Connect with us

ଭୁବନେଶ୍ୱର : ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଙ୍ଗଳବାର ବିଧାନସଭାରେ ତାଙ୍କ ବିଭାଗର ଖର୍ଚ୍ଚ ଦାବିର ଉତ୍ତର ରେ କହିଛନ୍ତି ଯେ ଚଳିତ 2024-25 ଆର୍ଥିକ ବର୍ଷରେ ମୋଟ 50,000 କୋଟି ଟଙ୍କା ଖଣି ରାଜସ୍ବ ଭାବେ ମିଳିବାର ଲକ୍ଷ୍ୟ ରଖା ଯାଇଛି l ଏଠାରେ ଉଲ୍ଲେଖ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଖଣି ରାଜସ୍ୱ ବାବଦକୁ ୪୬୩୯୬. ୨୭ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ବର୍ଷ ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ଅଦ୍ଯାବଦି ୧୬୬୮୩.୩୫ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବ ବର୍ଷ ଏହି ସମୟ ଅପେକ୍ଷା ଶତକଡା ୧୬.୮୦ ପ୍ରତିଶତ ଅଧିକ ଅଟେ ।
ରାଜ୍ୟରେ ଅଧୁନା ଗୁରୁ ଖଣିଜ ପଦାର୍ଥ ର ଉତ୍ପାଦନ ନିମନ୍ତେ ୩୮୫ଗୋଟି ଖଣିଜ ବ୍ଲକ ମଧ୍ୟରୁ ୨୦୫ ଗୋଟି ଖଣି କାର୍ଯ୍ୟକ୍ଷମ ଅଛି ଓ ୧୮୦ ଗୋଟି ଖଣି ଅଣ-କାର୍ଯ୍ୟକ୍ଷମ ଅଛି। ୧୦୨ଗୋଟି ଖଣି ରୁ ଲୌହାପଥର, ମାଙ୍ଗାନିଜ , କ୍ରୋମାଇଟ, ବକ୍ସାଇଟ ଇତ୍ୟାଦି ଉତ୍ପାଦିତ ହେଉଥିବାବେଳେ ୩୩ଗୋଟି ଖଣିରୁ କୋଇଲା, ସାତଗୋଟି ଖଣିରୁ ରତ୍ନପଥର, ୫୬ଗୋଟି ଖଣିରୁ ସାଜସଜ୍ଜା ପଥର ବା Decorative Stone ଏବଂ ଅନ୍ୟ ସାତଗୋଟି ଖଣିରୁ ବିନିର୍ଦ୍ଦିଷ୍ଟ ଲଘୁ ଖଣିଜ ବା Specified Minor Mineral ଉତ୍ପାଦିତ ହେଉଅଛି । କାର୍ଯ୍ଯକ୍ଷମ ହୋଇପାରିନଥିବା ୧୮୦ ଗୋଟି ଖଣିର ବୈଧାନିକ ଆବଶ୍ୟକତା କୁ ଅନୁଧ୍ୟାନ କରି ଆବଶ୍ଯକୀୟ ବିଧିପ୍ରଯୁକ୍ତ କାର୍ଯ୍ୟ ଏବଂ ତ୍ଵରିତ ଅନୁପାଳନ ମାଧ୍ୟମରେ ଏହି ଖଣିଗୁଡିକୁ କାର୍ଯ୍ୟକ୍ଷମ କରାଇବାକୁ ଆଗାମୀ ଦିନରେ ପ୍ରୟାସ କରାଯିବ ।
ରାଜ୍ୟରେ 2000-01 ଠାରୁ 2010-11ଆର୍ଥିକ ବର୍ଷ ମଧ୍ୟରେ ଖଣିଜ ଉତ୍ପାଦନରେ ଅନେକ ଅନିୟମିତତା ପରିଲକ୍ଷିତ ହୋଇଥିଲା ଏବଂ ଏଥିନିମନ୍ତେ କେଦ୍ର ସରକାର ଶାହା କମିଶନ୍କୁ ନିଯୁକ୍ତ କରିଥିଲେ ଏବଂ ପରେ ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ସମ୍ବନ୍ଧିତ ଯାଚିକା ଗ୍ରହଣ କରି ଏହି ଆରୋପିତ ଖଣିଜ ଉତ୍ତୋଳନର ଅନିୟମିତତା ର ସଂପୂର୍ଣ୍ଣ ଅନୁସନ୍ଧାନ ନିମନ୍ତେ ରିଟ ପିଟିସନ 114/2014 ରେ କେନ୍ଧୀୟ କ୍ଷମତାପନ୍ନ କମିଟି(CEC)ଙ୍କୁ ନିଯୁକ୍ତ କରିଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଓଡିଶା ରାଜ୍ୟରେ ଏଭଳି ବେଆଇନ ଭାବରେ ଖଣିକାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି ଙ୍କ ରିପୋର୍ଟ ଆଧାରରେ ବୈଧାନିକ ଅନୁମତି ପ୍ରାପ୍ତ ନହୋଇ ଓ ଜଙ୍ଗଲ ଓ ପରିବେଶର ଜନିତ ଅନୁମତି ର ଉଲ୍ଲଂଘନ କରି ଯେଉଁ ଖଣି ପଟ୍ଟାଦାର ଲୌହ ଓ ମାଙ୍ଗାନିଜ ତଥା ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ର ଖଣିକାର୍ଯ୍ୟ କରିଥିଲେ, ସେମାନଙ୍କୁ ଖଣିଜ ର ଶତ ପ୍ରତିଶତ ମୂଲ୍ୟ MMDR Act ର ଧାରା ୨୧(୫) ଅନୁସାରେ କ୍ଷତିପୂରଣ ଆକାରରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାର ଅନୁପାଳନ କରାଯାଉଅଛି ।
ରାଜ୍ୟର ଖଣି ପଟ୍ଟାଧାରୀଙ୍କ ଠାରୁ କ୍ଷତିପୂରଣ ଜୋରିମାନା ବାବଦରେ ଇସି/ଏଫସି ଉଲ୍ଲଂଘନ ନିମନ୍ତେ ଟ୧୮୧୬୯କୋଟି ୧୪ଲକ୍ଷ ୮୫୬ଟଙ୍କା ର ଜୋରିମାନା କରଯାଇଥିଲାବେଳେ ସେଥିରୁ ସୁଧ ସହିତ ୧୬୧୦୩କୋଟି ୯୬ଲକ୍ଷ ୧୧ହଜାର ୪୪୬ଟଙ୍କା ଅଦ୍ୟାବଧି ଆଦାୟ ହୋଇଅଛି ଏବଂ MP/CTO ଉଲ୍ଲଂଘନ ନିମନ୍ତେ ୧୮୯୦କୋଟି୮୩ଲକ୍ଷ ୩ହଜାର ୨୧୮ଟଙ୍କା ଜୋରିମାନା କରାଯାଇଥିବା ବେଳେ ୧୧୦୧କୋଟି ୬୯ଲକ୍ଷ ୭୯ହଜାର ୨୬୦ଟଙ୍କା ଅଦ୍ୟାବଧି ଆଦାୟ କରାଯାଇପାରିଛି।

୨୦୨୩-୨୪ ଆର୍ଥିକ ବର୍ଷରେ ୪୩୦.୨୨୫ ନିୟୁତ ଟନ ଖଣିଜ ପଦାର୍ଥ ପ୍ରେରଣ କରାଯାଇଛି ଏବଂ ୪୩୫.୧୯୯ ନିୟୁତ ଟନ ପଦାର୍ଥ ଉତ୍ପାଦନ କରାଯାଇଛି। କାର୍ଯ୍ୟକ୍ଷମ ୩୩ ଗୋଟି କୋଇଲା ଖଣିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୦୭.୯୦ ମିଲିୟନ ଟନ ଉତ୍ପାଦନ ହୋଇଥିବା ବେଳେ ୨୧୨.୯୮ ନିୟୁତ ଟନ ପ୍ରେରଣ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ଖଣି ରାଜସ୍ୱ ବାବଦକୁ ମୋଟ ୪୬୩୯୬. ୨୭ କୋଟି ଟଙ୍କା ଆଦାୟ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ୧୫୩.୮୯୫ ନିୟୁତ ଟନ ଖଣିଜ ପଦାର୍ଥ ପ୍ରେରଣ କରାଯାଇଛି ଏବଂ ୧୫୭.୮୧୭ ନିୟୁତ ଟନ ପଦାର୍ଥ ଉତ୍ପାଦନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ଜୁଲାଇ, ୨୦୨୪ ସୁଦ୍ଧା ଖଣି ରାଜସ୍ୱ ବାବଦ କୁ ୧୬୬୮୩.୩୫ କୋଟି ଟଙ୍କା ଆଦାୟ ହୋଇଛି।

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ପର୍ଯ୍ୟାୟକ୍ରମେ ୩୦ ଗୋଟି ଗୁରୁ ଖଣିଜ ବ୍ଲକ ନିଲାମ ହେବାକୁ ଯୋଜନା କରାଯାଇଛି। ସେଥି ମଧ୍ୟରୁ ୧୦ ଗୋଟି ଗୁରୁ ଖଣିଜ ବ୍ଲକର ନିଲାମ ପାଇଁ ପ୍ରକ୍ରିୟା ଜାରୀ ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କାର୍ଯ୍ୟକ୍ଷମ କରୁଥିବା ୫୩ ଗୋଟି ଇସ୍ପାତ କାରଖାନା ମଧ୍ୟରୁ ଚୁକ୍ତିନାମା ସ୍ବାକ୍ଷରିତ ମାଧ୍ୟମରେ ୩୫ ଗୋଟି କାରଖାନା ଏବଂ ଅଣ- ଚୁକ୍ତିନାମା ମାଧ୍ୟମରେ୧୮ ଗୋଟି କାରଖାନା କାର୍ଯ୍ୟ କରୁଛି । ଏହି ଇସ୍ପାତ କାରଖାନା ଗୁଡିକର ମୋଟ ସ୍ଥାପିତ କ୍ଷମତା ହେଉଛି, ୩୫.୭୧ ଏମ. ଟି. ପି.ଏ (Million Ton Per Annuam) ।

ବିଗତ ଦିନରେ ଆମ ସହଭାଗିତାରେ ଚାଲିଥିବା ରାଜ୍ୟ ସରକାରଙ୍କ ସମୟରେ ରାଜ୍ୟରେ ଆର୍ଥିକ ସମ୍ବଳର ସ୍ୱଳ୍ପତା କୁ ଦୃଷ୍ଟି ରେ ରଖି ତଥା ରାଜ୍ୟର ଭିତ୍ତିଭୂମି, ଶିକ୍ଷା, ନିଯୁକ୍ତି ତଥା ରାଜ୍ୟର ଗ୍ରାମୀଣ, ଅନୁନ୍ନତ ଏବଂ ଖଣି ଅଞ୍ଚଳରେ ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ଖଣିଜ ଦ୍ରବ୍ୟ ର ବ୍ୟବସାୟ ଓ ବିପଣନ ରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଉଦ୍ଦେଶ୍ୟରେ Orissa Rural Infrastructure and Socio-Economic Development Act, 2004 ପ୍ରଣୟନ କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ Orissa Rural Infrastructure and Socio-Economic Development Rules, 2005 ପ୍ରସ୍ତୁତ କରିଥିଲେ । ଏହି ଆଇନ ରେ ରାଜ୍ୟରେ ଖଣି ଥିବା ଜମି ଉପରେ ବା ଯେଉଁ ଜମି ରେ ଖଣି ଖନନ ହେଉଅଛି, ତାହାର ବାର୍ଷିକ ମୂଲ୍ୟ ଉପରେ ଟିକସ ବସାଇବା ନିମନ୍ତେ ରାଜ୍ୟ ସରକାର ସ୍ଥିର କରିଥିଲେ। କିନ୍ତୁ ଏହାର ବୈଧତାକୁ ବିରୋଧ କରି ନାଲକୋ ଏବଂ ଅନ୍ୟ ଖଣି ପଟ୍ଟାଦାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ 7991 of 2005 ଏବଂ ଅନ୍ୟ ମାମଲା ସମୂହ ଦାୟର କରିଥିଲେ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କର ୦୫.୧୨.୨୦୦୫ତାରିଖ ରାୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନକୁ ରାଜ୍ୟ ସରକାରଙ୍କ କ୍ଷମତା ବହିର୍ଭୂତ ବୋଲି ଦର୍ଶାଇ ରଦ୍ଦ କରିଦେଲେ । ଏହା ବିରୁଦ୍ଧରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ SLP (C) No. 5264 / 2006 ଋଜୁ ଯାହାର ବିଚାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୫.୦୭.୨୦୨୪ତାରିଖରେ ରାୟ ପ୍ରଦାନ କଲେ ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ମାନଙ୍କର ଖଣିଜ ପଦାର୍ଥ ଓ ଖଣି ସଂଲଗ୍ନ ଜମି ଉପରେ ଟିକସ ବସାଇବାର ବୈଧାନିକ ଅଧିକାର ରହିଛି। ପୁନଶ୍ଚ ଏହାର କାର୍ଯ୍ଯକାରିତା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତା୧୪.୦୮.୨୦୨୪ରିଖରେ ସ୍ପଷ୍ଟ କାଲେ ଯେ ରାଜ୍ୟ ମାନେ ଏହି ଟିକସ ପିଛିଲା ଭାବେ ତା୦୧.୦୪.୨୦୦୫ରିଖ ଠାରୁ ହୋଇଥିବା କାରବାର ଉପରେ ଲାଗୁ କରିପାରିବେ ଏବଂ ଧାର୍ଯ୍ୟ ଦେୟ ଖଣି ମାଲିକ ମାନଙ୍କ ଠାରୁ ତା୦୧.୦୪.୨୦୨୬ରିଖ ପରେ ବାରବର୍ଷର ବାର୍ଷିକ କିସ୍ତିସୂତ୍ରରେ ଅସୁଲ କରିପାରିବେ। ଏହି ମାମଲାରେ ରାଜ୍ୟର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଯଥୋଚିତ କାର୍ଯ୍ଯପନ୍ଥା ସ୍ଥିର କରାଯିବ।

ରାଜ୍ୟର ମହଜୁଦ ରହ଼ିଥିବା ଖଣ଼ିଜ ସମ୍ପଦର ଅନୁସନ୍ଧାନ, ଉତ୍ତୋଳନ ଏବଂ ଏହାର ମୂଲ୍ୟବର୍ଦ୍ଧନ କର଼ିବା ଉଦେଶ୍ୟରେ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମ଼ିଳ଼ିତ ଉଦ୍ୟୋଗ କମ୍ପାନୀ ଭାବରେ ଓଡିଶା ଖଣ଼ିନ଼ିଗମ (ଓଏମସ଼ି) ୧୯୫୬ ମସ଼ିହା ମଇ ମାସ ୧୬ ତାର଼ିଖରେ ପ୍ରତ଼ିଷ୍ଠା ହୋଇଥିଲା। ୧୭/୧୧/୧୯୬୧ ତାରିଖ ଠାରୁ ପରିଗଣିତ ହୋଇଥିବା ଓଡିଶା ସରକାରୀ ଉଦ୍ୟୋଗ ଓଡିଶା ଖଣି ନିଗମ ଲିମିଟେଡ(OMC Limited), ରାଜ୍ୟରେ ଥିବା ଶିଳ୍ପଗୁଡିକର ଆବଶ୍ୟକତା ପୂରଣ କରୁଛି । ଉନ୍ନତମାନର କାର୍ଯ୍ୟକଳାପ ପାଇଁ ଏହାକୁ ଏକ ଗୋଲ୍ଡ୍ କାଟାଗୋରୀ ଷ୍ଟେଟ୍ ପି.ଏସ୍.ୟୁ. ଭାବରେ ଶ୍ରେଣୀଭୁକ୍ତ କରାଯାଇଛି
ଲୁହା ପଥର, କ୍ରୋମଇଟ, ବକ୍ସାଇଟ ଓ ମାଙ୍ଗାନିଜ ର ୩୭ ଗୋଟି ଖଣି ଲିଜ ବର୍ତ୍ତମାନ ଓଡିଶା ଖଣି ନିଗମ ଅଧୀନରେ ଅଛି l ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶା ଖଣି ନିଗମ ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ସହିତ 43.5 ନିୟୁତ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ୨୦୨୩- ୨୪ ଆର୍ଥିକ ବର୍ଷରେ ଓଡିଶା ଖଣି ନିଗମ ଟ.23,500,58 କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ କରିଅଛି । OMC ସାମାଜିକ ଦାୟିତ୍ୱ ବୋଧ ଏବଂ ପାରିପାର୍ଶିକ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ 128.16 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି I ୨୦୨୫ ମସିହା ସୁଦ୍ଧା ଓଡିଶା ଖଣି ନିଗମ ୫୦ ମିଲିୟନ ଟନ ଖଣିଜ ପଦାର୍ଥ ଉତ୍ତୋଳନ କରି ଜାତୀୟ ସ୍ତରରେ ଏହାର ଶ୍ରେଷ୍ଠତ୍ଵ ପ୍ରତିପାଦନ ପାଇଁ ଦୃଢ ନିଶ୍ଚିତ ଅଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ୪୩.୭୩ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ୪୪.୨୭ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ ସହିତ ଓଡିଶା ଖଣି ନିଗମ ୨୩୭୫୪ କୋଟି ଟଙ୍କାର କାରବାର କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି।
ରାଜ୍ୟର ଖଣିଜ ଭିତ୍ତିକ ଶିଳ୍ପ ସମୂହକୁ କଞ୍ଚାମାଲ ଯୋଗାଇଦେବା ନିମନ୍ତେ ଓଡିଶା ଖଣି ନିଗମ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ନିଗମ ୩୭.୫୯ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ତୋଳନ ସହିତ ୪୩.୫ ନିୟୁତ ଟନ ଖଣିଜ ପଦାର୍ଥ ବିକ୍ରୟ କରିଅଛି। ଏହି ଆର୍ଥିକ ବର୍ଷରେ ନିଗମ ପ୍ରାୟତଃ ୨୩,୫୦୦ କୋଟିର ଖଣିଜ ରାଜସ୍ୱ ଅଦାୟକରି, ଦେଶର ଏକ ସର୍ବବୃହତ ଖଣି କମ୍ପାନୀ ଭାବରେ ନିଜକୁ ପତିଷ୍ଠିତ କରିପାରିଛି । ନୂତନ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିଅବଦାନ ଗମ ନିଜର ସାମାଜିକ ଦାୟିତ୍ୱବୋଧ ଖଣିଜ କମ୍ପାନୀଭାବେ ଏହା ସ୍ୱାସ୍ଥ୍ୟ, ପରିମଳ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଗମନା ଗମନ, ବିଜୁଳି, ଗୃହ ନିର୍ମାଣ ତଥା ଅନ୍ୟ ଉପାଦେୟ କ୍ଷେତ୍ରରେ ଏହାର ଫଳପ୍ରସୁ ଯୋଗଦାନ ଦେଇଚାଲିଛି । କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କ ନିମନ୍ତେ ଓଡିଶା ଖଣି ନିଗମ ଦ୍ଵାରା ଯୋଗାଇ ଦିଆଯାଉଥିବା କଞ୍ଚାମାଲ ଆଗାମୀ ଦିନରେ ଅଧିକରୁ ଅଧିକ କରାଯିବା ନିମନ୍ତେ ପ୍ରୟାସ ଓ ପ୍ରୋତ୍ସାହନ ଜାରି ରହିବ।
ଆର୍ଥିକ ବର୍ଷ ୨୦୨୪-୨୫ ବଜେଟରେ ଇସ୍ପାତ ଓ ଖଣି ବିଭାଗ ପାଇଁ ମୋଟ ୪୫୬.୩୭୭୯ କୋଟି ଟଙ୍କା(୪୫୬ କୋଟି ୩୭ ଲକ୍ଷ ୭୯ ହଜାର ଟଙ୍କା) ବ୍ୟୟ ବରାଦ କରାଯାଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା ଶତକଡା ୪୦.୦୨ ପ୍ରତିଶତ ଅଧିକ ଅଟେ । ସେଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ ବରାଦ (Administrative Expenditure) ବାବଦକୁ ୯୧.୮୪୬୬ କୋଟି ଟଙ୍କା ଓ ଯୋଜନା ବ୍ୟୟ ବରାଦ (Programme Expenditure) ବାବଦରେ ୩୬୪.୫୩୧୩ କୋଟି ଟଙ୍କା ରଖାଯାଇଛି ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁର ହାଇକମିଶନର, ସହଭାଗିତା ହେବ ଅଧିକ ସୁଦୃଢ଼

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ ( Simon Wong) ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହି ବୈଠକ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ଓ ବୈଷୟିକ ସମ୍ଭାବନାକୁ ବାସ୍ତବ ରୂପ ଦେବା ଦିଗରେ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଙ୍ଗାପୁରର ସହରୀ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଦକ୍ଷତା ଓଡ଼ିଶାର ବିକାଶମୂଳକ ଲକ୍ଷ୍ୟ ହାସଲ ଦିଗରେ ଖୁବ୍ ସହାୟକ ହେବ। ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି । ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ସିଙ୍ଗାପୁର ଏକ ସ୍ୱାଭାବିକ ପାର୍ଟନର୍ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି ।

ଓଡ଼ିଶାର ସମୃଦ୍ଧ ପୁଞ୍ଜିନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଏବଂ ନିବେଶ ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣର ପ୍ରତିଶ୍ରୁତି ଦେଇଥିଲେ।

ଜାନୁଆରୀ ୨୦୨୫ରେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତି ଡକ୍ଟର ଥରମାନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିଥିଲା । ଏହି ସମୟରେ ରାଜ୍ୟର ୫ଟି ପ୍ରମୁଖ ବିଭାଗ ମଧ୍ୟରେ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା । ଏହି ୮ଟି MoUର ଅଗ୍ରଗତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ସିଙ୍ଗାପୁର’ର ନିବେଶ ତଥା ବିଭିନ୍ନ ପାର୍ଟନର୍‌ସିପ୍’ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଏକ ସୁ-ବ୍ୟବସ୍ଥିତ ମେକାନିଜିମ୍ ବା Structured Engagement Mechanism ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ସେ ଗ୍ରୀନ୍ ଏନର୍ଜି, ସହରୀ ବିକାଶ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ ।

ଓଡ଼ିଶାରେ ହୋଇଥିବା ‘ବ୍ଲାକ୍ ସ୍ୱାନ୍ ସମିତ୍’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଓଡ଼ିଶାର ଯୁବବର୍ଗଙ୍କୁ ଫିନ୍‌ଟେକ୍ ଓ ଇନ୍‌ସିଓରଟେକ୍ କ୍ଷେତ୍ରରେ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସିଙ୍ଗାପୁର’ର ସହଯୋଗରେ ଓଡ଼ିଶାରେ ଫିନ୍‌ଟେକ୍ ଓ ଇନ୍‌ସିଓର୍‌ଟେକ୍ କ୍ଷେତ୍ରରେ ଉଦ୍ୟମକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ ।

ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ସାଇମନ ୱଙ୍ଗ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସିଙ୍ଗାପୁର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ରାଜ୍ୟର ପ୍ରଗତି ଏବଂ ଅଭିବୃଦ୍ଧି ଯାତ୍ରାରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ୱଙ୍ଗ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ । ସିଙ୍ଗାପୁର ପକ୍ଷରୁ ହାଇକମିଶନରଙ୍କ ସହ ମୁମ୍ବାଇର କନସୁଲ୍-ଜେନେରାଲ୍ ଶ୍ରୀ ଚଙ୍ଗ୍ ମିଙ୍ଗ୍ ଫୁଙ୍ଗ୍ (Mr Cheong Ming Foong) ଏବଂ ହାଇକମିଶନର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Continue Reading

Nation

ପ୍ରାକ୍-ରେରା ପ୍ରକଳ୍ପ ଗୁଡ଼ିକ ପାଇଁ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ 

Published

on

ଭୁବନେଶ୍ୱର : ଓଡ଼ିଶାର ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାଦ୍ୱାରା ୫ ଅକ୍ଟୋବର, ୨୦୧୬ ରେ ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ ବା ‘ରେରା’ (RERA) ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ ।

ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପୁରୁଣା ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକରେ କ୍ରେତା ଏବଂ ଅଂଶୀଦାରମାନେ ସାମ୍ନା କରୁଥିବା ଦୀର୍ଘଦିନର ପଞ୍ଜୀକରଣ ସମସ୍ୟାର ସମାଧାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ଗେଜେଟ୍‌ର ଅସାଧାରଣ ସଂଖ୍ୟାରେ ପ୍ରକାଶିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ପୂର୍ବରୁ ଥିବା ଦସ୍ତାବିଜ୍ ଏବଂ ନିୟମାନୁପାଳନ ଜନିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଏକ ସ୍ପଷ୍ଟ ଆଇନଗତ ଆଧାର ପ୍ରଦାନ କରୁଛି, ଯାହା ଅନେକ ଆପାର୍ଟମେଣ୍ଟ ୟୁନିଟ୍‌ର ପଞ୍ଜୀକରଣରେ ବାଧା ସୃଷ୍ଟି କରୁଥିଲା ।

ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ (OAOM Act) ପ୍ରଣୟନ କରାଯାଇଥିଲା। ତଥାପି, ପ୍ରାକ୍-ରେରା ପ୍ରକଳ୍ପଗୁଡ଼ିକରେ ବହୁ ସଂଖ୍ୟକ ଆପାର୍ଟମେଣ୍ଟ କ୍ରେତା ହସ୍ତାନ୍ତର ଦଲିଲ (Deed of Transfer) ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଦିଓ ୩ ଡିସେମ୍ବର, ୨୦୨୫ ରେ ଜାରି ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବ୍ୟକ୍ତିଗତ ଆଲଟି (Allottees) ମାନଙ୍କୁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ପ୍ରମୋଟର ଏବଂ ଜମି ମାଲିକଙ୍କ ପାଖରେ ରହିଯାଇଥିବା ଆପାର୍ଟମେଣ୍ଟଗୁଡ଼ିକ ଏହାର ପରିସରଭୁକ୍ତ ହୋଇନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ର ଧାରା ୩୫ ଅନ୍ତର୍ଗତ ତାଙ୍କ କ୍ଷମତାର ପ୍ରୟୋଗ କରିଛନ୍ତି ଏବଂ ଯୋଗ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଛାଡ଼ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହାଫଳରେ ଏଭଳି ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ସମ୍ଭବ ହେବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ପୁରୁଣା ମାମଲାଗୁଡ଼ିକର ସମାଧାନ ହୋଇପାରିବ ।

ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ, ଏହି କୋହଳ ବ୍ୟବସ୍ଥା କେବଳ ୫ ଅକ୍ଟୋବର, ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ । ଏହି ସୁବିଧା କେବଳ ସେହି କ୍ଷେତ୍ରରେ ଉପଲବ୍ଧ ହେବ ଯେଉଁଠାରେ ପ୍ରକଳ୍ପର ଅତିକମରେ ୫୦ ପ୍ରତିଶତ ଆପାର୍ଟମେଣ୍ଟ ୟୁନିଟ୍ ରେରା କଟ୍-ଅଫ୍ ତାରିଖ (RERA cut-off date) କିମ୍ବା ତା’ ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ (Registered Sale Deeds) ମାଧ୍ୟମରେ ହସ୍ତାନ୍ତର କରାଯାଇ ସାରିଥିବ । ଏହା ବ୍ୟତୀତ, ପଞ୍ଜୀକରଣ ପାଇଁ ପ୍ରସ୍ତାବିତ ଆପାର୍ଟମେଣ୍ଟଟି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ (Odisha Development Authorities Act, 1982) କିମ୍ବା ଓଡ଼ିଶା ସହର ଯୋଜନା ଏବଂ ଉନ୍ନୟନ ଟ୍ରଷ୍ଟ ଅଧିନିୟମ, ୧୯୬ (Odisha Town Planning and Improvement Trust Act, 1956) ଅଧୀନରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଅନୁମୋଦିତ ବିଲ୍ଡିଂ ପ୍ଲାନର ଅଂଶ ବିଶେଷ ହୋଇଥିବା ଆବଶ୍ୟକ ।

ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ କ୍ରେତାମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ, ପ୍ରମୋଟର କିମ୍ବା ଜମି ମାଲିକମାନଙ୍କୁ ପ୍ରକଳ୍ପ ପରିସର ମଧ୍ୟରେ ଅନୁମୋଦିତ ବିଲ୍ଡିଂ ପ୍ଲାନକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ହେବ । ଅବଶିଷ୍ଟ ବିକ୍ରି ହୋଇନଥିବା ଆପାର୍ଟମେଣ୍ଟର ପ୍ରଥମ ବିକ୍ରୟ ଦଲିଲ ପଞ୍ଜୀକରଣ ପୂର୍ବରୁ, ଆଲଟି ଆସୋସିଏସନ ଠାରୁ ଏକ ଅନାପତ୍ତି ପ୍ରମାଣପତ୍ର

ହାସଲ କରିବାକୁ ହେବ, ଯାହା ପ୍ରମାଣିତ କରିବ ଯେ ଅନୁମୋଦିତ ପ୍ଲାନରେ ଥିବା ଆପାର୍ଟମେଣ୍ଟ ନମ୍ବର ସଠିକ୍ ଅଛି। ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସମସ୍ତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିବାକୁ ହେବ ।

ଏହି ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଲାଗୁ ହେବା ପୂର୍ବରୁ ପୂର୍ବ ଆଇନ ଅନୁଯାୟୀ ଗଠିତ କୌଣସି ଆପାର୍ଟମେଣ୍ଟ ଆସୋସିଏସନ କିମ୍ବା ସୋସାଇଟିକୁ କେବଳ ଏହି ଅଧିନିୟମର ଧାରା ୧୫ ଅନୁଯାୟୀ ବାଏ-ଲ’ (Bye-laws) ଗ୍ରହଣ କରିବା ପରେ ହିଁ ସ୍ୱୀକୃତି ଦିଆଯିବ ।

ମନ୍ତ୍ରୀ ଡକ୍ଟର ମହାପାତ୍ର ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ଏହି ଛାଡ଼ କେବଳ ପ୍ରକୃତ (Genuine) ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ବେଆଇନ ନିର୍ମାଣର ନିୟମିତକରଣ ବୋଲି ଧରାଯିବ ନାହିଁ । ବିଲ୍ଡିଂ ନିୟମାବଳୀର ଯେକୌଣସି ଉଲ୍ଲଂଘନ ପାଇଁ ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାରି ରହିବ ।

ଆପାର୍ଟମେଣ୍ଟ ମାଲିକମାନଙ୍କ ଅଧିକାରର ସୁରକ୍ଷା ଏବଂ ସାଧାରଣ ସମ୍ପତ୍ତି ଉପରେ ସାମୁହିକ ମାଲିକାନା ବଜାୟ ରଖିବା ପାଇଁ, ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଧୀନରେ ନିଷ୍ପାଦିତ ପ୍ରତ୍ୟେକ ବିକ୍ରୟ ଦଲିଲରେ ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକରେ ଆଲଟିଙ୍କ ଆନୁପାତିକ ଅବିଭକ୍ତ ସ୍ୱାର୍ଥ/ଅଂଶର ହସ୍ତାନ୍ତର ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବା ଆବଶ୍ୟକ । ଏଭଳି ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକର ମାଲିକାନା ଅଧିକାର ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩ ର ପ୍ରାବଧାନ ଅନୁଯାୟୀ ଆଲଟି ଆସୋସିଏସନ ପାଖରେ ନ୍ୟସ୍ତ ରହିବ ।

ରାଜ୍ୟପାଳଙ୍କ ଆଦେଶକ୍ରମେ ଜାରି ଏବଂ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା ବିଜ୍ଞପ୍ତିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ଦୀର୍ଘ ଦିନରୁ ପଡ଼ିରହିଥିବା ସମ୍ପତ୍ତି ପଞ୍ଜୀକରଣ ସମସ୍ୟାର ସମାଧାନ ଏବଂ ଓଡ଼ିଶାରେ ସହରୀ ଗୃହ ନିର୍ମାଣ ଶାସନ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Continue Reading

Nation

ସୋସିଆଲ ମିଡିଆକୁ ଶସ୍ତା ଏବଂ ନକରାତ୍ମକ କଣ୍ଟେଣ୍ଟରୁ ଦୂରେଇ ରହିବାକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published

on

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଡିଜିଟାଲ୍ କ୍ରିଏଟରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିଟାଲ୍ କ୍ରିଏଟରମାନଙ୍କୁ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ‘ଡିଜିଟାଲ୍ ଆମ୍ବାସଡରସ୍’ ଏବଂ ଭବିଷ୍ୟତର ‘ଓପିନିଅନ ଲିଡରସ୍’ ବୋଲି କହିଛନ୍ତି।

ଡିଜିଟାଲ କ୍ରିଏଟର ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯିଏ ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ‘ରାଷ୍ଟ୍ର ସର୍ବୋପରି’ ହେବା ଉଚିତ। ‘ଦେଶ’ ଏବଂ ‘ସରକାର’ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ସେ କହିଥିଲେ, ଆପଣ ସରକାରଙ୍କୁ ସମାଲୋଚନା କରି ପାରିବେ, କିନ୍ତୁ ସରକାରଙ୍କୁ ସମାଲୋଚନା କରିବା ଆଳରେ ‘ଦେଶକୁ’ ଅସମ୍ମାନ କରିବା କେବେ ବି ଗ୍ରହଣୀୟ ନୁହେଁ । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟିଂ ଯୋଗୁଁ ଯୁବପିଢ଼ି ଯେଭଳି ବିବାଦରେ ଛନ୍ଦି ହୋଇ ନିଜ ଭବିଷ୍ୟତ ନଷ୍ଟ ନକରନ୍ତି, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ କଣ୍ଟେଣ୍ଟ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।

ସେ କହିଥିଲେ, ଆପଣମାନଙ୍କ କଣ୍ଟେଣ୍ଟର ଉଦ୍ଦେଶ୍ୟ କେବଳ ‘ଭିଉଜ୍’ (Views) ବଢ଼ାଇବା କିମ୍ବା କିଛି ସେକେଣ୍ଡର ମନୋରଞ୍ଜନ ମଧ୍ୟରେ ସୀମିତ ନରହି, ସମାଜ ପାଇଁ ଏକ ସୁସ୍ଥ ବାର୍ତ୍ତା ବହନ କରିବା ଆବଶ୍ୟକ। ‘କ୍ଲିକ୍‌ବେଟ୍’ ଏବଂ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରେଇ ରଖି ‘Purpose-Driven Content’ ବା ମହତ ଉଦ୍ଦେଶ୍ୟ ଭିତ୍ତିକ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାକୁ ସେ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆଜିର ‘ଜେନ୍-ଜି’ (Gen-Z) ବା ନୂତନ ପିଢ଼ିର ମାନସିକ ସ୍ଥିତି ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ, ଏହି ପିଢ଼ି ଖୁବ୍ ସ୍ମାର୍ଟ ଓ ସୃଜନଶୀଳ ହୋଇଥିଲେ ମଧ୍ୟ ସୂଚନାର ଅତିରିକ୍ତ ବୋଝ, ଆତ୍ମପରିଚୟର ସଂଘର୍ଷ, ମାନସିକ ଚାପ ଏବଂ ସାଇବର ଜଗତର ନକାରାତ୍ମକତା ଯୋଗୁଁ ବେଳେବେଳେ ବିଭ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଇନଫ୍ଲୁଏନ୍ସରମାନଙ୍କର ଗୋଟିଏ ‘ରିଲ୍’ କିମ୍ବା ‘ଭିଡିଓ’ ହଜାର ହଜାର ଯୁବପିଢ଼ିଙ୍କ ମନୋଭାବକୁ ବଦଳାଇ ଦେଇପାରେ।

ସୋସିଆଲ ମିଡିଆର ବ୍ୟବହାର ଓ ସଂଯମତା ରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ପବିତ୍ର ଭୂମି, ଯେଉଁଠି ‘ବସୁଧୈବ କୁଟୁମ୍ବକମ୍’ର ଶିକ୍ଷା ଦିଆଯାଇଥାଏ। ତେଣୁ କେବଳ ଟିଆରପି (TRP) ପାଇଁ କୌଣସି ବିପଦଜନକ ଷ୍ଟଣ୍ଟ୍, କ୍ଷତିକାରକ ଆହ୍ୱାନ କିମ୍ବା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉଚିତ ନୁହେଁ। ସେହିପରି ଗୁଜବ ଓ ମିଥ୍ୟା ଖବର (Fake News) ବିରୋଧରେ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗଦ୍ବାରା ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶାର ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସ୍ବାସ୍ଥ୍ୟ ବିଶେଷଜ୍ଞ, କଳା ଏବଂ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ସମେତ ସୋସିଆଲ ମିଡିଆର ବହୁ ଇନ୍‌ଫ୍ଲୁଏନ୍‌ସର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସହିତ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ବିଭାଗର ଲୋକସମ୍ପର୍କ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୂଚାରୁରୂପେ ପରିଚାଳନା କରିଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions