ଭୁବନେଶ୍ବର:
ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଏବଂ ସିଇଓ ଶ୍ରୀ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି।
ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, BCPPER ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ। (This region is going to be a new star in the growth sky of India).
ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ବ ସାମର୍ଥ୍ୟ ରହିଛି, ସ୍ବତନ୍ତ୍ରତା ରହିଛି। ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ବର, ବିଜନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦର ଭିତ୍ତିକ ବିକାଶରେ ପାରାଦୀପ। ବର୍ତ୍ତମାନ ଆମର ପରିକଳ୍ପନା ହେଉଛି, ଏହି ଅଞ୍ଚଳ ଗୁଡିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ବଜେଟ୍ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନର ପରିକଳ୍ପନା କରିଛନ୍ତି। ଏଥିରେ BCPPER ରିଜିଅନ୍ ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ CER ର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି। ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଡଲାର କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆଜିର ଏହି ଯୋଜନା ଓଡିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ବଡ ବଡ ସହରମାନଙ୍କ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରାଯିବ।
ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ ଯେ, ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ, ପ୍ରଥମ ୫ଟି ମଧ୍ୟରେ BCPPER ସ୍ଥାନିତ ହୋଇଛି। ଏହି ରିଜିଅନର ଅଭିବୃଦ୍ଧି ହେଲେ ଏ ଅଞ୍ଚଳବାସୀଙ୍କର ମଧ୍ୟ ଅଭିବୃଦ୍ଧି ଘଟିବ।
ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର୍ ସୁବ୍ରମଣ୍ୟମ କହିଥିଲେ ଯେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ। ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଉପସ୍ଥିତ ଥିଲେ।