ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେବି ଓଡିଶା ରାଜ୍ୟପାଳ 14ଟି ବିଶ୍ୱ ବିଦ୍ୟାଳୟର ସ୍ଥାୟୀ କୁଳପତିଙ୍କ ନାମ ଘୋଷଣା କରିଛନ୍ତି l
ନୂତନ କୁଳପତି ତାଲିକାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ନାମ ସ୍ଥାନ ପାଇବା ଏକ ଉଲ୍ଲେଖନୀୟ ଘଟଣା l ଜଣେ କୁଳପତିଙ୍କୁ ସେହି ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ଥର କୁଳପତି ନିଯୁକ୍ତି ଦେବା ଓଡିଶା ଇତିହାସରେ ଏକ ନୂଆ ଘଟଣା l
ବିଶେଷ ସୂତ୍ରରୁ ପ୍ରକାଶଯେ ଦେଶର ରାଷ୍ଟ୍ରପତିଙ୍କ ସୁପାରିଶରେ ପ୍ରଫେସର ତ୍ରିପାଠୀଙ୍କୁ ଦ୍ଵିତୀୟଥର ପାଇଁ ଏଫ ଏମ ୟୁନିଭରସିଟିର କୁଳପତି ପଦବୀ ଦିଆ ଯାଇଛି l ରାଷ୍ଟ୍ରପତିଙ୍କ ଏହି ସୁପାରିଶକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏପରିକି ବିଜେପି ରାଜ୍ୟ ସଭାପତି ସମର୍ଥନ କରିଥିଲେ l
ଏଫ ଏମ ୟୁନିଭେର୍ସିଟିର ସମାବର୍ତନ ଉତ୍ସବ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଭାଷଣ ଦେବାର ଥାଏ l ଏହି ସମୟରେ କୁଳପତି ପ୍ରଫେସର ତ୍ରିପାଠୀଙ୍କ ମା ଙ୍କର ସ୍ବର୍ଗବାସ ହୋଇଗଲା l ଏଭଳି ଏକ ଶୋକ ସମୟରେ ବି ପ୍ରଫେସର ତ୍ରିପାଠୀ ସମୟ ଦେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଅତି ସଫଳତାର ସହ କାର୍ଯ୍ୟକାରୀ କରି ଥିଲେ l ଏହି କଥା ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିଭୂତ କରିଥିଲା l
ଶୁଣାଯାଏ ରାଷ୍ଟ୍ରପତିଙ୍କ ଅଫିସରୁ ତ୍ରିପାଠୀଙ୍କ ପୁର୍ନନିଯୁକ୍ତି ପାଇଁ ରାଜ୍ୟପାଳଙ୍କୁ କୁହା ଯାଇଥିଲା l
ଏହି ନୂତନ କାର୍ଯ୍ୟକାଳ ପୂରଣ କଲେ ପ୍ରଫେସର ତ୍ରିପାଠୀ ରାଜ୍ୟର ସର୍ବାଧିକ ସମୟ କୁଳପତି ପଦବୀରେ ରହିବାର ନୂଆ କୀର୍ତ୍ତିମାନ ସୃଷ୍ଟି କରିବେ l ସେ 2021 ଜୁଲାଇ ମାସରେ ରେ ଚାରି ବର୍ଷ ପାଇଁ ନିଯୁକ୍ତି ପାଇଥିଲେ l ତାଙ୍କର କାର୍ଯ୍ୟକାଳ ଦୁଇଥର ବୃଦ୍ଧିପାଇ ଏହି ପଦବୀରେ ପାଞ୍ଚ ବର୍ଷ ପୂର୍ତି ହେବାକୁ ଯାଉଛି l ଏହି ଚାରି ବର୍ଷର କାର୍ଯ୍ୟକାଳ ପରେ ସେ କୁଳପତି ପଦବୀରେ ନଅ ବର୍ଷର ରେକର୍ଡ କରିବେ l
ପ୍ରଫେସର ତ୍ରିପାଠୀଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ l ଏଫ ଏମ ଭଳି ଏକ ନୂତନ ବିଶ୍ଵବିଦ୍ୟାଳୟକୁ ସେ ନିଜର କର୍ତ୍ତବ୍ୟନିଷ୍ଠା ଓ ସାଧୁତା ବଳରେ ଶିକ୍ଷା, ଭିତ୍ତିଭୂମି ଓ ପ୍ରଶାସନ ଦୃଷ୍ଟିରୁ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଠିଆ କରାଇ ପାରିଛନ୍ତି l ଅଧ୍ୟାପନା, ଗବେଷଣା, ଭିତିଭୂମି ଓ ପ୍ରଶାସନ କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛି l
ଏଫ ଏମ ବିଶ୍ୱବିଦ୍ୟାଳୟ ଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟ ଦେଶରେ ବେଶ ନାମ କରିଛି l ଏହାର କୁଳପତି ଗୀତାଞ୍ଜଳୀ ଦାଶ ଅକ୍ଲାନ୍ତ ପରିଶ୍ରମ କରି ବିଶ୍ୱବିଦ୍ୟାଳୟର ତଳକୁ ଖସି ଯାଇଥିବା ନାକ ଗ୍ରେଡ଼ କୁ ଉଦ୍ଧାରକାରି ବାରେ ସକ୍ଷମ ହୋଇଛନ୍ତି l ସେ ଦାୟିତ୍ୱ ନେଲା ବେଳକୁ ନାକ ଗ୍ରେଡ଼ ‘ବି’ ଥିଲା l ବର୍ତମାନ ତାହା ‘ଏ’ ଗ୍ରେଡ଼କୁ ଉନ୍ନତି କରିଛି l ଅଧ୍ୟାପନା, ଗବେଷଣା, ଭିତିଭୂମି ଓ ପ୍ରଶାସନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଦେଶରେ ନାଁ କରିବାରେ ଲାଗିଛି l
ଓଡିଶାରେ କୁଳପତି ମନୋନୟନରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କର ହାତ ଥିବା କୁହା ଯାଉଛି l ହିମନ୍ତ ଆସାମ ରେ ଡିଜି ପୁଲିସଙ୍କ ପତ୍ନୀ ପ୍ରଫେସର ଜ୍ୟୋସ୍ନା କେ ବି ରାଉତଙ୍କ ନାମ ସୁପାରିଶ କରିଥିଲେ l ପ୍ରଫେସର ରାଉତଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପାଦପାଇଁ ମନୋନୀତ କରା ଯାଇଛି l
ଆସାମ ମୁଖ୍ୟମନ୍ତ୍ରୀଙ୍କ ଭଳି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପ୍ରଦେଶର ଜଣେ ପ୍ରଫେସରଙ୍କ ନାମ ସୁପାରିଶ କରିଥିଲେ l କିନ୍ତୁ ସେ ପ୍ରଫେସରଙ୍କ ଗୁଇନ୍ଦା ରିପୋର୍ଟ ଆସିବା ପରେ ତାଙ୍କୁ ତାଲିକାରୁ ବାଦ ଦିଆ ଯାଇଥିଲା l
ନୂତନ କୁଳପତି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମଝିଙ୍କର ଚାରିଜଣ ସ୍ଥାନ ପାଇଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଞ୍ଚଜଣ ଲେଖାଏଁ ସ୍ଥାନ ପାଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l
ସଂକ୍ଷିପ୍ତ ତାଲିକାରେ ଥିବା ପ୍ରାର୍ଥୀମାନଙ୍କ ଗୁଇନ୍ଦା ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ଏଥର କୁଳପତି ଚୟନ ରେ ଅତ୍ୟଧିକ ବିଳମ୍ବ ଘଟିଥିଲା l ଅନେକ ପ୍ରାର୍ଥୀ ବାହାର ରାଜ୍ୟରୁ ହୋଇଥିବାରୁ ସେମାନଙ୍କ ଗୁଇନ୍ଦା ରିପୋର୍ଟ ଆସିବାରେ ବିଳମ୍ବ ଘଟିଥିବା ଜଣା ଯାଇଛି l