Connect with us

ଭୁବନେଶ୍ୱର: କୋର୍ଟର ନିର୍ଦ୍ଦେଶ ସତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନେକ ପୁରୁଷ କର୍ମଚାରୀ ସେମାନଙ୍କର ସ୍ତ୍ରୀ ବା ସନ୍ତାନସନ୍ତତିଙ୍କୁ ଭରଷପୋଷଣ ସହାୟତା (Maintenance Grant) ଦେଉନାହାନ୍ତି । ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ (Alimony) ମଧ୍ୟ ଦେଉନାହାନ୍ତି । ଏଥିପାଇଁ ବିଭିନ୍ନ କୋର୍ଟରେ ବିଚାର ହୋଇ, କୋର୍ଟ ତରଫରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ୱେ ପୁରୁଷ କର୍ମଚାରୀ ଏହି ଭରଣପୋଷଣ ଦେବାରେ ଅବହେଳା କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣି ସମୟରେ ହାରାହାରି ୨-୩ଟି ମାମଲା ଅଭିଯୋଗ ପ୍ରକୋଷ୍ଠକୁ ଆସୁଅଛି । ତେଣୁ, ମୁଖ୍ୟମନ୍ତ୍ରୀ ଏହା ଉପରେ କଡ଼ା ଆଭିମୁଖ୍ୟ ନେଇ ଏହି ଅର୍ଥକୁ ସଂମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ କାଟି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ତା’ସହିତ ପତ୍ନୀ ଓ ପିଲାମାନଙ୍କ ପ୍ରତି ଏଭଳି ଅବିଚାର କରିବା ରାଜ୍ୟ ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ସଂମ୍ପୃକ୍ତ ମହିଳା ଓ ସନ୍ତାନସନ୍ତତିଙ୍କ ଭରଣପୋଷଣ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭରଣପୋଷଣ (Alimony) ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବା ପରେ ବିଭାଗୀୟ DDO (Drawing & Disbursement Officer) ସଂମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ଭରଣପୋଷଣ ପାଇଁ ଅଦାଲତ ଯେଉଁ ପରିମାଣର ଅର୍ଥ ନିର୍ଦ୍ଧାରିତ କରିଛନ୍ତି, ସେହି ପରିମାଣର ଅର୍ଥକୁ ଦରମାରୁ କାଟି ସଂମ୍ପୃକ୍ତ କର୍ମଚାରୀଙ୍କ ପତ୍ନୀ ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲୋକ୍ଟୋନିକ୍ ସୂତ୍ରରେ ଜମା କରିବେ ।

 ଆଗାମୀ ଦିନରେ ଏହିପରି ଅଦାଲତଙ୍କ ନିର୍ଦ୍ଦେଶିତ ଭରଣପୋଷଣ ସମ୍ପର୍କିତ ବିଷୟକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା (HRMS)ରେ ଯୋଡ଼ାଯାଇ ଏହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 ଏହାଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ ହେବା ସହିତ ସଂମ୍ପୃକ୍ତ ମହିଳା ବା ସେମାନଙ୍କ ସନ୍ତାନସନ୍ତତିଙ୍କ ଦୁର୍ଦ୍ଦଶା ମଧ୍ୟ ଅନେକ ପରିମାଣରେ ଦୂର ହୋଇପାରିବ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ମୁଖ୍ୟମନ୍ତ୍ରୀ ବଢ଼ାଇଲେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟକାଳ, ନିର୍ମାଣ ହେବ  ଅଧିକ ୨,୯୧,୬୬୬ ନୂଆ ଘର

Published

on

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳ

 

ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ।

ସୂଚନାଯୋଗ୍ୟ ଯେ, ଏହି ଯୋଜନାର ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୭,୫୫୦ କୋଟି ଟଙ୍କା ପୂର୍ବ ପରି ଅପରିବର୍ତ୍ତିତ ରହିବ। ତେବେ ଏହି ପ୍ରକଳ୍ପର ୩,୫୦୦ କୋଟି ଟଙ୍କା ରିପେୟାରିଙ୍ଗ୍ କମ୍ପୋନେଣ୍ଟକୁ ନୂଆ ଘର ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଛି।

ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ୪୮, ୫୦୦ ଟଙ୍କା କିମ୍ବା ତା ଠାରୁ କମ ପାଇଥିବେ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହେବେ। ଏଥିପାଇଁ ନୂଆ ହିତାଧିକାରୀ ଚିହ୍ନଟ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଯୋଜନାରେ ପୂର୍ବ ନିର୍ଦ୍ଧାରିତ ପ୍ରୋତ୍ସାହନ ରାଶି ପରିମାଣରେ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ୪ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ୬ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ୭ ମାସରେ ଘର ଶେଷ କଲେ ୨୦ ହଜାର ଟଙ୍କା ମିଳିବ। U

ଏହାଦ୍ୱାରା ଆହୁରି ଅଧିକ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ୫ ଲକ୍ଷ ପରିବାରଙ୍କ ପାଇଁ ଘର ନିର୍ମାଣ କରିବାର ଲକ୍ଷ୍ୟ ରହିଥିଲା। ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିବେ ତଥା ଗରିବ ଓ ଅସହାୟ ଥିବେ, ସେହିମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

Continue Reading

Nation

ବଡ଼ମ୍ବା ଓ ଆସିକା ଆଖୁ ଚାଷୀଙ୍କ ପାଇଁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି 

Published

on

ଭୁବନେଶ୍ୱର : ରାଜ୍ୟର ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ଆଜି “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ମ୍ବା ଓ ଆସିକା ସମବାୟ ଚିନି କଳ ଅଞ୍ଚଳର ଚାଷୀମାନଙ୍କୁ ଏକର ପ୍ରତି ୧୫,୦୦୦ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 PACS ଓ LAMPCS ର ମେଗା ମେମ୍ବରସିପ୍ ଡ୍ରାଇଭ୍ ‘ସମ୍ବନ୍ଧ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଖୁ ଚାଷୀମାନଙ୍କୁ ଉଚ୍ଚ ସୁଗାର କଣ୍ଟେଣ୍ଟ ଥିବା ଉନ୍ନତମାନର ଆଖୁ ବିହନ ଯୋଗାଇବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଓଡ଼ିଶା ଆଜି ଭାରତର ପ୍ରଥମ ରାଜ୍ୟ ଭାବେ ନିଜର ‘ସମବାୟ ନୀତି ୨୦୨୬’ ପ୍ରଣୟନ କରିଛି। ଏହି ନୂତନ ନୀତି ଅଧୀନରେ PACS ଓ LAMPCS ଗୁଡ଼ିକୁ କେବଳ ଋଣ ପ୍ରଦାନ ମଧ୍ୟରେ ସୀମିତ ନରଖି ଗ୍ରାମାଞ୍ଚଳର ‘ମଲ୍ଟି-ସର୍ଭିସ୍ ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟରରେ ପରିଣତ କରାଯାଉଛି। ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା MSP ପ୍ରଦାନ କରାଯାଉଥିବା ବେଳେ ଗୋଟିଏ ଛାତ ତଳେ ସାର, ବିହନ, ଆଧୁନିକ କୃଷି ଯନ୍ତ୍ରପାତି, ବ୍ୟାଙ୍କିଙ୍ଗ୍, ଫସଲ ବୀମା ଓ ଦୁଗ୍ଧ ସଂଗ୍ରହ ସୁବିଧା ଯୋଗାଇ ଦିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୮୫ଟି ରୂପାନ୍ତରିତ ମଣ୍ଡି, ୫୦ଟି କଷ୍ଟମ୍ ହାୟାରିଂ ସେଣ୍ଟର, ୨୫୦ଟି ଜନସେବା କେନ୍ଦ୍ର (CSC), ୬୦ଟି ନୂତନ Consumer Store, ୭୦ଟି ପ୍ୟାକ୍ସର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର, ୨୧ଟି ପ୍ୟାକ୍ସରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ୪ଟି ଆଦର୍ଶ ମଣ୍ଡି ଏବଂ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ୩ଟି ଶସ୍ୟ ଗୋଦାମଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମବାୟ ସମିତିଗୁଡ଼ିକର କାର୍ଯ୍ୟଶୈଳୀକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ National PACS Software ମାଧ୍ୟମରେ କୋର୍ ବ୍ୟାଙ୍କିଙ୍ଗ୍ ଓ ରିଅଲ-ଟାଇମ ସେଟେଲମେଣ୍ଟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୩୦୦ଟି ପ୍ୟାକ୍ସରେ NLPS ମାଧ୍ୟମରେ ଅନ୍‌ଲାଇନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ୩୨୨ଟି ପ୍ୟାକ୍ସ ଓ ଲ୍ୟାମ୍ପ୍‌ସର ଚାଷୀମାନଙ୍କୁ ଲାଭାଂଶ ପ୍ରଦାନ କରିଛନ୍ତି । ଏହି ପ୍ରକ୍ରିୟାରେ ୨୦୨୪-୨୫ ଆର୍ଥିକ ବର୍ଷରେ ସମୁଦାୟ ୫୦୦ରୁ ଅଧିକ ସମିତିର ପ୍ରାୟ ୮ ଲକ୍ଷ ଚାଷୀ ଲାଭାନ୍ୱିତ ହେବେ ।

।

ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୧୧ ଜଣ ସହକାରୀ ଅଧୀକ୍ଷକ, ୧୯ ଜଣ ପଣ୍ୟାଗାର ସହାୟକ ଏବଂ ୩୬ ଜଣ ସମବାୟ ନିରୀକ୍ଷକଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ।

ଏହି ସମାରୋହରେ ସମବାୟ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ ସମବାୟ ମାଧ୍ୟମରେ ହିଁ ଗ୍ରାମୀଣ ଅର୍ଥନୀତିର ଦ୍ରୁତ ବିକାଶ ସମ୍ଭବ ବୋଲି ପ୍ରକାଶ କରି ପ୍ରତ୍ୟେକ ପରିବାରରୁ ଅନ୍ୟୁନପକ୍ଷେ ଜଣେ ସଦସ୍ୟକୁ ସମବାୟ ସହିତ ଯୋଡିବାର ମୂଳ ଲକ୍ଷ୍ୟ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି କହିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ସମବାୟ ବିଭାଗ ପକ୍ଷରୁ ହାସଲ ହୋଇଥିବା ବିଭିନ୍ନ ଉପଲବ୍‌ଧି ଉପରେ ଆଲୋକପାତ କରି ସେ କହିଥିଲେ ଆମ ସରକାରରେ ଏବେ ସମବାୟ ସମିତି ଗୁଡ଼ିକ ଆଉ କ୍ଷତିଗ୍ରସ୍ତ ଅନୁଷ୍ଠାନ ନୁହେଁ, ବରଂ ଏକ ସ୍ୱାବଲମ୍ୱୀ ଓ ଲାଭଜନକ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମବାୟ କ୍ଷେତ୍ରର ସୁଦୃଢ଼ୀକରଣ ଓ ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ଏହି କାର୍ଯ୍ୟକ୍ରମରେ, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ହସ୍ତତନ୍ତ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ମନିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ୟାକ୍ସର ଓ ଲ୍ୟାମ୍ପସ୍‌ର ସଦସ୍ୟ, ସମବାୟବିତ, ବିଭାଗୀୟ ଅଧିକାରୀ ଓ ଚାଷୀ ଭାଇଭଉଣୀ ଉପସ୍ଥିତ ଥିଲେ।

Continue Reading

Nation

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ

Published

on

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଠାରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ବର୍ଷର କଠୋର ଇନ୍‌ଡୋର ଓ ଆଉଟ୍‌ଡୋର ପ୍ରଶିକ୍ଷଣ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବ୍ୟାଚ୍‌ରେ ୭୦ ଜଣ ମହିଳା ସବ୍-ଇନ୍ସପେକ୍ଟର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ଏହା ଓଡ଼ିଶାର ନାରୀ ସଶକ୍ତିକରଣ ଓ ପରିବର୍ତ୍ତିତ ସାମାଜିକ ଚିତ୍ରର ଏହା ଏକ ଉଜ୍ଜ୍ୱଳ ପ୍ରତିଫଳନ ବୋଲି କହିଛନ୍ତି ।

 

ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଆଧୁନିକ ଅପରାଧ, ଟେକ୍ନୋଲୋଜିର ବ୍ୟବହାର ଓ ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ନିଜକୁ ନିରନ୍ତର ଅପ୍‌ଡେଟ୍ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ପରିଚାଳନାରେ ରାଜ୍ୟରୁ ମାଓ ଓ ନକ୍ସଲ ହିଂସା ସମ୍ପୂର୍ଣ୍ଣ ଦମନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଆଗାମୀ ଦଶ ବର୍ଷ ମଧ୍ୟରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପାୟନ ଏବଂ ଶାନ୍ତି-ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ଆଧୁନିକୀକରଣ ଓ ମାନବ ସମ୍ବଳ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି କରାଯିବା ସହ ୫,୮୧୭ଟି ପଦବୀ ପୂରଣ କରାଯାଇଛି ଏବଂ ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯାନବାହାନ ଓ ଇନ୍ଧନ ଭତ୍ତା ପ୍ରଦାନ କରାଯାଉଛି । ଏହା ସହିତ ୨୦୨୯ ସୁଦ୍ଧା ଓଡ଼ିଶାକୁ ‘ନିଶାମୁକ୍ତ ରାଜ୍ୟ’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସେ ଦୋହରାଇଥିଲେ ।

ପୋଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ SMART POLICING ନୀତି ଆପଣାଇବାକୁ ଆହ୍ୱାନ ଦେବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ତିନୋଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିକୁ ଆଧାର କରି ଦୁର୍ନୀତିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ୟୁନିଫର୍ମ ସର୍ଭିସରେ ସର୍ବୋଚ୍ଚ ଶୃଙ୍ଖଳା ବଜାୟ ରଖିବା ଏବଂ କ୍ଷମତାର ଅପବ୍ୟବହାର ନକରି ନିର୍ଦ୍ଦୋଷଙ୍କୁ ସୁରକ୍ଷା ଓ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଥିଲେ ଯେ ପୋଲିସ ଅଧିକାରୀମାନେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବା ଉଚିତ। ପୋଲିସ ସେବାରେ ଅନେକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲେ ମଧ୍ୟ, ସେମାନଙ୍କୁ ସମ୍ପୂର୍ଣ୍ଣ ସାହସିକତା, ନିଷ୍ଠା ଓ ସାଧୁତାର ସହିତ ନିଜର ଦାୟିତ୍ୱ ତୁଲାଇବାକୁ ହେବ। ଏହା ସହିତ ସାଇବର ଅପରାଧ ଭଳି ଆଧୁନିକ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥାର ଉପଯୋଗ କରିବା ଜରୁରୀ ଅଟେ। ନକ୍ସଲ ବିରୋଧୀ ଅଭିଯାନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଅସାଧାରଣ କୃତିତ୍ୱ ଓ ସଫଳତା ପାଇଁ ସେ ସମଗ୍ର ଓଡ଼ିଶା ପୋଲିସ ବାହିନୀକୁ ଧନ୍ୟବାଦ ଜଣାଇଥିଲେ ।

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ପୋଲିସ ମହାନିରୀକ୍ଷକ ଶ୍ରୀ ଅନୁପ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଦୀକ୍ଷାନ୍ତ ସମାରୋହରେ ବିଭିନ୍ନ ବିଭାଗରେ ଉତ୍କର୍ଷ ହାସଲ କରିଥିବା କୃତୀ କ୍ୟାଡେଟ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ପି. ନଳିନୀ ରାଓଙ୍କୁ ସର୍ବାଧିକ ନମ୍ବର ହାସଲ କରି ରାଜ୍ୟପାଳଙ୍କ ପଦକ, ଟ୍ରଫି ସହ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥି ସହ ତେଜସ୍ୱିନୀ ମହନ୍ତରାୟ, ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ କୁମାର ମହନ୍ତ, ସସ୍ମିତା ଖୁଣ୍ଟିଆ, ନିହାରିକା ତ୍ରିପାଠୀ ଓ ଆଶୁତୋଷ ନାୟକଙ୍କୁ ପୋଲିସ ପ୍ରଶିକ୍ଷଣରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ମୁଖ୍ୟମନ୍ତ୍ରୀ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions