ନୂଆଦିଲ୍ଲୀ: ” ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଓଡ଼ିଶା ପ୍ରସ୍ତୁତ ରହିଛି ଏବଂ ମୁଁ ଏହି ଯାତ୍ରାରେ ଆମ ସହିତ ପାର୍ଟନର ହେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଛି।”

ଏହି ଦୃଷ୍ଟିଭଙ୍ଗୀ ସହିତ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ବାହାରେ ଆୟୋଜିତ ରାଜ୍ୟର ପ୍ରଥମ କ୍ଷେତ୍ର-କୈନ୍ଦ୍ରିକ ଇନ୍ଭେଷ୍ଟମେଣ୍ଟ ରୋଡ୍-ସୋ’ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ରେ ଓଡ଼ିଶା ପାଇଁ ଏକ ନୂତନ ଅଭିବୃଦ୍ଧି ଏଜେଣ୍ଡା ଉପସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଏସୋଚାମ୍ (ASSOCHAM) ର ପ୍ରତିନିଧି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦୦ ରୁ ଅଧିକ ଶିଳ୍ପ ନେତା, ଖାଦ୍ୟ ପ୍ରକ୍ରିୟାକରଣ ସଂଘ, ଉଦ୍ୟୋଗୀ, ନିବେଶକ ଏବଂ ବ୍ୟବସାୟୀ ପ୍ରତିନିଧିମାନେ ଯୋଗଦେଇଥିଲେ।
ଏହି ରୋଡ୍-ସୋ’ରେ ୪୧,୭୪୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହିତ ୨୭ଟି ବୁଝାମଣାପତ୍ର (MoU) ସ୍ବାକ୍ଷରିତ ହୋଇଛି । ଏହି ବ୍ୟାପକ ପରିମାଣର ନିବେଶ ପ୍ରସ୍ତାବ ଦ୍ୱାରା ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମ ପ୍ରତି ଶିଳ୍ପଜଗତର ଭରସା ପ୍ରତିଫଳିତ ହୋଇଛି । ଏହା ଦ୍ୱାରା ୩୫,୨୫୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ, ଓଡ଼ିଶା ସରକାର ୧,୬୮୯ କୋଟି ଟଙ୍କାର ନିବେଶ ପାଇଁ ୧୨ଟି ନିବେଶ ଇଚ୍ଛାପତ୍ର (IIF) ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୮,୦୬୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ସମୁଦାୟ ଆଜି ଗସ୍ତର ପ୍ରଥମ ଦିନରେ ଓଡ଼ିଶା ସରକାର ମୋଟ ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି, ଯାହା ଦ୍ୱାରା ୪୩,୩୧୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଶିଳ୍ପପତି ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣକୁ କେବଳ ଏକ ଶିଳ୍ପ କ୍ଷେତ୍ର ଭାବରେ ଦେଖୁନାହିଁ, ବରଂ ଏହାକୁ ଏକ ଅର୍ଥନୈତିକ ରୂପାନ୍ତର ଭାବରେ ଦେଖୁଛି ଯହା କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଗ୍ରାମାଞ୍ଚଳର ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ କରିଥାଏ।
ସେ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ପ୍ରତ୍ୟେକ ପ୍ରମୁଖ କୃଷି ଏବଂ ସାମୁଦ୍ରିକ ସାମଗ୍ରୀ ଯେପରି ରାଜ୍ୟ ଭିତରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ହେବା ଆବଶ୍ୟକ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଉତ୍ପାଦକମାନଙ୍କ ପାଇଁ ଅଧିକ ଆୟ ସୃଷ୍ଟି କରିବା ସହିତ ଯୁବବର୍ଗଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପାଞ୍ଚଟି ଷ୍ଟ୍ରାଟେଜିକ୍ ପିଲାର୍ ସମ୍ପର୍କିତ ଏକ ଦୀର୍ଘମିଆଦୀ ରୋଡମ୍ୟାପ ମଧ୍ୟ ଉନ୍ମୋଚନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ସୃଷ୍ଟି, ସମନ୍ୱିତ କୋଲ୍ଡ-ଚେନ୍ ଏବଂ ୱେରହାଉସିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଖାଦ୍ୟର ଗୁଣବତ୍ତା ଏବଂ ପ୍ରମାଣପତ୍ର ପ୍ରଣାଳୀକୁ ସୁଦୃଢ଼ କରିବା, ସଂଗଠିତ ଶିଳ୍ପ ସହିତ କୃଷକ ଉତ୍ପାଦକ ସଂଗଠନ, MSMEs ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ ଯୋଡ଼ିବା ହେଉଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷ ୱାର୍କଫୋର୍ସ’ର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।
ସମାରୋହକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଆମର ଦୃଷ୍ଟିଭଙ୍ଗୀ ହେଉଛି ଆମର କୃଷି ଏବଂ ସାମୁଦ୍ରିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ରୂପାନ୍ତରିତ କରିବା। ଆମେ ଏକୀକୃତ ଇକୋସିଷ୍ଟମ ନିର୍ମାଣ କରୁଛୁ ଯେଉଁଠାରେ କୃଷକ, ଏମଏସଏମଇ (MSMEs), କୃଷକ ଉତ୍ପାଦକ ସଂଗଠନ, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ଶିଳ୍ପଗୁଡ଼ିକ ଏକାଠି ବୃଦ୍ଧି ପାଆନ୍ତି, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରନ୍ତି, ଗ୍ରାମାଞ୍ଚଳର ଆୟ ବୃଦ୍ଧି କରନ୍ତି ଏବଂ ସ୍ଥାୟୀ ଶିଳ୍ପ ବିକାଶକୁ ଚାଳିତ କରନ୍ତି ।”
ଏହି ଫୁଡ୍-ପ୍ରୋ ଇଭେଣ୍ଟ ପରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଅଗ୍ରଣୀ ଶିଳ୍ପପତିଙ୍କ ସହିତ ଏକାଧିକ ବୈଠକ କରିଥିଲେ।
ସରକାରଙ୍କ ପ୍ରଥମ ଉତ୍ସର୍ଗୀକୃତ କ୍ଷେତ୍ରଭିତ୍ତିକ ଇନ୍ଭେଷ୍ଟମେଣ୍ଟ ରୋଡ୍-ସୋ’ ଭାବରେ, ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ପରିଗଣିତ ହୋଇଛି। ଏହାଦ୍ୱାରା କୃଷିକ୍ଷେତ୍ରରେ ସମୃଦ୍ଧି ଆସିବା ସହିତ କୃଷକ ମାନଙ୍କର ବ୍ୟାପକ ରୋଜଗାର ବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି ।