Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍‌ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତି ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି।’

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ। ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ବ ବିକ୍ରେତା ହେଉଛନ୍ତି ଗୁରୁତ୍ବପୂର୍ଣ୍ଣ ଅଂଶ । ବଡ ବଡ ମଲ୍‌ ଓ ଦୋକାନ ଥିବା ସତ୍ତ୍ବେ, ପଥପାର୍ଶ୍ବ ବିକ୍ରେତା ମାନଙ୍କର ଗୁରୁତ୍ବ ରହିଛି ଓ ରହିବ ବୋଲି ସେ କହିଥିଲେ।

କୋଭିଡ ସଂପର୍କରେ ସେମାନଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡ ଭୟ ଏବେ ବି ଯାଇନାହିଁ। ତେଣୁ ସେମାନେ ସତର୍କ ରହିବା ସହ କୋଭିଡର ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଗରିବଙ୍କ ମନର କଥା ବୁଝୁଥିବା ଜଣେ ଜନନେତା । ଅଭିନବ ଉପାୟରେ ସେ ସମସ୍ତଙ୍କୁ ସବୁ ସମୟରେ ସାହାଯ୍ୟ କରିଆସିଛନ୍ତି । ମନ୍ତ୍ରୀ ଜେନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଘର ମରାମତି ସହାୟତା ସହିତ ରାଜ୍ୟର ଅନେକ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ବ ବିକ୍ରେତାମାନେ ସେମାନଙ୍କ ମନ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଭୁବନେଶ୍ବରରୁ ଅକ୍ଷୟ ମହାନ୍ତି, ରାଉରକେଲାରୁ କୃଷ୍ଣଚନ୍ଦ୍ର ମୁଖାର୍ଜୀ, ସମ୍ବଲପୁରରୁ ରବିନାରାୟଣ ପ୍ରଧାନ, କଟକର ଶ୍ରୀଧର ରାୟ ଓ ବ୍ରହ୍ମପୁରରୁ ଟୁନି ବେହେରା ସେମାନଙ୍କର ମତବ୍ୟକ୍ତ କରି କହିଲେ ଯେ ଲକ୍‌ଡାଉନ ହେବା ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଠିକ୍‌ ସମୟରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ଦୁଇ ଥର ସାହାଯ୍ୟ ପାଇବା ପରେ ଆଜି ତୃତୀୟ ଥର ସହଯୋଗର ହାତ ବଢାଇଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ହଜାର ହଜାର ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ, ମ୍ୟୁନିସ୍‌ପାଲ ଆଡମିନିଷ୍ଟ୍ରେସନ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ  ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନରମାନେ ଏବଂ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published.

ସ୍ପେଶାଲ ରିପୋର୍ଟ

Happy New Year 2024

Published

on

Continue Reading

ସ୍ପେଶାଲ ରିପୋର୍ଟ

ବାହାନଗା ସ୍କୁଲକୁ ମୁଖ୍ୟମନ୍ତ୍ରୀ ଦେଲେ ୨.୫୦ କୋଟି

Published

on

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ ଦେଇଥିଲେ । ସେମାନଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଲୋକପ୍ରତିନିଧି, ସ୍କୁଲ ପରିଚାଳନା କମିଟି ତଥା ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ମତାମତ ନେଇଥିଲେ ।

Continue Reading

ସ୍ପେଶାଲ ରିପୋର୍ଟ

ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ) ପ୍ରଚଳନକୁ ରେଳ ମନ୍ତ୍ରୀ କଲେ ଶୁଭାରମ୍ଭ

Published

on

ଭୁବନେଶ୍ୱର: ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ) ପ୍ରଚଳନକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଶୁଭାରମ୍ଭ କରିଛନ୍ତି|

ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକ କୁ ଉଦ୍ଘାଟନ କରିଛନ୍ତି | ଏହି ଟ୍ରେନ୍ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି |

ଗଣମାଧ୍ୟମକୁ ସୂଚନା ଦେଇ ବୈଷ୍ଣବ କହିଛନ୍ତି ଯେ ବହୁଳ ପରିବହନ ପାଇଁ ଭାରତର ଆଧୁନିକୀକରଣ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ | ପଣ୍ୟବାହୀ ଟ୍ରେନ ରେକ କୁ ଆଲୁମିନିୟମକୁ ପରିବର୍ତ୍ତନ କରିବା ଭାରତୀୟ ରେଳବାଇ ପାଇଁ କାର୍ବନ ଫୁଟ୍ ପ୍ରିଣ୍ଟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ | ଆଲୁମିନିୟମ୍ ପଣ୍ୟବାହୀ ଟ୍ରେନର ଗୋଟିଏ ରେକ୍ ଏହାର ଜୀବନକାଳ ମଧ୍ୟରେ 14,500 ଟନ୍ CO2 ରୁ ଅଧିକ ସଞ୍ଚୟ କରିପାରିବ | ସାରା ବିଶ୍ୱରେ ମେଟ୍ରୋ ଟ୍ରେନ୍ ବ୍ୟବହାର ପାଇଁ ଆଲୁମିନିୟମ ପସନ୍ଦଯୋଗ୍ୟ | ଏହା ହାଲୁକା, ଖର୍ଚ୍ଚଦାୟକ ଏବଂ ସ୍ଥାୟୀ ଅଟେ | ମାଲ ପରିବହନ ପରିବହନ କ୍ଷେତ୍ରରେ ଆଧୁନିକୀକରଣ ଏବଂ ଭାରତୀୟ ରେଳ ବୃହତ କାର୍ବନ ସଞ୍ଚୟକୁ ସକ୍ଷମ କରିବା ପାଇଁ ଏହା ଏକ ଉଚ୍ଚାଭିଳାଷୀ ଯୋଜନା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି | ହାଲକା ୱାଗନ ହୋଇଥିବାରୁ ଏହା ଶକ୍ତି କମ୍ ଖର୍ଚ୍ଚ ହେବ ।

ରେଳ ମନ୍ତ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଏହି ଆଲୁମିନିୟମ୍ ୱାଗନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ | 10% ରୁ ଅଧିକ ପେଡ୍ ଲୋଡ୍ ହୋଇଥିବାବେଳେ ସବୁଜ ଏବଂ ଦକ୍ଷ ରେଳ ନେଟୱାର୍କ ନିର୍ମାଣ ପାଇଁ ଆମର ଦୃଷ୍ଟିକୋଣ ଅନୁଯାୟୀ କାର୍ବନ ଫୁଟ୍ ପ୍ରିଣ୍ଟକୁ ଏହା ଯଥେଷ୍ଟ କମ କରିଥାଏ |

ଏହି ମାଲବାହୀ ଟ୍ରେନ୍ ରେକ୍ ହିଣ୍ଡାଲକୋ ଦ୍ୱାରା ବିକଶିତ କରାଯାଇଅଛି | ଏବେ ପ୍ରଚଳିତ ଇସ୍ପାତ ରେକ୍ ଅପେକ୍ଷା ଚମକପ୍ରଦ ରେକ୍ 180 ଟନ୍ ହାଲୁକା ଏବଂ 5-10% ଅଧିକ ପେଲୋଡ୍ ବହନ କରିପାରିବ, ଶକ୍ତି ସଞ୍ଚୟ କରିବା ସହିତ ଷ୍ଟକ୍ ଏବଂ ରେଲ୍କୁ ଅପେକ୍ଷାକୃତ ସୁରକ୍ଷିତ ରଖିବ ଏବଂ ଲାଭଦାୟକ ହେବ |

ଆଲୁମିନିୟମ ମାଲବାହୀ ୱାଗନ୍ ତଳ ପାର୍ଶ୍ୱରୁ ପଣ୍ୟ ଖଲାସ କରିବ | ଏହା ବିଶେଷ ଭାବରେ କୋଇଲା ପରିବହନ ପାଇଁ ଡିଜାଇନ୍ ହୋଇଛି, କାର୍ବନ ଫୁଟ୍ ପ୍ରିଣ୍ଟକୁ ହ୍ରାସ କରିବାର କ୍ଷମତା ରଖିଛି | ଏହି ୱାଗନର ପ୍ରତି 100 କିଲୋଗ୍ରାମ ଓଜନ ହ୍ରାସ ଅଟେ ଏବଂ ଆଜୀବନ CO2 ସଞ୍ଚୟ କ୍ଷମତା ପ୍ରାୟ 8-10 ଟନ୍ ଆକଳନ କରାଯାଉଅଛି | ଗୋଟିଏ ଏକକ ରେକ୍ ପାଇଁ 14,500 ଟନ୍ରୁ ଅଧିକ CO2 ସଞ୍ଚୟ କରିପାରିବ ବୋଲି ଆକଳନ କରାଯାଇଅଛି | ଶ୍ରୀ ବୈଷ୍ଣବ ମଧ୍ୟ ଏହି ଅବସରରେ ରେଳ ଅଧିକାରୀଙ୍କ ସହ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ |

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ହିଣ୍ଡାଲକୋର କାର୍ଯ୍ୟବାହୀ ନିର୍ଦେଶକ ଶ୍ରୀ ସତୀଶ ପାଇ,ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ |

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions