Connect with us

ଭୁବନେଶ୍ବର:

ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଏବଂ ସିଇଓ ଶ୍ରୀ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି।

ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, BCPPER ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ। (This region is going to be a new star in the growth sky of India).

ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ବ ସାମର୍ଥ୍ୟ ରହିଛି, ସ୍ବତନ୍ତ୍ରତା ରହିଛି। ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ବର, ବିଜନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗରିମାରେ ପୁରୀ ଓ ବନ୍ଦର ଭିତ୍ତିକ ବିକାଶରେ ପାରାଦୀପ। ବର୍ତ୍ତମାନ ଆମର ପରିକଳ୍ପନା ହେଉଛି, ଏହି ଅଞ୍ଚଳ ଗୁଡିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍‌ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ବଜେଟ୍‌ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନର ପରିକଳ୍ପନା କରିଛନ୍ତି। ଏଥିରେ BCPPER ରିଜିଅନ୍ ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ CER ର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି। ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଡଲାର କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଆଜିର ଏହି ଯୋଜନା ଓଡିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ବଡ ବଡ ସହରମାନଙ୍କ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରାଯିବ।

ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ ଯେ, ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ, ପ୍ରଥମ ୫ଟି ମଧ୍ୟରେ BCPPER ସ୍ଥାନିତ ହୋଇଛି। ଏହି ରିଜିଅନର ଅଭିବୃଦ୍ଧି ହେଲେ ଏ ଅଞ୍ଚଳବାସୀଙ୍କର ମଧ୍ୟ ଅଭିବୃଦ୍ଧି ଘଟିବ।

ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର୍ ସୁବ୍ରମଣ୍ୟମ କହିଥିଲେ ଯେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ। ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ନୂଆ ଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ୨୦୨୬, ମିଳିଲା ୪୩,୪୩୭ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ

Published

on

ନୂଆଦିଲ୍ଲୀ: ” ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଓଡ଼ିଶା ପ୍ରସ୍ତୁତ ରହିଛି ଏବଂ ମୁଁ ଏହି ଯାତ୍ରାରେ ଆମ ସହିତ ପାର୍ଟନର ହେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଛି।”

ଏହି ଦୃଷ୍ଟିଭଙ୍ଗୀ ସହିତ, ଓଡିଶା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଓଡ଼ିଶା ବାହାରେ ଆୟୋଜିତ ରାଜ୍ୟର ପ୍ରଥମ କ୍ଷେତ୍ର-କୈନ୍ଦ୍ରିକ ଇନ୍‌ଭେଷ୍ଟମେଣ୍ଟ ରୋଡ୍‌-ସୋ’ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ରେ ଓଡ଼ିଶା ପାଇଁ ଏକ ନୂତନ ଅଭିବୃଦ୍ଧି ଏଜେଣ୍ଡା ଉପସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ହେମନ୍ତ ଶର୍ମା, ଏସୋଚାମ୍ (ASSOCHAM) ର ପ୍ରତିନିଧି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦୦ ରୁ ଅଧିକ ଶିଳ୍ପ ନେତା, ଖାଦ୍ୟ ପ୍ରକ୍ରିୟାକରଣ ସଂଘ, ଉଦ୍ୟୋଗୀ, ନିବେଶକ ଏବଂ ବ୍ୟବସାୟୀ ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ରୋଡ୍‌-ସୋ’ରେ ୪୧,୭୪୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହିତ ୨୭ଟି ବୁଝାମଣାପତ୍ର (MoU) ସ୍ବାକ୍ଷରିତ ହୋଇଛି । ଏହି ବ୍ୟାପକ ପରିମାଣର ନିବେଶ ପ୍ରସ୍ତାବ ଦ୍ୱାରା ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମ ପ୍ରତି ଶିଳ୍ପଜଗତର ଭରସା ପ୍ରତିଫଳିତ ହୋଇଛି । ଏହା ଦ୍ୱାରା ୩୫,୨୫୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ, ଓଡ଼ିଶା ସରକାର ୧,୬୮୯ କୋଟି ଟଙ୍କାର ନିବେଶ ପାଇଁ ୧୨ଟି ନିବେଶ ଇଚ୍ଛାପତ୍ର (IIF) ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୮,୦୬୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ସମୁଦାୟ ଆଜି ଗସ୍ତର ପ୍ରଥମ ଦିନରେ ଓଡ଼ିଶା ସରକାର ମୋଟ ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି, ଯାହା ଦ୍ୱାରା ୪୩,୩୧୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଶିଳ୍ପପତି ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣକୁ କେବଳ ଏକ ଶିଳ୍ପ କ୍ଷେତ୍ର ଭାବରେ ଦେଖୁନାହିଁ, ବରଂ ଏହାକୁ ଏକ ଅର୍ଥନୈତିକ ରୂପାନ୍ତର ଭାବରେ ଦେଖୁଛି ଯହା କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଗ୍ରାମାଞ୍ଚଳର ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ କରିଥାଏ।

ସେ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ପ୍ରତ୍ୟେକ ପ୍ରମୁଖ କୃଷି ଏବଂ ସାମୁଦ୍ରିକ ସାମଗ୍ରୀ ଯେପରି ରାଜ୍ୟ ଭିତରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ହେବା ଆବଶ୍ୟକ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଉତ୍ପାଦକମାନଙ୍କ ପାଇଁ ଅଧିକ ଆୟ ସୃଷ୍ଟି କରିବା ସହିତ ଯୁବବର୍ଗଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପାଞ୍ଚଟି ଷ୍ଟ୍ରାଟେଜିକ୍ ପିଲାର୍ ସମ୍ପର୍କିତ ଏକ ଦୀର୍ଘମିଆଦୀ ରୋଡମ୍ୟାପ ମଧ୍ୟ ଉନ୍ମୋଚନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ସୃଷ୍ଟି, ସମନ୍ୱିତ କୋଲ୍ଡ-ଚେନ୍ ଏବଂ ୱେରହାଉସିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଖାଦ୍ୟର ଗୁଣବତ୍ତା ଏବଂ ପ୍ରମାଣପତ୍ର ପ୍ରଣାଳୀକୁ ସୁଦୃଢ଼ କରିବା, ସଂଗଠିତ ଶିଳ୍ପ ସହିତ କୃଷକ ଉତ୍ପାଦକ ସଂଗଠନ, MSMEs ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ ଯୋଡ଼ିବା ହେଉଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷ ୱାର୍କଫୋର୍ସ’ର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।

ସମାରୋହକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଆମର ଦୃଷ୍ଟିଭଙ୍ଗୀ ହେଉଛି ଆମର କୃଷି ଏବଂ ସାମୁଦ୍ରିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ରୂପାନ୍ତରିତ କରିବା। ଆମେ ଏକୀକୃତ ଇକୋସିଷ୍ଟମ ନିର୍ମାଣ କରୁଛୁ ଯେଉଁଠାରେ କୃଷକ, ଏମଏସଏମଇ (MSMEs), କୃଷକ ଉତ୍ପାଦକ ସଂଗଠନ, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ଶିଳ୍ପଗୁଡ଼ିକ ଏକାଠି ବୃଦ୍ଧି ପାଆନ୍ତି, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରନ୍ତି, ଗ୍ରାମାଞ୍ଚଳର ଆୟ ବୃଦ୍ଧି କରନ୍ତି ଏବଂ ସ୍ଥାୟୀ ଶିଳ୍ପ ବିକାଶକୁ ଚାଳିତ କରନ୍ତି ।”

ଏହି ଫୁଡ୍‌-ପ୍ରୋ ଇଭେଣ୍ଟ ପରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଅଗ୍ରଣୀ ଶିଳ୍ପପତିଙ୍କ ସହିତ ଏକାଧିକ ବୈଠକ କରିଥିଲେ।

ସରକାରଙ୍କ ପ୍ରଥମ ଉତ୍ସର୍ଗୀକୃତ କ୍ଷେତ୍ରଭିତ୍ତିକ ଇନ୍‌ଭେଷ୍ଟମେଣ୍ଟ ରୋଡ୍‌-ସୋ’ ଭାବରେ, ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ପରିଗଣିତ ହୋଇଛି। ଏହାଦ୍ୱାରା କୃଷିକ୍ଷେତ୍ରରେ ସମୃଦ୍ଧି ଆସିବା ସହିତ କୃଷକ ମାନଙ୍କର ବ୍ୟାପକ ରୋଜଗାର ବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି ।

Continue Reading

Nation

ବନ୍ୟା ପ୍ରଭାବିତ ଜିଲ୍ଲାରେ ଅଗଷ୍ଟ ୧୫ ସୁଦ୍ଧା ଚାଉଳ ଓ କିରାସିନି କୋଟା ବଣ୍ଟନ ପାଇଁ ସରକାରଙ୍କ ତାଗିଦ  

Published

on

ଭୁବନେଶର : ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଓ ଏହାର ସହଜ ଉପଲବ୍ଧତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ  ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଛି ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଭାଗୀୟ ପ୍ରମୁଖ ଅଧିକାରୀଙ୍କ ସମେତ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ସହଜ ଉପଲବ୍ଧତା ଓ ଏହାର ଦରଦାମ ବୃଦ୍ଧି ନିୟନ୍ତ୍ରଣ ଉପରେ ସବିଶେଷ ଆଲୋଚନା ହୋଇଛି । ଏଥିପ୍ରତି ସଜାଗ ରହିବାକୁ ଯୋଗାଣ ଅଧିକାରୀ ମାନଙ୍କୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତୀୟ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ଚଢ଼ାଉ ଜୋରଦାର କରିବାକୁ କୁହାଯାଇଛି ।

ଏତଦବ୍ୟତୀତ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗତ ଏପ୍ରିଲ-ମଇ-ଜୁନ ମାସର ଚାଉଳ କୋଟା ସହ, ଜୁଲାଇ ଓ ଅଗଷ୍ଟ ମାସର ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାଗୁଡ଼ିକର ଚାଉଳ କୋଟା ତଥା ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମାସର କିରାସିନି କୋଟାର ସମେୟାଚିତ ଉଠାଣ ଏବଂ ବଣ୍ଟନ ଉପରେ ସବିଶେଷ ସମୀକ୍ଷା କରଯାଇଥିଲା ।

ଉପରୋକ୍ତ ଚାଉଳ କୋଟା, କିରାସିନି କୋଟା ଗୁଡ଼ିକ ଯେପରି ଆସନ୍ତା ୧୫ ଅଗଷ୍ଟ ମଧ୍ୟରେ ଉଠାଣ ତଥା ବଣ୍ଟନ କାର୍ଯ୍ୟ ଶେଷ କରାଯିବ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Continue Reading

Nation

ତିନି ଜିଲ୍ଲାରେ ବନ୍ୟା ରିଲିଫ କାର୍ଯ୍ୟ ତଦାରଖ ପାଇଁ ତିନି ଆଇଏଏସ ଅଫିସର ଗଲେ

Published

on

ଭୁବନେଶ୍ୱର : ଓଡିଶା ସରକାର ଆଜି ତିନିଜଣ ଆଇ ଏ ଏସ ଅଫିସରଙ୍କୁ ବନ୍ୟା ରିଲିଫ ଓ ଥଇଥାନ କାର୍ଯ୍ୟ ତଦାରଖ ପାଇଁ ତିନି ବନ୍ୟା ପ୍ଲାବିତ ଜିଲ୍ଳାକୁ ପଠାଇଛନ୍ତି l ଓଏମସିର ଏମଡ଼ି ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, ଓଡିଶା ରାଜ୍ୟ ସିଭିଲ ସପଲାୟୀ ନିଗମ ଏମଡି  କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ରାଜ୍ୟ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାକୁ ପଠା ଯାଇଛି l

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions