରାହୁଏ।ତେବେ ,ସେ ଯେଉଁ ପ୍ରଥମ ନାଟକ ଲେଖିଥିଲେ Nokon kjem til a komme
(” କିଏ ଆସିବାକୁ ଅଛି “) ତାହାକୁ ୧୯୯୯ରେ ଫରାସୀ ପରିଚାଳକ କ୍ଲଦ ରେଜି ନାଣ୍ଟେ ଠାରେ ମଞ୍ଚସ୍ଥ କରାଇ ତାଙ୍କ ପାଇଁ ପ୍ରଚୁର ଖ୍ୟାତି ଆଣି ପାରିଥିଲେ।

ଫସସେ ୩୦ ରୁ ବେଶି ନାଟକ ଲେଖିଛନ୍ତି,ସେଗୁଡିକ ଭିତରେ ରହିଛି Nammet (“ନାମ”),Vinter (“ଶୀତ”)
Ein sommars dag (” ଗୋଟିଏ ଗ୍ରୀଷ୍ମର ଦିନ “)। ତାଙ୍କର ବୃହତ୍ତର କାମ ଭିତରେ ରହିଛି Septology ଟ୍ରିଲଜି ,ଯାହାର ତୃତୀୟ ଖଣ୍ଡ ୨୦୨୨ ରେ ଆନ୍ତର୍ଜାତିକ ବୁକର ପୁରସ୍କାର ର ଦାବୀଦାର ଥିଲା।

ନାଟ୍ୟଲେଖନ ରୁ ଟିକିଏ ବିରତି ର ପରେ ୨୦୧୩ ମସିହାରେ କ୍ୟାଥଲିକ ଧର୍ମ ଗ୍ରହଣ ର ପରେ ଫସସେ Septology ଲେଖିବାକୁ ଆରମ୍ଭ କରନ୍ତି । ଏଇଟି ନରଓୟେ ର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକା ବସବାସରତ ଜଣେ ବୃଦ୍ଧ ଶିଳ୍ପୀ ଆସଲ୍ ର କଥା । ଆସଲ୍ ନିଜର ଜୀବନକୁ ଯେମିତି ଫେରି ଦେଖୁଛି,ସେଇ କଥାକୁ ଲେଖିବସନ୍ତି ସେ। ସେଠାରେ ସେଇ ବିୟୋର୍ଗଭିନ୍ ଇଲାକାରେ ରହୁଛି ଆଉ ଜଣେ ଆସଲ୍,ଯିଏ ଜଣେ ଶିଳ୍ପୀ,ସେ କିନ୍ତୁ ମଦ୍ୟପାନଜନୀତ ସମସ୍ୟା କୁ ଭୋଗୁଅଛି । ଏହି ଦ୍ୱିରୂପ ବ୍ୟକ୍ତି ମୃତ୍ୟୁ,ବିଶ୍ୱାସ ଏବଂ ପ୍ରେମ ସଂପର୍କରେ ଗୋଟିଏ ଚିରାଚରିତ ପ୍ରଶ୍ନରେ ଆଚ୍ଛନ୍ନ ରହିଛନ୍ତି।

୧୯୮୯ରେ ଫସସେଙ୍କ Nauster (“ବୋଟ ହାଉସ୍”) ପ୍ରକାଶିତ ହେବାର ବର୍ଷ ସେ ହରଡାଲାଣ୍ଡ ରାଇଟିଂ ଏକାଡେମୀ ରେ ଅନ୍ୟ ଜଣେ ନରଓୟେଜୀୟ ଲେଖକ କାର୍ଲ ଓଭେ କ୍ଲାଉସଗାର୍ଡ ଙ୍କୁ ଶିକ୍ଷା ଦେଇଥାନ୍ତି,ସେତେବେଳକୁ ସେ ସେଠାରେ ଜଣେ ଛାତ୍ର ଥିଲେ। ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ସେଇ ନରଓୟେଜୀୟ ଲେଖକ କାର୍ଲ ଓଭେ କ୍ଲାଉସଗାର୍ଡ ଫସସେ ଙ୍କ ସଂପର୍କରେ ୨୦୧୯ ରେ ଏକ ଆଲୋଚନାରେ ଲେଖିଛନ୍ତି ,” ଫସସେ ଯାହା ଲେଖନ୍ତୁ ନା କାହିଁକି,ସେଇଠି ତାଙ୍କର ସ୍ୱର ଥିବ,କଦାପି ଅନୁପସ୍ଥିତ ରହିବ ନାହିଁ।”

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

ଅକ୍ଷୟ ମହାନ୍ତି ମାରିଥିଲେ ଏକ ଶକ୍ତ ଚାପୁଡ଼ା : ଗୀତିକାର ସଚ୍ଚି ମହାନ୍ତି 

Published

on

ଭୁବନେଶ୍ୱର: ସମ୍ପର୍କ ଓ ସଂଘର୍ଷ ତାଙ୍କ ଗୀତିକାର ଜୀବନର ସୃଜନ ଭୂମି ବୋଲି କହିଛନ୍ତି ଖ୍ୟାତନାମା ଗୀତିକାର ସଚ୍ଚି ମହାନ୍ତି | ସଫଳ ଗୀତି କବିତା ଲେଖିବା ପାଇଁ ନିଷ୍ଠା, ଅଧ୍ୟୟନ ଓ ପର୍ଯ୍ୟବେକ୍ଷଣ ଦରକାର |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ସଭା ପ୍ରକୋଷ୍ଠରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ ” ରେ ଯୋଗ ଦେଇଛି ଗୀତିକାର ଶ୍ରୀ ମହାନ୍ତି ତାଙ୍କ ସୃଜନ ଯାତ୍ରା ଉପରେ ଆଲୋକପାତ କରିଥିଲେ | ଗୀତି କବିତାକୁ ସାରସ୍ୱତ ମର୍ଯ୍ୟାଦା ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ | ସଫଳ ଗୀତ ଲେଖିବା ପାଇଁ ସେ ଅକ୍ଷୟ ମହାନ୍ତିଙ୍କ ଠାରୁ ଚାପୁଡ଼ା ଖାଇଥିଲେ ବୋଲି ସେ ପ୍ରକାଶ କରିଥିଲେ |ବିଶିଷ୍ଟ ସିନେ -ଗବେଷକ ସୂର୍ଯ୍ୟ ଦେଓ ଶ୍ରୀ ମହାନ୍ତିଙ୍କ ସହିତ କଥାବାର୍ତା କରିଥିଲେ |

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବ କବି ରଶ୍ମିରେଖା ଦାସ “ଏ ମାସର କବି ” ଭାବରେ ଯୋଗ ଦେଇ କବିତା ପାଠ କରିଥିଲେ |ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ମିନତି ଦାଶ (ମାନୀ) ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା | ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଧୁ ତ୍ରିପାଠୀ, ମିନତି ମିଶ୍ର, ହରିହର ବଳବନ୍ତରାୟ, ନିରୁପମା କର, ପବିତ୍ର ବାରିକ, ଅଶୋକ ସିଂହ, ରଜନୀ ପଟ୍ଟନାୟକ, ପ୍ରହରାଜ ଜୟ ନାରାୟଣ ନନ୍ଦ, ଧ୍ରୁବ ଚରଣ ସେଠୀ, ସୁଧା ପଟ୍ଟନାୟକ, ଅଲେଖ ରାଉତ, ପ୍ରିୟ ସାହୁ, ନନ୍ଦ କିଶୋର ବିଶ୍ୱାଳ, ସ୍ଵର୍ଣ୍ଣଲତା ମହାପାତ୍ର, ସୁସ୍ମିତା ଶତପଥି, ପବିତ୍ର ମୋହନ କର, ସ୍ନିଗ୍ଧା ସ୍ୱାଇଁ, ଗୀତାଞ୍ଜଳି ଦଳାଇ, ମଧୁମିତା ମିଶ୍ର, ନିରୁପମା ରଥ, ମଧୁସ୍ମିତା ସା, ଶ୍ୟାମାକିଙ୍କର ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ, ଭିକାରୀ ଧଳ , ମାନିନୀ ଜେନା, ସଞ୍ଜୁଲତା ମହାନ୍ତି (ପଟ୍ଟନାୟକ), ଚିତ୍ତରଞ୍ଜନ ବର୍ମା, ସଂଘମିତ୍ରା ମହାପାତ୍ର, ଶର୍ମିଷ୍ଠା ମହାପାତ୍ର, ସୁଶାନ୍ତ ଷଡ଼ଙ୍ଗୀ ଓ ଇତିଶ୍ରୀ ପତି ପ୍ରାୟ ଚାଳିଶରୁ ଅଧିକ କବି ଲେଖା ପାଠ କରିଥିବାବେଳେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରଥିଲେ |

Continue Reading

ସାହିତ୍ୟ

“ସ୍ମୃତି ସାରଦା ” ପକ୍ଷରୁ  କଥାଶିଳ୍ପୀ ସାରଦା ପ୍ରସାଦ ମିଶ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

Published

on

ଭୁବନେଶ୍ୱର: ସାରଦାପ୍ରସାଦଙ୍କ ଗଳ୍ପରେ ଜୀବନବୋଧ ପାଠକଙ୍କୁ ମୋହଗ୍ରସ୍ତ କରେ |ତାଙ୍କ ଗଳ୍ପ ରଚନାର ଭାଷା ଓ କାରିଗରୀ ଥିଲା ଅସାଧାରଣ |ବିଶିଷ୍ଟ କଥାକାର ସ୍ୱର୍ଗତ ସାରଦା ପ୍ରସାଦ ମିଶ୍ରଙ୍କ ସ୍ମରଣ ସଭାରେ ଅତିଥିମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି |

“ସ୍ମୃତି ସାରଦା” ଆନୁକୂଲ୍ୟରେ ସ୍ଥାନୀୟ ରୋଟାରି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟକର ବିଭାଗର ପ୍ରାକ୍ତନ ପ୍ରଶାସକ ତଥା ସ୍ତମ୍ଭକାର ମନୋରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରି ସାରଦାଙ୍କ ସହିତ ତାଙ୍କ ଅନ୍ତରଙ୍ଗ ସମ୍ପର୍କର ସ୍ମୃତିଚାରଣ କରିଥିଲେ | ପ୍ରସିଦ୍ଧ କଥାଶିଳ୍ପୀ ଜୟନ୍ତୀ ରଥ, କଥାକାର ପରେଶ ପଟ୍ଟନାୟକ ଓ ସମ୍ପାଦକ ତଥା ଅନୁବାଦକ ଅସିତ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାରଦାଙ୍କ ଗଳ୍ପକାରିତା, ବନ୍ଧୁବତ୍ସଳତା, ତାଙ୍କ ଗଳ୍ପର ବିଶେଷତ୍ୱ, ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଓ ବୃତ୍ତିଗତ ସଫଳତା ନେଇ ବିସ୍ତୃତ ଆଲୋଚନା କରିଥିଲେ |

ଅତିଥିମାନେ ପ୍ରଥମେ ସାରଦାଙ୍କ ଉଦ୍ଦେଶ୍ୟରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ | ବିଶ୍ୱବନ୍ଦିତା ତିଆଡ଼ି ଓ ରୁପାଲୀ ପ୍ରିୟଦର୍ଶିନୀ ଭଜନ ପରିବେଷଣ କରିଥିଲେ | ସାରଦାଙ୍କ ବନ୍ଧୁ କବି ସୂର୍ଯ୍ୟ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ | ଯୁବଲେଖିକା ରଶ୍ମିତା ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |

ଏହି କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରବୋଧ କୁମାର ମିଶ୍ର,ରବି ସ୍ୱାଇଁ, ଅଭିରାମ ବିଶ୍ୱାଳ,ହରିପଦ ଶତପଥି,ରକ୍ଷକ ନାୟକ ଶୈଳେନ୍ଦ୍ର ଜେନା,ଆଭାସ ବରାଳ,ରମାକାନ୍ତ ସାମନ୍ତରାୟ,ଅମିତାଭ ଖିଲାର, ମୌସୁମୀ ଦାସ, ସୁନନ୍ଦା ପ୍ରଧାନ, ଅଶୋକ ଦାଶ, ସୁଶାନ୍ତ ଦାଶ,ପ୍ରଫୁଲ୍ଲ ରଥ ଜୟନାରାୟଣ ନନ୍ଦ, ସଞ୍ଜୟ ମହାନ୍ତି, ଗିରୀଶ ସ୍ୱାଇଁ,ସୁବ୍ରତ ସେନାପତି, ଅକ୍ଷୟ ବେହେରା, ସୂର୍ଯ୍ୟ ମହାନ୍ତି, ସନ୍ତୋଷ ଦାସ, ସୁଧୀର ମଉଡମଣି ପ୍ରମୁଖ ଉପସ୍ଥିତ ଥିଲେ | ସାରଦାଙ୍କ ପତ୍ନୀ ସରସ୍ବତୀ, ଭାଇ ପବିତ୍ର ଓ ସୌଭାଗ୍ୟ ସମବେତ ଅତିଥିମାନଙ୍କର ପରିଚର୍ଯ୍ୟା କରିଥିଲେ |

Continue Reading

ସାହିତ୍ୟ

ସାହିତ୍ୟ ମାସିକୀ: “ଅସାଧାରଣ ଉପଲବ୍ଧି ହିଁ ଭଲ ଗପର ଉତ୍ସ ” ଅଭୟ ବାରିକ

Published

on

ଭୁବନେଶ୍ୱର: ସୃଷ୍ଟି ଗଳ୍ପମୟ | ଗୋଟିଏ ଅସାଧାରଣ ଉପଲବ୍ଧିରୁ ଗପ ଉତୁରି ଆସେ | ଚାରିପାଖର ଦୃଶ୍ୟ, କୋଳାହଳ ଓ ଚରିତ୍ରରୁ ଗପର ଉପାଦାନ ସଂଗ୍ରହ କରନ୍ତି ବୋଲି କଥାଶିଳ୍ପୀ ଡ. ଅଭୟ ବାରିକ ଉଲ୍ଲେଖ କରିଛନ୍ତି |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ “ରେ ଯୋଗ ଦେଇ “ମୋ ସୃଜନ, ମୋ ଜୀବନ ” ଶୀର୍ଷକ ବକ୍ତବ୍ୟ ରଖି ଡ଼. ବାରିକ ତାଙ୍କ ଗଳ୍ପ ଲିଖନର ପୃଷ୍ଠଭୂମି ଓ କଥା ଯାତ୍ରା, ସ୍ମରଣୀୟ ଅତୀତ ଉପରେ ଆଲୋକପାତ କରିଥିଲେ |

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଡ଼. ବାରିକ ପ୍ରଶ୍ନର ଉତ୍ତର ଦେଇଥିଲେ | ନିଶାକର ପଣ୍ଡା, ପ୍ରଦୀପ୍ତ ବାରିକ,ନନ୍ଦ କିଶୋର ବିଶ୍ୱାଳ, ପ୍ରିୟରଞ୍ଜନ ସାହୁ,ନାଟ୍ୟକାର ଫକୀର ସିଂହ,ବାସନ୍ତୀ ତ୍ରିପାଠୀ ଓ ଆଭାସ ବରାଳ ପ୍ରମୁଖ ବିଭିନ୍ନ ପ୍ରଶ୍ନ ପଚାରିଥିଲେ |

କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଆରମ୍ଭରେ ସ୍ୱାଗତ ସୂଚନା ଓ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲା ବେଳେ ଡା. ଜୀବନକୃଷ୍ଣ ମିଶ୍ର ବେଦ ପାଠ କରିଥିଲେ |”ଏ ମାସର କବି ” ଭାବରେ ଉପସ୍ଥିତ ରହି ଅଂଶୁମାନ ସାହୁ ସ୍ୱରଚିତ କବିତା ପାଠ କରିଥିଲେ |

ପରେ ଅନୁଷ୍ଠିତ କବିତା ପାଠୋ- ତ୍ସବରେ ମଧୁମିତା ମିଶ୍ର ଓ ଶ୍ୟାମା- କିଙ୍କର ମହାନ୍ତିଙ୍କ ମିଳିତ ସଂଯୋଜନାରେ ବିଜୟ ମହାପାତ୍ର, ଅଲେଖ ରାଉତ, ବୀଣାପାଣି ମିଶ୍ର, ଶୈଳେନ୍ଦ୍ର ଜେନା, ପ୍ରମୋଦ ପ୍ରଧାନ, ଇତିଶ୍ରୀ ପତି, ଜ୍ଞାନରଞ୍ଜନ ନନ୍ଦ,ହିମାଂଶୁ ପଟ୍ଟନାୟକ, ପ୍ରକାଶ ସେଠୀ, ସୁବ୍ରତ ସେନାପତି, ଗୀତାଞ୍ଜଳି ଦଳାଇ,ଅଶୋକ ସିଂହ,ପ୍ରଦ୍ୟୁମ୍ନ ପଟ୍ଟନାୟକ,ଅଳକା ରାୟ,ଲଷ୍ମୀଧର ଦାଶ, ମିହିରକାନ୍ତି ଦାଶ,ସୁଧା ପଟ୍ଟନାୟକ,ସବିତା ଶତପଥୀ,ନିରୁପମା ରାୟ,ଗୁରୁକଲ୍ୟାଣ ଦାସ, ସୁରେଶ କୁମାର ମାଝୀ, ବିରଞ୍ଚି ଶତପଥୀ ଓ ସୁଷମା ଦାସ ପ୍ରମୁଖ ଲେଖା ପାଠ କରିଥିଲେ | ଶେଷରେ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions